ବଅଁରପାଳ, :ବଅଁରପାଳ ଅଞ୍ଚଳ ଦେଇ ଯାଇଥିବା ୧୪୯ ନଂ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ ସଂକୀର୍ଣ୍ଣ ରାସ୍ତାରେ ଯାତାୟାତ ସମସ୍ୟା ଗୁରୁତର ହୋଇଛି। ଏହା ସହିତ ଦୁର୍ଘଟଣା ଆଶଙ୍କା ମଧ୍ୟ ଅନେକ ସମୟରେ ବଢ଼ୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ରାସ୍ତା ପାର୍ଶ୍ୱ ଖୋଳାଯାଇଥିବାରୁ ବର୍ଷା ସମୟରେ ରାସ୍ତାକଡ଼ରେ କାଦୁଅ ଓ ପାଣି ଜମି ଯାତାୟାତରେ ବାଧା ସୃଷ୍ଟି ହେଉଛି। ଅଧିକାଂଶ ସ୍ଥାନରେ ରାସ୍ତା ଅଣଓସାରିଆ ଥିବାରୁ ଦୁଇଟି ଭାରୀଯାନ ପରସ୍ପରକୁ ଅତିକ୍ରମ କରିବା ସମୟରେ ମଧ୍ୟ ସମସ୍ୟା ହେଉଛି। ଭାରୀଯାନ ସହିତ ଏକାଧିକ ଯାନ ଏକାସାଙ୍ଗରେ ଚଳାଚଳ କରିବାରୁ ଟ୍ରାଫିକ୍ ଜାମ୍ ସୃଷ୍ଟି ହେଉଛି।
ଅନ୍ୟପକ୍ଷରେ, ତାଳଚେର ଶିଳ୍ପାଞ୍ଚଳରୁ ଦୈନିକ ବହୁ ସଂଖ୍ୟାରେ ଭାରୀଯାନ ଏହି ରାସ୍ତା ଦେଇ କଟକ, ଭୁବନେଶ୍ୱର, ଢେଙ୍କାନାଳ ସହିତ ବିଭିନ୍ନ ଶିଳ୍ପାଞ୍ଚଳକୁ ଯାତାୟାତ କରୁଛି। ଏଭଳି ସ୍ଥିତିରେ ୧୪୯ ନଂ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଯୋଗୁଁ ସମସ୍ୟା ଆହୁରି ବଢ଼ିଯାଇଛି।
ରାସ୍ତା ପାର୍ଶ୍ୱ ଖୋଳା ଯାଇଥିବାରୁ ଛାତ୍ରଛାତ୍ରୀ, କର୍ମଜୀବୀ, ରୋଗୀ ଓ ସାଧାରଣ ଲୋକଙ୍କ ଯାତାୟାତରେ ଅସୁବିଧା ହେଉଛି। ରାସ୍ତାକଡ଼ରେ କଲେଜ, ହାଇସ୍କୁଲ, ବଜାର ଓ ଡାକ୍ତରଖାନା ଥିବାରୁ ଦିନସାରା ଏଠାରେ ଯାନବାହନ ଓ ଲୋକଙ୍କ ଭିଡ଼ ଲାଗି ରହୁଛି। ବର୍ଷାଦିନେ ପରିସ୍ଥିତି ଆହୁରି ଜଟିଳ ହେଉଛି।
ଓଭରବ୍ରିଜ୍ଠାରୁ ଗୁଡ଼ିବନ୍ଧ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାମ ଚାଲିଛି। ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ ପାଇଁ ଠିକାସଂସ୍ଥା ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ୱ ଖୋଳି ଦିଆଯାଇଛି। ଫଳରେ ଗୋତମରାଠାରୁ ଚାଇଁପାଳ ପଞ୍ଚାୟତ ପର୍ଯ୍ୟନ୍ତ ଅଞ୍ଚଳର ଲୋକେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରାୟ ୭ କିମି ରାସ୍ତାକୁ ଯାତାୟାତ ଉପଯୋଗୀ କରାଯାଇ ୫୫ ନଂ ଜାତୀୟ ରାଜପଥର କଣ୍ଟାବଣିଆଠାରେ ସଂଯୋଗ କରାଗଲେ ଭାରୀଯାନଗୁଡ଼ିକ ବିକଳ୍ପ ମାର୍ଗରେ ଯାତାୟାତ କରିପାରିବେ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ଏହାଦ୍ୱାରା ୧୪୯ ନଂ ଜାତୀୟ ରାଜପଥ ଉପରେ ଭାରୀଯାନର ଚାପ କମିବା ସହ ସାଧାରଣ ଯାନବାହନ ଯାତାୟାତ ସ୍ୱାଭାବିକ ହୋଇପାରିବ।
ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକେ ତାଳଚେର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସ୍ଥାନୀୟ ଲୋକଙ୍କ ପକ୍ଷରୁ ତାଳଚେର ବୁଢ଼ାପଙ୍ଗ ଗ୍ରାମ ସଭାପତି ପ୍ରସନ୍ନ କୁମାର ମହାନ୍ତି, ରଞ୍ଜନ କୁମାର ବିଶୋଇ, ଶ୍ରୀବତ୍ସ ସାମଲ, ବିଭୂତି ବେଉରା, କୁମୁଦ ସାମଲ, ନୁରି ସାମଲ ଓ ନୀଳମଣି ମାଝୀ ପ୍ରମୁଖ ଲିଖିତ ଭାବେ ନିବେଦନ କରିଛନ୍ତି।
ସେମାନଙ୍କ ଦାବି ହେଉଛି, ରାସ୍ତା ସମ୍ପ୍ରସାରଣ କାମକୁ ଶୀଘ୍ର ସମାପ୍ତ କରାଯିବା ସହ ବର୍ଷା ସମୟରେ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉ। ଏଥିସହ ଭାରୀଯାନ ଚଳାଚଳ ପାଇଁ ବିକଳ୍ପ ରାସ୍ତା ବ୍ୟବସ୍ଥା କଲେ ଅଞ୍ଚଳବାସୀଙ୍କ ଯାତାୟାତ ସମସ୍ୟା ଅନେକ ମାତ୍ରାରେ କମିପାରିବ।
