ଅମୃତ ଭାରତ ଯୋଜନାରେ ନୂଆ ରୂପ ପାଇଲା ମଞ୍ଚେଶ୍ୱର ରେଳ ଷ୍ଟେସନ, ୧୫.୪୯ କୋଟି ଟଙ୍କାରେ ଆଧୁନିକୀକରଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ରେଳ ଷ୍ଟେସନ ଏବେ ନୂଆ ରୂପ ପାଇଛି। ଯାତ୍ରୀମାନଙ୍କୁ ଅଧିକ ସୁବିଧାଜନକ, ଆରାମଦାୟକ ଓ ଆଧୁନିକ ରେଳ ଯାତ୍ରାର ଅନୁଭୂତି ଦେବା ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଏହି ଷ୍ଟେସନର ପୁନର୍ବିକାଶ କରାଯାଇଛି। ପ୍ରାୟ ୧୫.୪୯ କୋଟି ଟଙ୍କା ବ୍ୟୟରେ ଷ୍ଟେସନର ଆଧୁନିକୀକରଣ କରାଯାଇଥିବା ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଧୁନିକ, ଯାତ୍ରୀ ଅନୁକୂଳ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ରେଳ ଭିତ୍ତିଭୂମି ନିର୍ମାଣର ଲକ୍ଷ୍ୟକୁ ଆଗକୁ ନେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଯାତ୍ରୀ ସଂଖ୍ୟା ବଢ଼ୁଥିବାରୁ ମଞ୍ଚେଶ୍ୱର ଷ୍ଟେସନର ଉନ୍ନତିକରଣ ଗୁରୁତ୍ୱ ବହନ କରୁଛି।

ନିର୍ମାଣ ହୋଇଛି ନୂଆ ଷ୍ଟେସନ କୋଠା

ଏହି ପ୍ରକଳ୍ପ ଅଧୀନରେ ୭୬୦ ବର୍ଗମିଟର ଅଞ୍ଚଳରେ ଏକ ନୂତନ ଷ୍ଟେସନ କୋଠା ନିର୍ମାଣ କରାଯାଇଛି। ସେହିପରି ୪,୪୪୯ ବର୍ଗମିଟର ପରିମିତ ଅଞ୍ଚଳରେ ଯାତାୟାତ ଓ ଯାନବାହନ ଚଳାଚଳ ପାଇଁ ସର୍କୁଲେଟିଂ ଏରିଆର ଉନ୍ନତିକରଣ କରାଯାଇଛି। ଷ୍ଟେସନକୁ ଯିବା ଆସିବା ପାଇଁ ଆପ୍ରୋଚ୍‌ ରୋଡ୍‌ ଏବଂ ପାର୍କିଂ ବ୍ୟବସ୍ଥାକୁ ମଧ୍ୟ ଉନ୍ନତ କରାଯାଇଛି। ଫଳରେ ଯାତ୍ରୀଙ୍କୁ ଷ୍ଟେସନରେ ପହଞ୍ଚିବା ଓ ଯାନବାହନ ରଖିବାରେ ସୁବିଧା ହେବ।

ପ୍ଲାଟଫର୍ମ ଓ ଫୁଟ୍‌ ଓଭରବ୍ରିଜ୍‌ର ଉନ୍ନତି

ଷ୍ଟେସନର ପ୍ଲାଟଫର୍ମଗୁଡ଼ିକର ପ୍ରାୟ ୨୦,୭୦୦ ବର୍ଗମିଟର ଅଞ୍ଚଳରେ ନୂତନ ସରଫେସିଂ କାମ କରାଯାଇଛି। ଯାତ୍ରୀମାନଙ୍କୁ ବର୍ଷା ଓ ଖରାରୁ ସୁରକ୍ଷା ଦେବା ପାଇଁ ୪୫ଟି ପ୍ଲାଟଫର୍ମ ସେଲ୍ଟର ବେ ବ୍ୟବସ୍ଥା କରାଯାଇଛି। ଏହାସହ ଆଧୁନିକ ଫୁଟ୍‌ ଓଭରବ୍ରିଜ୍‌ ଓ ସ୍କାଏୱାକ୍‌ ନିର୍ମାଣ କରାଯାଇଛି। ଏହି ସ୍କାଏୱାକ୍‌ ନୂତନ ଷ୍ଟେସନ କୋଠା ସହ ସଂଯୋଗ ହୋଇଥିବାରୁ ଯାତ୍ରୀଙ୍କ ଯାତାୟାତ ଅଧିକ ସହଜ ହେବ।

