ନନ୍ଦନକାନନରେ ଓରାଙ୍ଗଉଟାନ୍ ଶିଶୁଙ୍କ ଯତ୍ନ ପାଇଁ ୫ ଜଣିଆ ବୈଷୟିକ କମିଟି

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଜଙ୍ଗଲରୁ ଉଦ୍ଧାର ହୋଇ ନନ୍ଦନକାନନ ଜୁଲୋଜିକାଲ ପାର୍କରେ ରଖାଯାଇଥିବା ୫ଟି ଓରାଙ୍ଗଉଟାନ୍ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ଯତ୍ନକୁ ନେଇ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଦୁର୍ଲଭ ପ୍ରାଣୀ ଶିଶୁମାନଙ୍କର ଉପଯୁକ୍ତ ଯତ୍ନ, ସ୍ୱାସ୍ଥ୍ୟ ନିରୀକ୍ଷଣ ଓ ପରିଚର୍ଯ୍ୟା ପାଇଁ ସରକାର ୫ ଜଣିଆ ବୈଷୟିକ କମିଟି ଗଠନ କରିଛନ୍ତି।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଏକ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଏହି ୫ଟି ଓରାଙ୍ଗଉଟାନ୍ ଶିଶୁଙ୍କୁ ଗତ ମଙ୍ଗଳବାର ନନ୍ଦନକାନନକୁ ଅଣାଯାଇଥିଲା। ଏମାନଙ୍କ ବୟସ ଏକ ବର୍ଷରୁ କମ୍ ହୋଇଥିବାରୁ ବିଶେଷ ଯତ୍ନ ଓ ନିରନ୍ତର ନଜରଦାରିର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ବନ୍ୟଜନ୍ତୁ ବିଭାଗ ପକ୍ଷରୁ ଏହି କମିଟି ଗଠନ କରାଯାଇଛି।

ରାଜ୍ୟ ବନ୍ୟଜନ୍ତୁ ମୁଖ୍ୟାଳୟ ପକ୍ଷରୁ ଜାରି ନୋଟିଫିକେସନ୍ ଅନୁସାରେ, କମିଟିରେ ମହୀଶୂରସ୍ଥିତ ଶ୍ରୀ ଚାମରାଜେନ୍ଦ୍ର ଜୁଲୋଜିକାଲ ଗାର୍ଡେନ୍ସର ଜଣେ ଭେଟେରିନାରୀ ଅଧିକାରୀ, ଦେହରାଦୁନ୍‌ସ୍ଥିତ ୱାଇଲ୍ଡଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (WII)ର ନିର୍ଦ୍ଦେଶକଙ୍କ ଜଣେ ପ୍ରତିନିଧି, ଓଡ଼ିଶା ୟୁନିଭର୍ସିଟି ଅଫ୍ ଆଗ୍ରିକଲଚର୍ ଆଣ୍ଡ ଟେକ୍ନୋଲୋଜି (OUAT)ର ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲ୍ଥର ପ୍ରୋଜେକ୍ଟ କୋଅର୍ଡିନେଟର, ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଜୁଲୋଜିକାଲ ପାର୍କର ଜଣେ ଭେଟେରିନାରୀ ଅଧିକାରୀ ଏବଂ ନନ୍ଦନକାନନ ଜୁଲୋଜିକାଲ ପାର୍କର ନିର୍ଦ୍ଦେଶକ ରହିଛନ୍ତି।

ରାଜ୍ୟର PCCF (Wildlife) ତଥା ଚିଫ୍ ୱାଇଲ୍ଡଲାଇଫ୍ ୱାର୍ଡେନ୍ ପ୍ରେମ କୁମାର ଝାଙ୍କ କହିବା ଅନୁସାରେ, ଏହି କମିଟିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓରାଙ୍ଗଉଟାନ୍ ଶିଶୁମାନଙ୍କୁ ନନ୍ଦନକାନନର ‘ସେଣ୍ଟର ଫର୍ ରିଅରିଂ ଅଫ୍ ଆନିମଲ ବେବିଜ୍’ରେ ଆଇନ ଅନୁଯାୟୀ ରଖିବା ଓ ଉପଯୁକ୍ତ ଯତ୍ନ ନିଶ୍ଚିତ କରିବା। ବିଶେଷକରି ୱାଇଲ୍ଡଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ, ୧୯୭୨ର ବ୍ୟବସ୍ଥା ଅନୁସାରେ ସେମାନଙ୍କ ପରିଚର୍ଯ୍ୟା ହେଉଛି କି ନାହିଁ, କମିଟି ତାହା ଉପରେ ନଜର ରଖିବ।

କମିଟି ଓରାଙ୍ଗଉଟାନ୍ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ସମ୍ପର୍କିତ ବିଭିନ୍ନ ସମସ୍ୟାର ମୂଲ୍ୟାୟନ କରିବ। ଏଥିସହ ସେମାନଙ୍କ ଖାଦ୍ୟ, ତାପମାତ୍ରା, ଆବାସ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ନେଇ ଆବଶ୍ୟକ ପରାମର୍ଶ ଦେବ। ପ୍ରାଥମିକ ଭାବେ କମିଟିର କାର୍ଯ୍ୟକାଳ ୬ ମାସ ରହିବ। ଆବଶ୍ୟକତା ଅନୁଭବ ହେଲେ ଏହି ସମୟସୀମାକୁ ଆଗକୁ ବଢ଼ାଯାଇପାରିବ।

ଏହା ସହିତ ଦେଶ ଓ ବିଦେଶରେ ବନ୍ୟଜନ୍ତୁ ଯତ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତି କିମ୍ବା ସଂସ୍ଥାର ସହାୟତା ନେବାକୁ ମଧ୍ୟ କମିଟିକୁ ଅନୁମତି ଦିଆଯାଇଛି। ନନ୍ଦନକାନନ କର୍ତ୍ତୃପକ୍ଷ ଏବେଠାରୁ ମହୀଶୂର ଜୁ, ଭାନ୍ତାରା ଓ ଅନ୍ୟାନ୍ୟ ଚିଡ଼ିଆଖାନାର ବିଶେଷଜ୍ଞଙ୍କ ସହ ଯୋଗାଯୋଗରେ ରହିଛନ୍ତି।

ଓରାଙ୍ଗଉଟାନ୍ ଶିଶୁମାନଙ୍କ ଶରୀରର ତାପମାତ୍ରା ସମେତ ବିଭିନ୍ନ ସ୍ୱାସ୍ଥ୍ୟ ପାରାମିଟରକୁ ପ୍ରତିଦିନ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉଛି। ସେମାନଙ୍କ ପାଇଁ ହ୍ୟାଣ୍ଡ-ରିଅରିଂ ସେଣ୍ଟରରେ ସମସ୍ତ ଆବଶ୍ୟକ ବିଶେଷ ବ୍ୟବସ୍ଥା କରାଯାଇଥିବା ବନ୍ୟଜନ୍ତୁ ବିଭାଗ ପକ୍ଷରୁ କୁହାଯାଇଛି।

ଏହି ବୈଷୟିକ କମିଟି ଗଠନ ଦ୍ୱାରା ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ୍ ଶିଶୁଙ୍କ ସୁରକ୍ଷା ଓ ଉପଯୁକ୍ତ ପରିଚର୍ଯ୍ୟା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

Leave a Reply