ଭୁବନେଶ୍ୱର: ଓଡ଼ିଶାରେ ପୁଣିଥରେ ବଢ଼ିଛି ବର୍ଷାର ଆଶଙ୍କା। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଆସନ୍ତା ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ଭାରି ବର୍ଷା ହୋଇପାରେ। ସମ୍ଭାବ୍ୟ ବର୍ଷା ଓ ନଦୀ ଜଳସ୍ତର ବୃଦ୍ଧିକୁ ନଜରରେ ରଖି ଓଡ଼ିଶା ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ତେବେ ରାଜ୍ୟର ନିରୀକ୍ଷଣାଧୀନ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ଏବେ ସୁଦ୍ଧା ବିପଦସଙ୍କେତ ତଳେ ରହିଛି।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଉତ୍ତର-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଥିବା ଲଘୁଚାପ କ୍ରମେ ଅଧିକ ସକ୍ରିୟ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ କିଛି ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି।
ବିଶେଷକରି ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହା ସହିତ ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି ଓ ଗଞ୍ଜାମ ସମେତ ଅନ୍ୟ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ଏବଂ ଝଟକା ପବନର ଆଶଙ୍କା ରହିଛି। ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୩୦ରୁ ୪୦ କିଲୋମିଟର ରହିପାରେ।
ଅନ୍ୟପଟେ ଅଧିକ ବର୍ଷା ହେଲେ ନଦୀଗୁଡ଼ିକର ଜଳସ୍ତର ବଢ଼ିବା ଆଶଙ୍କା ଥିବାରୁ ସରକାର ଏବେଠାରୁ ନଜର ରଖିଛନ୍ତି। ଶନିବାର ସକାଳର ତଥ୍ୟ ଅନୁସାରେ, ନରାଜଠାରେ ମହାନଦୀର ଜଳସ୍ତର ୨୨.୯୧ ମିଟର, ପାଣପୋଷଠାରେ ବ୍ରାହ୍ମଣୀର ଜଳସ୍ତର ୧୭୨.୬୬ ମିଟର, ଆନନ୍ଦପୁରଠାରେ ବୈତରଣୀର ଜଳସ୍ତର ୩୪.୭୯ ମିଟର ଏବଂ ମଥାଣୀଠାରେ ଜଳକା ନଦୀର ଜଳସ୍ତର ୬.୪୬ ମିଟର ରହିଛି। ସମସ୍ତ ନଦୀର ଜଳସ୍ତର ବର୍ତ୍ତମାନ ବିପଦସଙ୍କେତଠାରୁ ତଳେ ରହିଛି।
ମାଲକାନଗିରିରେ ତେବେ ବର୍ଷାର ପ୍ରଭାବ ଅଧିକ ଦେଖାଯାଇଛି। ଗତ ୨୪ ଘଣ୍ଟାରେ ଚିତ୍ରକୋଣ୍ଡା ବ୍ଲକରେ ୧୯୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି। ଜିଲ୍ଲାର କେତେକ ସ୍ଥାନରେ ପୋଲ ଉପରେ ପାଣି ଚାଲୁଥିବାରୁ ଯାତାୟାତ ପ୍ରଭାବିତ ହୋଇଛି। ଏପରି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳଗୁଡ଼ିକୁ ସତର୍କ ରଖାଯାଇଛି।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପାଣିପାଗ ପରିସ୍ଥିତି, ବର୍ଷା ପରିମାଣ ଏବଂ ନଦୀ ଜଳସ୍ତର ଉପରେ ନିରନ୍ତର ନଜର ରହିଛି। ଆବଶ୍ୟକ ପ୍ରସ୍ତୁତି ଓ ଜରୁରୀକାଳୀନ ପଦକ୍ଷେପ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକ ସଜାଗ ଅଛନ୍ତି। ଜିଲ୍ଲା ପ୍ରଶାସନଗୁଡ଼ିକୁ ମଧ୍ୟ ସମ୍ଭାବ୍ୟ ଜଳବନ୍ଦୀ, ତଳିଆ ଅଞ୍ଚଳରେ ପାଣି ଜମିବା ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବା ଭଳି ସ୍ଥିତି ପାଇଁ ସତର୍କ ରହିବାକୁ କୁହାଯାଇଛି।
ଏହା ସହିତ ଉପକୂଳ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ସତର୍କ କରାଯାଇଛି। ଲୋକମାନଙ୍କୁ ଅଯଥା ଭୟଭୀତ ନହୋଇ ସରକାର ଓ ପାଣିପାଗ ବିଭାଗର ଅଧିକୃତ ସୂଚନା ଉପରେ ନଜର ରଖିବାକୁ ଅପିଲ କରାଯାଇଛି। ଭାରି ବର୍ଷା ସମୟରେ ନଦୀ, ନାଳ, ତଳିଆ ଅଞ୍ଚଳ ଓ ବିପଜ୍ଜନକ ସ୍ଥାନକୁ ଯିବାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
