ବୈଷ୍ଣବଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ଆଇଟି ଓ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରର ବିକାଶକୁ ଆହୁରି ଗତି ଦେବା ପାଇଁ ସମ୍ବଲପୁରରେ C-DACଏକ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଦାବି ହୋଇଛି। ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏନେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି। ଏହା ସହିତ ସମ୍ବଲପୁରରେ ଥିବା Software Technology Parks of India (STPI) କେନ୍ଦ୍ରର ସମ୍ପ୍ରସାରଣ ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବ ଅନୁସାରେ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (GM University) ପରିସରରେ C-DACର ଏକ ଆଞ୍ଚଳିକ କେନ୍ଦ୍ର ସ୍ଥାପନ କରାଗଲେ ଏହି ଅଞ୍ଚଳର ଛାତ୍ରଛାତ୍ରୀ, ଗବେଷକ ଓ ଯୁବପିଢ଼ି ବିଶେଷ ଭାବେ ଉପକୃତ ହେବେ। C-DAC ଅର୍ଥାତ୍ Centre for Development of Advanced Computing ଉନ୍ନତ କମ୍ପ୍ୟୁଟିଂ ଓ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣା ଓ ବିକାଶ ସହ ଜଡ଼ିତ ଏକ ପ୍ରମୁଖ ସଂସ୍ଥା।

ପ୍ରଧାନ ତାଙ୍କ ଚିଠିରେ କହିଛନ୍ତି ଯେ ସମ୍ବଲପୁରରେ C-DAC କେନ୍ଦ୍ର ସ୍ଥାପନ ହେଲେ କୃତ୍ରିମ ବୁଦ୍ଧିମତ୍ତା (AI), ସାଇବର ସୁରକ୍ଷା, ଡାଟା ଆନାଲିଟିକ୍ସ କ୍ଲାଉଡ୍ ଇନ୍‌ଫ୍ରାଷ୍ଟ୍ରକ୍ଚର ଭଳି ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣାର ସୁଯୋଗ ବଢ଼ିବ। ଏହା ଦ୍ୱାରା ସ୍ଥାନୀୟ ଛାତ୍ର ଓ ଗବେଷକମାନେ ନିଜ ଅଞ୍ଚଳରେ ରହି ଉନ୍ନତ ପ୍ରଯୁକ୍ତି ଉପରେ କାମ କରିବାର ସୁଯୋଗ ପାଇପାରିବେ।

ଅନ୍ୟପକ୍ଷରେ, ସମ୍ବଲପୁରରେ ଥିବା STPI କେନ୍ଦ୍ରକୁ ବିସ୍ତାର କରିବା ପାଇଁ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଦାବି ରଖିଛନ୍ତି। ବିଶେଷକରି ସେମିକଣ୍ଡକ୍ଟର ଡିଜାଇନ୍, AI ସୂଚନା ପ୍ରଯୁକ୍ତି ଭଳି କ୍ଷେତ୍ରକୁ ଏହି ସମ୍ପ୍ରସାରଣରେ ପ୍ରାଥମିକତା ଦେବାକୁ ସେ ଅନୁରୋଧ କରିଛନ୍ତି। ଏଭଳି ପଦକ୍ଷେପ ନିଆଗଲେ ସମ୍ବଲପୁରରେ ଷ୍ଟାର୍ଟଅପ୍, ନୂଆ ଉଦ୍ଭାବନ ଓ ଦକ୍ଷତା ବିକାଶ ପାଇଁ ଏକ ମଜବୁତ ପରିବେଶ ସୃଷ୍ଟି ହୋଇପାରିବ।

ପ୍ରଯୁକ୍ତି କ୍ଷେତ୍ରର ଏଭଳି ବିକାଶ ଯୁବପିଢ଼ି ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନ ଆଶା ପ୍ରକାଶ କରିଛନ୍ତି। ସ୍ଥାନୀୟ ଯୁବକଯୁବତୀମାନେ IT ଓ ଆଧୁନିକ ପ୍ରଯୁକ୍ତିରେ ଦକ୍ଷତା ହାସଲ କରି ଦେଶ ତଥା ବିଦେଶରେ ଥିବା ନୂଆ ସୁଯୋଗକୁ ଉପଯୋଗ କରିପାରିବେ। ଏହା ସହିତ ସମ୍ବଲପୁର ଓ ପଶ୍ଚିମ ଓଡ଼ିଶାରେ ଟେକ୍ନୋଲୋଜି ଭିତ୍ତିକ ଉଦ୍ୟୋଗ ଗଢ଼ିଉଠିବାର ସମ୍ଭାବନା ମଧ୍ୟ ବଢ଼ିବ।

ସମ୍ବଲପୁରରେ C-DAC ଆଞ୍ଚଳିକ କେନ୍ଦ୍ର ଓ STPI ସମ୍ପ୍ରସାରଣ ହେଲେ ଅଞ୍ଚଳର ଡିଜିଟାଲ ଟେକ୍ନୋଲୋଜି ଇକୋସିଷ୍ଟମ୍ ଆହୁରି ସୁଦୃଢ଼ ହେବ। ଏହା ଓଡ଼ିଶାର ବଢ଼ୁଥିବା ପ୍ରଯୁକ୍ତି କ୍ଷେତ୍ରକୁ ନୂଆ ଦିଗ ଦେବା ସହ ଦେଶକୁ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ହବ୍‌ରେ ପରିଣତ କରିବାର ବ୍ୟାପକ ଲକ୍ଷ୍ୟରେ ମଧ୍ୟ ସହାୟକ ହୋଇପାରେ।

ବିଶେଷଜ୍ଞମାନଙ୍କ ମତରେ, ପଶ୍ଚିମ ଓଡ଼ିଶାରେ ଆଧୁନିକ ପ୍ରଯୁକ୍ତି ଭିତ୍ତିକ ଭିତ୍ତିଭୂମି ବଢ଼ିଲେ ଭୁବନେଶ୍ୱର-କଟକ ବାହାରେ ମଧ୍ୟ IT ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ ନୂଆ କେନ୍ଦ୍ର ବିକଶିତ ହୋଇପାରିବ। ତେଣୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଦାବି ଉପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଏବେ ଅପେକ୍ଷା କରାଯାଉଛି।

Leave a Reply