ଭୁବନେଶ୍ୱର: ଓଡ଼ିଶାରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ୨୦୨୬-୨୭ ଶିକ୍ଷାବର୍ଷରୁ ଏହି ନୂଆ ପରୀକ୍ଷା ପଦ୍ଧତି ଲାଗୁ ହେବ। ଛାତ୍ରଛାତ୍ରୀଙ୍କ କେବଳ ମୁଖସ୍ଥ ବିଦ୍ୟା ନୁହେଁ, ବରଂ ବିଷୟବସ୍ତୁ ବୁଝିବାର କ୍ଷମତା ଓ ଶିଖିଥିବା ଜ୍ଞାନକୁ ବ୍ୟବହାର କରିବାର ଦକ୍ଷତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଏନେଇ ବିଭାଗ ପକ୍ଷରୁ ନଭେମ୍ବର ୧୫ ତାରିଖରେ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି।
ନୂଆ ନିୟମ ଅନୁଯାୟୀ, ପଞ୍ଚମ ଶ୍ରେଣୀର ବାର୍ଷିକ ପରୀକ୍ଷାର ମାର୍କ ବଣ୍ଟନରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ଆଭ୍ୟନ୍ତରୀଣ ମୂଲ୍ୟାୟନକୁ ୬୦ ପ୍ରତିଶତ ଓ ବାର୍ଷିକ ପରୀକ୍ଷାକୁ ୪୦ ପ୍ରତିଶତ ଗୁରୁତ୍ୱ ଦିଆଯାଉଥିଲା। ଏବେ ଉଭୟ ଆଭ୍ୟନ୍ତରୀଣ ମୂଲ୍ୟାୟନ ଓ ବାର୍ଷିକ ପରୀକ୍ଷା ପାଇଁ ୫୦-୫୦ ପ୍ରତିଶତ ମାର୍କ ରହିବ। ଅର୍ଥାତ୍ ମୋଟ ୧୦୦ ମାର୍କରୁ ୫୦ ମାର୍କ ଆଭ୍ୟନ୍ତରୀଣ ମୂଲ୍ୟାୟନ ଏବଂ ଅବଶିଷ୍ଟ ୫୦ ମାର୍କ ବାର୍ଷିକ ପରୀକ୍ଷାରୁ ମିଳିବ।
ଆଭ୍ୟନ୍ତରୀଣ ମୂଲ୍ୟାୟନରେ ୨୫ ମାର୍କ ଫର୍ମେଟିଭ୍ ଆସେସମେଣ୍ଟ ଏବଂ ୨୫ ମାର୍କ ଶିକ୍ଷକଙ୍କ ପର୍ଯ୍ୟବେକ୍ଷଣ ପାଇଁ ରଖାଯାଇଛି। ପଞ୍ଚମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ୧୦ ମାର୍କର ମୌଖିକ ପରୀକ୍ଷା ଓ ୪୦ ମାର୍କର ଲିଖିତ ପରୀକ୍ଷା ହେବ। ଅନ୍ୟପଟେ ଅଷ୍ଟମ ଶ୍ରେଣୀରେ ୫୦ ମାର୍କର କେବଳ ଲିଖିତ ପରୀକ୍ଷା ହେବ।
ଅଷ୍ଟମ ଶ୍ରେଣୀର ପ୍ରଶ୍ନପତ୍ର ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି। ପୂର୍ବରୁ ଜ୍ଞାନଭିତ୍ତିକ ପ୍ରଶ୍ନ ପାଇଁ ୩୦ ପ୍ରତିଶତ ମାର୍କ ରହୁଥିବା ବେଳେ ଏବେ ଏହାକୁ ୨୦ ପ୍ରତିଶତକୁ ହ୍ରାସ କରାଯାଇଛି। ସେହିପରି ବିଷୟ ବୁଝିବା ସମ୍ପର୍କିତ ପ୍ରଶ୍ନର ମାର୍କ ୪୦ରୁ ବୃଦ୍ଧି କରି ୫୦ ପ୍ରତିଶତ କରାଯାଇଛି। ପ୍ରୟୋଗଭିତ୍ତିକ ଓ ଉଚ୍ଚସ୍ତରୀୟ ଚିନ୍ତନ କ୍ଷମତା ପରୀକ୍ଷା କରୁଥିବା ପ୍ରଶ୍ନ ପାଇଁ ପୂର୍ବଭଳି ୩୦ ପ୍ରତିଶତ ମାର୍କ ରହିବ। ପଞ୍ଚମ ଶ୍ରେଣୀ ପାଇଁ ପ୍ରଶ୍ନ ବଣ୍ଟନରେ ପରିବର୍ତ୍ତନ ହୋଇନାହିଁ। ଏଠାରେ ଜ୍ଞାନ ପାଇଁ ୩୦, ବୁଝିବା ପାଇଁ ୪୦ ଏବଂ ପ୍ରୟୋଗ ଓ ଉଚ୍ଚସ୍ତରୀୟ ଚିନ୍ତନ ପାଇଁ ୩୦ ପ୍ରତିଶତ ମାର୍କ ରହିବ।
ପାଠ୍ୟକ୍ରମରୁ ପ୍ରଶ୍ନ ଆସିବା ନେଇ ମଧ୍ୟ ନିୟମ ରହିଛି। ପଞ୍ଚମ ଶ୍ରେଣୀରେ ପ୍ରଥମ ଟର୍ମ ପରେ ପଢ଼ାଯାଇଥିବା ପାଠରୁ ପ୍ରଶ୍ନ ଆସିବ। ଅଷ୍ଟମ ଶ୍ରେଣୀରେ ପ୍ରଥମ ଟର୍ମ ପୂର୍ବରୁ ପଢ଼ାଯାଇଥିବା ପାଠରୁ ୩୦ ପ୍ରତିଶତ ଏବଂ ପରବର୍ତ୍ତୀ ପାଠ୍ୟକ୍ରମରୁ ୭୦ ପ୍ରତିଶତ ପ୍ରଶ୍ନ ରହିବ। ଉଭୟ ଶ୍ରେଣୀର ପ୍ରଶ୍ନପତ୍ରରେ ୩୦ ପ୍ରତିଶତ ସହଜ, ୪୦ ପ୍ରତିଶତ ମଧ୍ୟମ ଓ ୩୦ ପ୍ରତିଶତ କଠିନ ପ୍ରଶ୍ନ ରହିବ। ଏଥିରେ ଉଭୟ ବସ୍ତୁନିଷ୍ଠ ଓ ବର୍ଣ୍ଣନାତ୍ମକ ପ୍ରଶ୍ନ ସାମିଲ ହେବ।
ଏହି ନୂଆ ମୂଲ୍ୟାୟନ ବ୍ୟବସ୍ଥା ଜାତୀୟ ଶିକ୍ଷାନୀତି-୨୦୨୦, ଜାତୀୟ ପାଠ୍ୟକ୍ରମ ଢାଞ୍ଚା-୨୦୨୩ ଏବଂ ଓଡ଼ିଶା ପାଠ୍ୟକ୍ରମ ଢାଞ୍ଚା-୨୦୨୫ ଅନୁଯାୟୀ ପ୍ରସ୍ତୁତ ହୋଇଛି। ପରୀକ୍ଷା ପ୍ରଣାଳୀକୁ ଅଧିକ ସ୍ୱଚ୍ଛ ଓ ଦକ୍ଷତାଭିତ୍ତିକ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
