ବଦଳୁଛନ୍ତି କି ପ୍ରସନ୍ନ? ବଦଳିପାରେ ସମୀକରଣ!

ପ୍ରସନ୍ନଙ୍କ ନୀରବତା,ରାଜନୀତିରେ ଝଡ !
ନୀରବ ରହି ରାଗ ସୁଝାଇଲେ କି ପ୍ରସନ୍ନ !
ଆଗକୁ ସୃଷ୍ଟି ହେବ କି କିଛି ନୂଆ ସମିକରଣ !

ଦର୍ଶକବନ୍ଧୁ ସମ୍ବଲପୁରର କେନ୍ଦ୍ରୀୟ ବିଦ୍ୟାଳୟ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମର କିଛି ଘଟଣା କ୍ରମ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି। କାର୍ଯକ୍ରମର ମଞ୍ଚ ଉପରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ତାଙ୍କୁ ବିରୋଧ ପଛରେ ନବୀନ ପଟ୍ଟନାୟକଙ୍କ ହାତ ଥିବା କହି ସମାଲୋଚନା କରିଥିଲେ। କାର୍ଯ୍ୟକ୍ରମ ମଞ୍ଚରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ଥିବା ବେଳେ ତାଙ୍କର ଅନୁମତି ମାଗି ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ଯାହାକୁ ନେଇ ଏବେ ରାଜନୀତିକ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି। କାର୍ଯକ୍ରମ ପରଠୁ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଚାଲିଛି।

ଏବେ ସବୁଠୁ ବଡ ପ୍ରଶ୍ନ ହେଉଛି କି ଧର୍ମେନ୍ଦ୍ର ପ୍ରଧାନ ପ୍ରସନ୍ନଙ୍କ ଉପସ୍ଥିତିରେ ନବୀନଙ୍କୁ ସମାଲୋଚନା କରିଥିବା ବେଳେ କାହିଁକି ଚୁପ୍ ରହିଲେ ପ୍ରସନ୍ନ ଆଚାର୍ଯ୍ୟ। କହିବାର ସୁଯୋଗ ନଥିଲା ନା ଶାନ୍ତ ରହିବା ପଛର କାରଣ କଣ ? ଧର୍ମେନ୍ଦ୍ରଙ୍କ ଏଭଳି କଟାକ୍ଷ କୁ ତୁରନ୍ତ କାଉଣ୍ଟର କରିଥିଲେ ବିଜେଡି ନେତା ରୋହିତ ପୂଜାରୀ। କିନ୍ତୁ ପରେ ପରେ ମଞ୍ଚରେ ନୀରବ ଥିବା ପ୍ରସନ୍ନ ଧର୍ମେନ୍ଦ୍ରଙ୍କ ଏହି କଥା କୁ କାଉଣ୍ଟର କରିଥିଲେ । ପ୍ରସନ୍ନ କହିଥିଲେ କି ଦେଶରେ ଯେଉଁଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି ଏଠାରେ ତାହାର ପ୍ରତିଫଳନ ଦେଖିବାକୁ ମିଳିଲା। ନବୀନଙ୍କ ନିର୍ଦ୍ଦେଶରେ ତାଙ୍କୁ ବିରୋଧ କରାଯାଇଥିବା କଥା କହିବା ଠିକ୍ ନୁହେଁ ବୋଲି କହିଥିଲେ ପ୍ରସନ୍ନ ଆଚାର୍ଯ୍ୟ। କିନ୍ତୁ ଧର୍ମେନ୍ଦ୍ର କଥା କଥାରେ ସମାଲୋଚନା କରୁଥିବା ବେଳେ ସେଠାରେ ପ୍ରସନ୍ନ କୌଣସି ପ୍ରତିକ୍ରିୟା ନ ଦେଖାଇବା କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଛି।

କେବଳ ଏତିକି କଥା ନୁହେଁ କାର୍ଯକ୍ରମରେ ଆଉ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଲା ଯାହାକି ରାଜନୀତିକ ମହଲରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କ ଜନ୍ମ ଦିନ ଥିବାରୁ କେକ କାଟିଥିଲେ ଧର୍ମେନ୍ଦ୍ର ପ୍ରଧାନ। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ଉପସ୍ଥିତିରେ ଏଭଳି କାର୍ଯ୍ୟକ୍ରମ ହୋଇଥିଲା। ଏହା ବ୍ୟକ୍ତିଗତ କାର୍ଯ୍ୟକ୍ରମ ହୋଇଥିଲେ ବି ସ୍ଥାନ କାଳ କୁ ଦେଖିଲେ ଏହା ରାଜନୀତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। କାରଣ କିଛି ଦିନ ହେବ ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଭିମୁଖ୍ୟ କୁ ନେଇ ଅନେକ ବାର ଚର୍ଚ୍ଚା ହୋଇଛି। ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ନିକଟତର କୁହାଯାଉଥିବା ପ୍ରସନ୍ନ ଆଚାର୍ଯ୍ୟ ସୁଜାତା ରାଉତଙ୍କ ବିଜେଡ଼ିରେ ଯୋଗଦାନ ଦିନ ଅନୁପସ୍ଥିତ ଥିଲେ। ତାଙ୍କର ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ଯୋଗ ଦେଇପାରିନଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିବା ଦେଖିବାକୁ ମିଳିଥିଲା। ହୁଏତ ଏହା ପରେ ପରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ସୁଜାତା ରାଉତ କିଛି କାର୍ଯକ୍ରମରେ ସିଧାସଳଖ ଭେଟ ଘାଟ ହୋଇଥିବା ବେଳେ କଥାବାର୍ତ୍ତା ହେଉଥିବାର ବି ନଜିର ରହିଛି। ଏ ସବୁ ଭିତରେ ବି ପ୍ରସନ୍ନଙ୍କ କିଛି ଆଭିମୁଖ୍ୟ ଚର୍ଚ୍ଚାରେ ରହିଥିବା ବେଳେ ଏହି ଘଟଣା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଏବେ ଚର୍ଚ୍ଚା ହେଉଛି କି ଆଗକୁ କିଛି ନୂଆ ସମୀକରଣ ସୃଷ୍ଟି ହେବ କି ? ନା ଏହି ଘଟଣା କେବଳ ଏକ ରାଜନୀତିକ ଚର୍ଚ୍ଚା ।

Leave a Reply