ଯାତ୍ରୀଙ୍କ ପାଇଁ ଆଧୁନିକ ସୁବିଧା

ଷ୍ଟେସନରେ ୧୨୦ ବର୍ଗମିଟର ପରିମିତ ଏକ ଅତ୍ୟାଧୁନିକ ଅପେକ୍ଷା ଗୃହ ନିର୍ମାଣ କରାଯାଇଛି। ଏହାସହ ୧୧୮ ବର୍ଗମିଟର ଅଞ୍ଚଳରେ ଆଧୁନିକ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କ ଟିକେଟ୍‌ ସଂରକ୍ଷଣ ପାଇଁ ନୂତନ ପାସେଞ୍ଜର ରିଜର୍ଭେସନ ସିଷ୍ଟମ୍‌ (PRS) କାଉଣ୍ଟର ଖୋଲାଯାଇଛି। ଏହାସହ କନକୋର୍ସ ଅଞ୍ଚଳର ଉନ୍ନତିକରଣ କରାଯାଇଛି।

ମୋବାଇଲ୍‌ ଓ ଲାପଟପ୍‌ ଚାର୍ଜିଂ ପଏଣ୍ଟ, ପ୍ଲାଟଫର୍ମରେ ପଙ୍ଖା, ଡଷ୍ଟବିନ୍‌, ପାଣି ଟ୍ୟାପ୍‌, ୱାଟର କୁଲର ଓ ଆର୍‌ଓ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ସାଇନ୍‌ ବୋର୍ଡ, ଡିଜିଟାଲ୍‌ କୋଚ୍‌ ଓ ଟ୍ରେନ୍‌ ସୂଚନା ବୋର୍ଡ ଏବଂ ଉନ୍ନତ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି।

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଗୁରୁତ୍ୱ

ଏହି ଷ୍ଟେସନର ଉନ୍ନତିକରଣରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ସୁବିଧାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ପାଇଁ ରାମ୍ପ, ସ୍ୱତନ୍ତ୍ର ପାର୍କିଂ, କମ୍‌ ଉଚ୍ଚତାର ଟିକେଟ୍‌ କାଉଣ୍ଟର, ସହାୟତା କେନ୍ଦ୍ର, ଦିବ୍ୟାଙ୍ଗ ଅନୁକୂଳ ଶୌଚାଳୟ ଓ ପାଣି ବ୍ୟବସ୍ଥା କରାଯାଇଛି। ଏହାସହ ଟ୍ୟାକ୍ଟାଇଲ୍‌ ପଥ, ସୁଗମ ଯାତାୟାତ ରାସ୍ତା ଓ ଖସଡ଼ା ନ ହେଉଥିବା ଚଟାଣ ନିର୍ମାଣ କରାଯାଇଛି।

ଏହି ନୂତନ ବ୍ୟବସ୍ଥା ଫଳରେ ମଞ୍ଚେଶ୍ୱର ଷ୍ଟେସନକୁ ଆସୁଥିବା ଦୈନିକ ଯାତ୍ରୀ, ଶିଳ୍ପାଞ୍ଚଳର କର୍ମଚାରୀ ଓ ଅନ୍ୟ ଯାତ୍ରୀମାନେ ଉପକୃତ ହେବେ। ଅମୃତ ଭାରତ ଯୋଜନା ମାଧ୍ୟମରେ ରେଳ ଷ୍ଟେସନଗୁଡ଼ିକୁ ଆଧୁନିକ ଯାତ୍ରୀ ପରିବହନ କେନ୍ଦ୍ରରେ ପରିଣତ କରିବା ଦିଗରେ ଭାରତୀୟ ରେଳବାଇର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Leave a Reply