ବଅଁରପାଳ,: ବଅଁରପାଳ ଅଞ୍ଚଳରେ ବିଦ୍ୟୁତ ବିତରଣ ବ୍ୟବସ୍ଥା ଟାଟା ପାୱାର ହାତକୁ ଯିବା ପରଠାରୁ ବିଭିନ୍ନ ସମସ୍ୟା ଦେଖାଦେଇଥିବା ନେଇ ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। ବାରମ୍ବାର ଅସମୟରେ ବିଦ୍ୟୁତ କାଟ, ଲୋ-ଭୋଲ୍ଟେଜ୍ ସମସ୍ୟା, ଅଭିଯୋଗ ଶୁଣାଣିରେ ଅବହେଳା ଏବଂ ଅଧିକ ବିଦ୍ୟୁତ ବିଲ୍ ଭଳି ସମସ୍ୟାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି।
ଶୁକ୍ରବାର ବଅଁରପାଳ ସବ୍-ଷ୍ଟେସନ୍ ଅଧୀନରେ ଥିବା ବିଭିନ୍ନ ଅଞ୍ଚଳର ବହୁ ବିଦ୍ୟୁତ ଉପଭୋକ୍ତା ଏକତ୍ରିତ ହୋଇ ବଅଁରପାଳସ୍ଥିତ ଟିପିସିଓଡିଏଲ୍ କାର୍ଯ୍ୟାଳୟକୁ ଅଭିଯୋଗ ଜଣାଇବା ପାଇଁ ପହଞ୍ଚିଥିଲେ। ଉପଭୋକ୍ତାମାନଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟୁତ ବ୍ୟବହାର ପୂର୍ବ ତୁଳନାରେ କମିଥିଲେ ମଧ୍ୟ କେତେକଙ୍କ ଘରକୁ ଅଧିକ ପରିମାଣର ବିଦ୍ୟୁତ ବିଲ୍ ଆସୁଛି। ଏପରିକି କେତେକ ଉପଭୋକ୍ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ନଥିବା ସତ୍ତ୍ୱେ ସେମାନଙ୍କ ନାମରେ ବିଲ୍ ଆସୁଥିବା ଅଭିଯୋଗ ମଧ୍ୟ ହୋଇଛି।
ଅନ୍ୟପକ୍ଷରେ, ସ୍ମାର୍ଟ ମିଟରକୁ ନେଇ ମଧ୍ୟ ଅନେକ ଉପଭୋକ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ମାର୍ଟ ମିଟର ଯୋଗୁଁ ଆଶାନୁରୂପ ବିଦ୍ୟୁତ ବିଲ୍ କମିବା ପରିବର୍ତ୍ତେ ଅଧିକ ଟଙ୍କା କଟିଯାଉଥିବା ନେଇ କେତେକ ଲୋକ ଅଭିଯୋଗ କରିଛନ୍ତି। ଅସମୟରେ ବାରମ୍ବାର ବିଦ୍ୟୁତ କାଟ ଏବଂ ଲୋ-ଭୋଲ୍ଟେଜ୍ ସମସ୍ୟା ଯୋଗୁଁ ଘରୋଇ କାମ ସହ ବ୍ୟବସାୟିକ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି ବୋଲି ଉପଭୋକ୍ତାମାନେ କହିଛନ୍ତି।
ଅଭିଯୋଗ ଜଣାଇବା ପାଇଁ ଉପଭୋକ୍ତାମାନେ କାର୍ଯ୍ୟାଳୟକୁ ଯାଇଥିବା ବେଳେ କର୍ମଚାରୀଙ୍କ ଆଚରଣକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗପତ୍ର ଗ୍ରହଣ କରିବା ପରିବର୍ତ୍ତେ ଉପଭୋକ୍ତାଙ୍କୁ ଥାନାକୁ ନେବା ପାଇଁ ପୁଲିସ ଉଦ୍ୟମ କରିଥିବା ନେଇ କେତେକ ଲୋକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ କାର୍ଯ୍ୟାଳୟରେ ପୁଲିସ ମୁତୟନ କରାଯାଇଥିବା ଜଣାପଡ଼ିଛି।
ଉପଭୋକ୍ତାମାନେ ଦାବି କରିଛନ୍ତି ଯେ ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଲୋ-ଭୋଲ୍ଟେଜ୍ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଗ୍ରାହକଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣାଣି କରାଯାଉ। ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଉପଭୋକ୍ତାମାନେ ଚେତାବନୀ ଦେଇଛନ୍ତି।
ଅନ୍ୟପକ୍ଷରେ, ଉପଭୋକ୍ତାଙ୍କ ଅଭିଯୋଗ ସମ୍ପର୍କରେ ବରିଷ୍ଠ ଯନ୍ତ୍ରୀ ସୁଜିତ କୁମାର ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ କେତେକ ଉପଭୋକ୍ତାଙ୍କ ସ୍ମାର୍ଟ ମିଟର ସମ୍ପର୍କିତ ସମସ୍ୟାକୁ ଅପଡେଟ୍ କରାଯାଇଛି। ଯେଉଁ ଉପଭୋକ୍ତା ବିଦ୍ୟୁତ ବିଲ୍ ପୈଠ କରିନାହାନ୍ତି, ସେମାନଙ୍କ ସଂଯୋଗ କାଟିବାର ନିୟମ ରହିଛି। ତେବେ ଅଭିଯୋଗଗୁଡ଼ିକର ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
