ରାଜ୍ୟସଭା ନିର୍ବାଚନ ପରେ ବିଜେପି ଏବେ ଆକ୍ସନ ମୋଡରେ। ଖାଲି ପଡ଼ିଥିବା ଜିଲ୍ଲା ଯୋଜନା କମିଟିରେ ବିଧାୟକ ମାନଙ୍କୁ ଅଧ୍ୟକ ପଦରେ ନିଯୁକ୍ତି ଦେଇ ଥଇଥାନ କରିବା ଆରମ୍ଭ କରିଛି। ଆଜି ପୁଣି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଓ ଉପଧ୍ୟକ୍ଷ ପଦରେ ନିଯୁକ୍ତି ମିଳିଛି। ଏଣୁ ଖୁବ୍ ଶୀଘ୍ର ମନ୍ତ୍ରୀ ମଣ୍ଡଳ ମିଳିବ ବୋଲି ଅନୁମାନ କରାଯାଉଛି। ବିଜେପିର ଶୀର୍ଷ ନେତୃତ୍ୱ ଏ ନେଇ ସଙ୍କେତ ଦେବା ପରେ ମନ୍ତ୍ରୀ ପଦକୁ ନେଇ ଅନୁଗୁଳରେ ଅଙ୍କ କଷା ଆରମ୍ଭ ହୋଇଛି।
ଗତ ୧୧ବର୍ଷ ହେଲା ମନ୍ତ୍ରୀ ମୁହଁ ଦେଖି ନଥିବା ଅନୁଗୁଳ ଏଥର ହକ୍ ପାଇବ ବୋଲି ଆଶା ରଖିଛନ୍ତି ଜିଲ୍ଲାବାସୀ। ଏପଟେ କିଏ ମନ୍ତ୍ରୀ ହେବ ତାକୁ ନେଇ ବି ଅଙ୍କ କଷା ଆରମ୍ଭ ହୋଇଗଲାଣି। ଅନୁଗୁଳ ବିଜେଡି ର ଗଡ଼ ରହିଥିଲା ବେଳେ ଗତ ବିଧାନସଭା ନିର୍ବାଚନରେ ବିଜେପି ଏହାକୁ ଭାଙ୍ଗିବାରେ ସଫଳ ହୋଇଥିଲା। ଅନୁଗୁଳରେ ପ୍ରତାପଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ଅଗସ୍ତି ବେହେରା ଓ ପଲହଡ଼ାରେ ଅଶୋକ ମହାନ୍ତି ବିଜେପି ଟିକେଟରୁ କାହାକୁ ମନ୍ତ୍ରୀ ପଦ ମିଳିନଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ଅନୁଗୁଳ ଗ୍ରସ୍ତ ଓ ନେତାଙ୍କ ସହ ନିୟମିତ ବୈଠକରୁ ଏଥର ଜିଲ୍ଲାରୁ ଜଣଙ୍କ ମନ୍ତ୍ରୀ ପଦ ମିଳିବା ଆଲୋଚନାକୁ ଅଧିକ ବଳ ଯୋଗାଉଛି। ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅଧୀନରେ ରହିଥିବା ଛେଣ୍ଡିପଦା ବିଧାନସଭା ଆସନ ବିଜେପି ଜିତିଛି। ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ କିମ୍ବା ବିଧାୟକ ଅଶୋକ ମହାନ୍ତିଙ୍କ ଭିତରୁ ଜଣେ କେହି ମନ୍ତ୍ରୀ ହୋଇପାରନ୍ତି ବୋଲି ଆଗରୁ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା।
ଇତି ମଧ୍ୟର ଅଶୋକ ମହାନ୍ତିଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କରାଯାଇଥିବାରୁ ସେ ମନ୍ତ୍ରୀ ଦୌଡ଼ରୁ ବାଦ୍ ପଡ଼ିପାରନ୍ତି। ଏମିତି ହେଲେ ପ୍ରତାପ ଙ୍କ ସମ୍ଭାବନା ଅଧିକ। ପ୍ରଥମ ଥର ପାଇଁ ସେ ବିଧାୟକ ହୋଇଥିଲେ ମଧ୍ୟ ରାଜ୍ଯ ରାଜନୀତିରେ ତାଙ୍କ ପ୍ରଭାବ ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକାନ୍ତ ଅନୁଗତ ପ୍ରତାପ ଓଡିଶା କ୍ରିକେଟ ଆସୋସିଏନର ଆପେକ୍ସ କାଉନସିଲ୍ ସଦସ୍ୟ ଅଛନ୍ତି। ଏପଟେ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଜଣେ ମନ୍ତ୍ରୀ ଥିବା ବେଳେ ଏଥିରେ ଆଦଳବଦଳ ହେଲେ ଅଗସ୍ତି ବେହେରାଙ୍କୁ ସୁଯୋଗ ମିଳିପାରେ।
se ଅନୁସୂଚିତ ଜାତି ବର୍ଗରୁ ପ୍ରତିନିଧିତ୍ୱ କରୁଥିବାରୁ ଏବଂ ଚେଣ୍ଡିପଦା ଖଣି ଖଦାନ ପାଇଁ ଗୁରୁତ୍ବ ରଖୁଥିବାରୁ ଅଗସ୍ତି ବେହେରାଙ୍କୁ ମୋହନ ସରକାରରେ ପଦ ମିଳିବା ନେଇ ତାଙ୍କ ସମର୍ଥକ ବିଶ୍ୱାସ କହୁଛନ୍ତି
ଶେଷ ଥର ପାଇଁ ୨୦୧୨ରୁ ୨୦୨୪ ପର୍ଯ୍ୟନ୍ତ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମନ୍ତ୍ରୀ ହୋଇଥିଲେ।୨୦୧୯ ନିର୍ବାଚନ ପରେ ତାଙ୍କୁ ଉପବାଚସ୍ପତି କରାଯାଇଥିଲା।ସରକାର ବଦଳିବା ପରେ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ବଢ଼ିଥିଲେ ମଧ୍ଯ ପ୍ରଥମ ୨ବର୍ଷ ନିରାଶ ହେବାକୁ ପଡ଼ିଛି। ଏନେଇ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ କହିଛନ୍ତି, ଅନୁଗୁଳ ଶିଳ୍ପ ବହୁଳ ଜିଲ୍ଲା ହୋଇଥିବାରୁ ଏଠାରୁ ଜଣେ ମୁଖ୍ୟମନ୍ତ୍ରୀ ଙ୍କୁ ମନ୍ତ୍ରୀ କରିବା ପାଇଁ ଆମେ ଦାବି ଜଣାଉଛୁ। ମୁଖ୍ୟମନ୍ତ୍ରୀ ଏ ଦିଗରେ ବିଚାର କରି ଯୋଗ୍ୟ ବିଧାୟକ ଙ୍କୁ ମନ୍ତ୍ରୀ କରିବେ ବୋଲି ଆମର ଆଶା ଅଛି
