ବଅଁରପାଳ: ବଅଁରପାଳ ବ୍ଲକ୍ ସାନ୍ତରାପୁର (କ) ପଞ୍ଚାୟତର ଦୁଧିଆବେଡ଼ା ଲିଇଂରା ନାଳ ଉପରେ ବ୍ରିଜ୍ ନିର୍ମାଣରେ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୨୪ ମସିହା ଫେବ୍ରୁଆରି ୨୨ ତାରିଖରେ ୮ କୋଟି ଟଙ୍କାର ବ୍ୟୟ ଅଟକଳରେ ଦୁଧିଆବେଡ଼ାରୁ ବଡ଼କେରେଜାଙ୍ଗକୁ ସଂଯୋଗ କରୁଥିବା ୧୨୨.୫୬ ମିଟର ରାସ୍ତା ବ୍ରିଜ୍ ନିର୍ମାଣ ଆରମ୍ଭ ହୋଇଥିଲା।
ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ୨୦୨୫ ମସିହା ଅଗଷ୍ଟ ୧୮ ତାରିଖ ସୁଦ୍ଧା ଶେଷ କରାଯିବା ପାଇଁ ଅବଧି ରହିଥିଲା। ହେଲେ ନିର୍ମାଣ ଶେଷ ଅବଧିକୁ ପ୍ରାୟ ୧୦ ମାସ ବିତିଯାଇଥିଲେ ମଧ୍ୟ ବ୍ରିଜ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ବର୍ଷାଦିନେ ଲିଇଂରା ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ନାଳର ଦୁଇ କୂଳରେ ମାଟି ଧସିବାକୁ ଲାଗିଛି। ଫଳରେ ନିର୍ମାଣାଧୀନ ବ୍ରିଜ୍ ନିକଟରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଦୁଧିଆବେଡ଼ା ଓ ବଡ଼କେରେଜାଙ୍ଗ ମଧ୍ୟରେ ଏହି ରାସ୍ତା ଓ ବ୍ରିଜ୍ ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଥିବାରୁ ଏହାର ନିର୍ମାଣ ଶୀଘ୍ର ଶେଷ କରିବାକୁ ଦାବି ହେଉଛି।
ବଡ଼କେରେଜାଙ୍ଗ ଅଞ୍ଚଳରେ ସ୍କୁଲ, କଲେଜ, ଗ୍ରାମ୍ୟ ବ୍ୟାଙ୍କ ଆଦି ରହିଥିବାରୁ ପ୍ରତିଦିନ ଶହ ଶହ ଲୋକ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ କମ୍ପାନିରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନେ ମଧ୍ୟ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ବ୍ରିଜ୍ ନିର୍ମାଣ ଅଧୁରା ରହିଥିବାରୁ ଲୋକମାନଙ୍କ ଯାତାୟାତରେ ସମସ୍ୟା ଦେଖାଦେଉଛି।
ବିଭାଗୀୟ ଯନ୍ତ୍ରୀ ହରିଶ ଚନ୍ଦ୍ର ଦେହୁରୀ କହିଛନ୍ତି ଯେ ବ୍ରିଜ୍ ନିର୍ମାଣ କାର୍ଯ୍ୟ ସରିଯାଇଛି। କେବଳ ମାଟି ପକାଯିବା ପରେ ଲୋକମାନେ ଯାତାୟାତ କରିପାରିବେ। ତେବେ ବ୍ରିଜ୍ର ଦୁଇ ମୁଣ୍ଡରେ ବ୍ୟକ୍ତିଗତ ଜମି ଥିବାରୁ ସେହି ଜାଗାକୁ କିଣି ରାସ୍ତା ତିଆରି କରାଯିବ। ଏଥିପାଇଁ ଆଉ କେତେଦିନ ସମୟ ଲାଗିବ, ତାହା ଏବେ ନିର୍ଦ୍ଦିଷ୍ଟ ଭାବେ କହିହେବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।
ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ସମୟରେ ଲିଇଂରା ନାଳର ପଟୁବାଲିରେ କାର୍ଯ୍ୟ ହେଉଥିଲା। ସେତେବେଳେ ଯନ୍ତ୍ରୀ ଓ ଏସ୍ଡିଓଙ୍କୁ କାର୍ଯ୍ୟ ତଦାରଖ ସମୟରେ ଦୁଧିଆବେଡ଼ା ଗ୍ରାମବାସୀ ମୌଖିକ ଭାବେ ଅଭିଯୋଗ କରିଥିଲେ। ତଥାପି ସେ ସମୟରେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
ବ୍ରିଜ୍ ନିର୍ମାଣ ବିଳମ୍ବ ଯୋଗୁଁ ଅଞ୍ଚଳବାସୀଙ୍କ ଦୈନନ୍ଦିନ ଯାତାୟାତ ପ୍ରଭାବିତ ହେଉଛି। ବର୍ଷା ସମୟରେ ନାଳରେ ପାଣି ବଢ଼ିଲେ ସମସ୍ୟା ଆହୁରି ଗୁରୁତର ହେବାର ଆଶଙ୍କା ରହିଛି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜମି ସମସ୍ୟାର ସମାଧାନ କରିବା ସହ ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସାଧାରଣରେ ଦାବି ହୋଇଛି।
