ଖଣିକୁ ନେଇ ସରଗରମ ରାଜନୀତି !
ମୁହାଁମୁହିଁ ବିଜେଡି ବିଜେପି !
ଓଡ଼ିଶାର ଖଣିଜ ସମ୍ପଦକୁ ନେଇ ଏବେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ନୂଆ ଲଢ଼େଇ। ଗୋଟିଏ ପଟେ ବିଜେଡି କହୁଛି—ନୂଆ MMDR ଆଇନ ଓଡ଼ିଶାର ଆର୍ଥିକ ସ୍ୱାର୍ଥ ପାଇଁ ବଡ଼ ବିପଦ। ଆଉ ଅନ୍ୟପଟେ ବିଜେପି କହୁଛି ବିଜେଡି ଲୋକଙ୍କୁ ଭ୍ରମିତ କରୁଛି।
ତେବେ ଅସଲ ସତ କଣ?
ଓଡ଼ିଶା ସତରେ କୋଟି କୋଟି ଟଙ୍କା ହରାଇବ କି?
ନା ଏହା କେବଳ ରାଜନୀତିକ ଅଭିଯୋଗ-ପ୍ରତ୍ୟାଭିଯୋଗ?
ଯେବେଠାରୁ ସଂସଦରେ MMDR Amendment ବିଲ୍l, 2026 ପାସ୍ ହୋଇଛି। ସେବେଠାରୁ ଏହି ଆଇନର କିଛି ବ୍ୟବସ୍ଥାକୁ ନେଇ ଓଡ଼ିଶାରେ ରାଜନୀତି ତୀବ୍ର ହୋଇଛି। ବିଜେଡିର ଅଭିଯୋଗ ହେଉଛି, ନୂଆ ଖଣି ଆଇନ ଯୋଗୁଁ ରାଜ୍ୟର ଖଣିଜ ସମ୍ପଦ ସହ ଜଡ଼ିତ ଆର୍ଥିକ ଅଧିକାର ପ୍ରଭାବିତ ହୋଇପାରେ। ବିଜେଡି ନେତା ସନ୍ତୃପ୍ତ ମିଶ୍ର ଦାବି କରିଛନ୍ତି ଯେ ଏହି ଆଇନ ଯୋଗୁଁ ଓଡ଼ିଶା ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ଖଣି ସମ୍ପର୍କିତ ବକେୟା ରାଜସ୍ୱ ହରାଇପାରେ। ଏହାସହ ବିଜେଡିର ଆହୁରି ଅଭିଯୋଗ କରିଛି ଯେ ଓଡ଼ିଶାର ବିଜେପି ସାଂସଦମାନେ ରାଜ୍ୟର ଆର୍ଥିକ ସ୍ୱାର୍ଥକୁ ଧ୍ୟାନରେ ନରଖି ଏହି ଆଇନକୁ ସମର୍ଥନ କରିଛନ୍ତି। ହେଲେ ବିଜେଡିର ଏହି ଅଭିଯୋଗକୁ ବିଜେପି ଖଣ୍ଡନ କରିଛି।
ବିଜେପି ପକ୍ଷରୁ ନବୀନ ପଟ୍ଟନାୟକଙ୍କ ଆପତ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ଆସିଛି। ବିଜେପି କହିଛି ଯେ MMDR ଆଇନକୁ ନେଇ ବିଜେଡି ଲୋକଙ୍କୁ ଭୁଲ ତଥ୍ୟ ଦେଉଛି। ତେବେ ଏଠାରେ ଆମକୁ ଗୋଟିଏ କଥା ବୁଝିବାକୁ ପଡ଼ିବ। “ଏକ ଲକ୍ଷ କୋଟି ଟଙ୍କା ଓଡ଼ିଶା ହରାଇବ” ଏହା ବିଜେଡି ପକ୍ଷରୁ କରାଯାଇଥିବା ଏକ ରାଜନୀତିକ ଦାବି। ଏହାକୁ ଏପର୍ଯ୍ୟନ୍ତ କୋର୍ଟର ଚୂଡ଼ାନ୍ତ ରାୟ କିମ୍ବା ସମସ୍ତ ପକ୍ଷ ସ୍ୱୀକାର କରିଥିବା ନିଶ୍ଚିତ ତଥ୍ୟ ବୋଲି ପ୍ରସ୍ତୁତ କରିବା ଠିକ୍ ହେବ ନାହିଁ। ତେଣୁ ଏଠାରେ ସବୁଠାରୁ ପୁରୁଣା ପ୍ରଶ୍ନ , ନୂଆ ଆଇନର ଅସଲ ପ୍ରଭାବ ଓଡ଼ିଶାର ରାଜସ୍ୱ ଉପରେ କେତେ ପଡ଼ିବ?
ଏହି ପ୍ରସଙ୍ଗକୁ ନେଇ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶାର BJP ସାଂସଦମାନଙ୍କୁ ଚିଠି ଲେଖି ଆଇନର ପରିବର୍ତ୍ତନକୁ ବିରୋଧ କରିବାକୁ ଆହ୍ୱାନ କରିଥିଲେ। ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସର୍ବଦଳୀୟ ବୈଠକ ଡାକିବା ଏବଂ ଏହି ପ୍ରସଙ୍ଗରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମଧ୍ୟ ଦାବି କରିଥିଲେ। ତେବେ ଏହି ଲଢ଼େଇ କେବଳ BJP ଓ BJD ମଧ୍ୟରେ ରାଜନୀତିକ ବିବାଦ ନୁହେଁ।
ଓଡ଼ିଶା ଭଳି ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟ ପାଇଁ ଏହା ଏକ ଆର୍ଥିକ ପ୍ରସଙ୍ଗ ମଧ୍ୟ। ସେଥିପାଇଁ ଆଗାମୀ ଦିନରେ ଏହି ଆଇନର ପ୍ରକୃତ ପ୍ରଭାବ କଣ ହେବ, ଏହା ଉପରେ ନଜର ରହିବ।
