ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ନିର୍ବାଚନକୁ ନେଇ ଧୀରେଧୀରେ ରାଜନୈତିକ ଓ ଛାତ୍ର ମାହୋଲ ସରଗରମ ହେବାରେ ଲାଗିଛି। ଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂଘ ନିର୍ବାଚନ ହେବାକୁ ଥିବାରୁ ଆଶାୟୀ ପ୍ରାର୍ଥୀମାନେ ଏବେଠାରୁ ଛାତ୍ରଛାତ୍ରୀଙ୍କ ସମର୍ଥନ ହାସଲ ପାଇଁ ଜୋରଦାର ପ୍ରଚାର ଓ ଜନସମ୍ପର୍କ ଆରମ୍ଭ କରିଛନ୍ତି।
ମଙ୍ଗଳବାର ବିଭିନ୍ନ ଛାତ୍ରନେତା ଓ ନିର୍ବାଚନ ଆଶାୟୀମାନେ କଲେଜ ଓ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ଏବଂ ଶ୍ରେଣୀକକ୍ଷକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। କ୍ୟାମ୍ପସରେ ଛାତ୍ରମାନେ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, କେଉଁ ସୁବିଧାର ଆବଶ୍ୟକତା ରହିଛି ଏବଂ ନିର୍ବାଚନକୁ ନେଇ ସେମାନଙ୍କ ମତାମତ କ’ଣ ରହିଛି, ସେ ସମ୍ପର୍କରେ ଆଶାୟୀମାନେ ଜାଣିବାକୁ ଚେଷ୍ଟା କରିଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଜଧାନୀ କଲେଜ ସମେତ ଅନ୍ୟାନ୍ୟ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରନେତାମାନେ ସମର୍ଥନ ଯୋଗାଡ଼ କରୁଥିବା ଜଣାପଡ଼ିଛି। ନିଜ ନିଜ ସଂଗଠନର ଗତ କାର୍ଯ୍ୟକଳାପ, ଛାତ୍ର ସମସ୍ୟା ପାଇଁ କରାଯାଇଥିବା ଆନ୍ଦୋଳନ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ମଧ୍ୟ ଛାତ୍ରମାନଙ୍କୁ ଅବଗତ କରାଯାଉଛି।
ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରନେତାଙ୍କ କହିବା ଅନୁସାରେ, ବିଭିନ୍ନ ବିଭାଗକୁ ଯାଇ ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝିବା ସହ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କ ସ୍ୱରକୁ ମଜବୁତ କରିବା ପାଇଁ ସେମାନେ କରିଥିବା ପ୍ରୟାସ ବିଷୟରେ ଆଲୋଚନା କରୁଛନ୍ତି। ଭବିଷ୍ୟତରେ ମଧ୍ୟ ଛାତ୍ରଛାତ୍ରୀଙ୍କ ସମସ୍ୟା ସହ ଠିଆ ହେବାକୁ ସେମାନେ ପ୍ରତିଶ୍ରୁତି ଦେଉଛନ୍ତି।
ଅନ୍ୟପଟେ, ବିଭିନ୍ନ ଛାତ୍ର ସଂଗଠନ ମଧ୍ୟ ନିଜର ସାଂଗଠନିକ ଶକ୍ତି ପ୍ରଦର୍ଶନ କରିବା ସହ ସମର୍ଥକଙ୍କୁ ସକ୍ରିୟ କରିବା ଆରମ୍ଭ କରିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପକ୍ଷରୁ ରମାଦେବୀ ବିଶ୍ୱବିଦ୍ୟାଳୟ, ବିଜେବି ସ୍ୱୟଂଶାସିତ କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ସମ୍ମୁଖରେ ‘ବିଜୟ ଉତ୍ସବ’ ଆୟୋଜନ କରାଯାଇଥିଲା। ସେହିପରି ବିଜୁ ଛାତ୍ର ଜନତା ଦଳ (BCJD) ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ବିଶ୍ୱବିଦ୍ୟାଳୟରେ ସମର୍ଥକଙ୍କୁ ଏକାଠି କରିଥିଲା।
ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଚଳଚ୍ଚିତ୍ର ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଥିବା ସୂଚନା ମିଳିଛି। ଏଥିରେ ଓଡ଼ିଆ ସିନେମା ଜଗତର କିଛି କଳାକାରଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା। ଅନ୍ୟପଟେ NSUI ଓଡ଼ିଶାର ନେତାମାନେ ମଧ୍ୟ ବିଭିନ୍ନ କ୍ୟାମ୍ପସରେ ସମର୍ଥନ ଯୋଗାଡ଼ ପାଇଁ ସକ୍ରିୟ ହୋଇଛନ୍ତି।
ନିର୍ବାଚନ ପ୍ରକ୍ରିୟା ଅନୁଯାୟୀ, ବୁଧବାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଅଧିକୃତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୯ରେ ନାମାଙ୍କନ ଦାଖଲ, ଯାଞ୍ଚ ଓ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ହେବ। ଅକ୍ଟୋବର ୧୪ରେ ‘Why I Stand For’ ବୈଠକ ଅନୁଷ୍ଠିତ ହେବ। ଏହାପରେ ଅକ୍ଟୋବର ୧୫ରେ ଭୋଟଗ୍ରହଣ ହେବ। ନିର୍ବାଚନ ଦିନ ଯେତେ ପାଖେଇ ଆସିବ, କ୍ୟାମ୍ପସରେ ପ୍ରଚାର ଓ ଛାତ୍ର ସଂଗଠନଗୁଡ଼ିକର ସକ୍ରିୟତା ଆହୁରି ବଢ଼ିବାର ସମ୍ଭାବନା ରହିଛି।
