ବଅଁରପାଳ: ଗ୍ରାମବାସୀଙ୍କ ଜୀବନକୁ ଦୁର୍ବିଷହ କରୁଛି ବର୍ଷାଜଳ। ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଗଡ଼ସନ୍ତ୍ରୀ ଗ୍ରାମବାସୀ ସମସ୍ୟା ଭୋଗୁଛନ୍ତି। ବଅଁରପାଳ ବ୍ଲକ୍ ମୁଖ୍ୟ ରାସ୍ତାର ଗୋଟିଏ ପଟରେ ଗଡ଼ସନ୍ତ୍ରୀ ଗାଁ ରହିଥିବା ବେଳେ ଅନ୍ୟପଟେ ଚାଷଜମି ରହିଛି। ଗାଁର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି।
କିନ୍ତୁ ରାସ୍ତାର ସଠିକ୍ ସ୍ଥାନରେ କଲଭର୍ଟ ନ ହୋଇ ଗୋଟିଏ ଲେଖାଏଁ ନଳା ପୋଲ ହୋଇଥିବାରୁ ଜଳ ନିଷ୍କାସନ ହୋଇପାରୁନି। ଯଦ୍ଦ୍ୱାରା ଉଭୟ ଚାଷଜମି ଓ ଗାଁ ଭିତରକୁ ବର୍ଷାଜଳ ପ୍ରବେଶ କରୁଛି। ଲୋକେ ବର୍ଷାଦିନରେ ଜଳବନ୍ଦୀ ସମସ୍ୟା ଭୋଗୁଥିବା ବେଳେ ଚାଷଜମିରେ ପାଣି ଜମି ଫସଲ ନଷ୍ଟ ହେଉଛି। କେତେକ ଅସାମାଜିକ ବ୍ୟକ୍ତି ପାଉଁଶ ପକାଇ ରାସ୍ତାର ନଳାପୋଲକୁ ଇଟା କାନ୍ଥ ଦ୍ୱାରା ଆବଦ୍ଧ କରିଥିବାରୁ ଜଳ ନିଷ୍କାସନ ହୋଇପାରୁନଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ଗ୍ରାମବାସୀ ଏକଜୁଟ ହୋଇ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବ୍ଲକ୍ ସଭାଗୃହରେ ଜିଲ୍ଲାପାଳ ଅବଦଲ୍ ମହମ୍ମଦ ସାହ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି।
ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ, ଜନପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଜନଶୁଣାଣି ଶିବିରରେ ସମୁଦାୟ ୨୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୧ଟି ବ୍ୟକ୍ତିଗତ ଓ ୬ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗ ଶୁଣାଣି ହୋଇଥିଲା। ତେବେ ୩ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା।
ଜଣଙ୍କୁ ରେଡ୍କ୍ରସ୍ ପାଣ୍ଠିରୁ ହଜାର ଟଙ୍କା ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ମଦିନନ୍ ମୋହନ ପ୍ରଧାନ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବମୟ ପ୍ରଧାନ, ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରସନ୍ନ କୁମାର ଦାସ, ବଅଁରପାଳ ତହସିଲଦାର ସୁଶାନ୍ତ କୁମାର ମିଶ୍ର, ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋଚନ ଦାସ, ଆସିଷ୍ଟାଣ୍ଟ କଲେକ୍ଟର ସଞ୍ଜୟ କୁମାର ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦ, ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲୀପ କୁମାର ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀ, ଉପନିର୍ଦ୍ଦେଶକ ଉଦ୍ୟାନ ଅମ୍ବର ଲୁଗୁନ୍, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସତ୍ୟ ନାରାୟଣ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
