କଣିହାଁ: ଚଳିତବର୍ଷ ବର୍ଷାର ଅନିୟମିତତା ଓ ବିଳମ୍ବିତ ବର୍ଷା ଯୋଗୁ କଣିହାଁ ବ୍ଲକ୍ରେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆବଶ୍ୟକ ସମୟରେ ବର୍ଷା ନହେବା ଏବଂ ପରେ ଲଗାଣ ବର୍ଷା ହେବା ଯୋଗୁ ଚାଷୀମାନେ ଚାଷକାମ ଠିକ୍ ସମୟରେ ଆରମ୍ଭ କରିପାରିନାହାନ୍ତି। ଫଳରେ ବ୍ଲକ୍ର ଅଧାରୁ ଅଧିକ ଚାଷଯୋଗ୍ୟ ଜମି ଏବେ ମଧ୍ୟ ପଡ଼ିଆ ପଡ଼ିଛି।
କଣିହାଁ ବ୍ଲକ୍ରେ ମୋଟ ୨୩ ହଜାର ୬୧୭ ହେକ୍ଟର ଚାଷଯୋଗ୍ୟ ଜମି ରହିଛି। ଚଳିତବର୍ଷ ଏପର୍ଯ୍ୟନ୍ତ ମାତ୍ର ୧୧ ହଜାର ୧୭୪ ହେକ୍ଟର ଜମିରେ ଚାଷ ହୋଇଛି। ସେଥିମଧ୍ୟରୁ ୫ ହଜାର ୪୭୪ ହେକ୍ଟର ଜମିରେ ଧାନବୁଣା ହୋଇଥିବା ବେଳେ ୫ ହଜାର ୭୦୦ ହେକ୍ଟରରେ ଧାନରୁଆ କାର୍ଯ୍ୟ ସମ୍ପନ୍ନ ହୋଇଛି। ମାତ୍ର ୨୩ ହେକ୍ଟର ଜମିରେ ଅନ୍ୟାନ୍ୟ ଫସଲ ଚାଷ କରାଯାଇଛି। ଏବେ ମଧ୍ୟ ୧୨ ହଜାର ୪୪୩ ହେକ୍ଟର ଚାଷଜମି ପଡ଼ିଆ ପଡ଼ିଥିବା କଣିହାଁ ବ୍ଲକ୍ କୃଷି ଅଧିକାରୀ ଅନ୍ନପୂର୍ଣ୍ଣା ବେହେରା ସୂଚନା ଦେଇଛନ୍ତି।
ଚଳିତବର୍ଷ ଜୁନ୍ ମାସରେ ଚାଷ ପାଇଁ ପ୍ରାୟ ୧୯୬ ମିଲିମିଟର ବର୍ଷାର ଆବଶ୍ୟକତା ଥିବା ବେଳେ ମାତ୍ର ୬୭ ମିଲିମିଟର ବର୍ଷା ହୋଇଥିଲା। ଫଳରେ ଚାଷୀମାନେ ଜମି ପ୍ରସ୍ତୁତ କରିବା ଓ ଧାନବୁଣା କାର୍ଯ୍ୟ ଆରମ୍ଭ କରିବାରେ ସମସ୍ୟାରେ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ଜୁଲାଇ ମାସରେ ପ୍ରବଳ ବର୍ଷା ହେବାରୁ ମଧ୍ୟ ଚାଷକାମ ବାଧାପ୍ରାପ୍ତ ହୋଇଥିଲା। ଅଗଷ୍ଟ ମାସରେ ମଧ୍ୟ ବର୍ଷା ହୋଇଥିଲେ ମଧ୍ୟ ଚାଷୀମାନେ ଏହାର ସଠିକ୍ ଲାଭ ନେଇପାରିନାହାନ୍ତି।
ବର୍ଷାର ଏଭଳି ଅନିୟମିତତା ଯୋଗୁ ଚାଷୀଙ୍କ ଖର୍ଚ୍ଚ ମଧ୍ୟ ବଢ଼ିଛି। ଠିକ୍ ସମୟରେ ବର୍ଷା ନହେଲେ ଜଳସେଚନ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହାସହ ବିହନ, ସାର, କୀଟନାଶକ ଓ ଶ୍ରମିକ ଖର୍ଚ୍ଚ ମଧ୍ୟ ବଢ଼ିଥିବାରୁ ଚାଷୀଙ୍କ ଆର୍ଥିକ ବୋଝ ବୃଦ୍ଧି ପାଇଛି। ଅନେକ ସମୟରେ ଆବଶ୍ୟକ ବିହନ ଓ ସାର ଠିକ୍ ସମୟରେ ମିଳୁନଥିବାରୁ ଚାଷୀମାନେ ବଜାରରୁ ଅଧିକ ଦରରେ କିଣିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ, ଚାଷକାମ ବିଳମ୍ବ ହେବାର ପ୍ରଭାବ ଧାନ ଅମଳ ଉପରେ ମଧ୍ୟ ପଡ଼ିପାରେ। ଧାନ ଅମଳ ସମୟ ବିଳମ୍ବିତ ହେଲେ ପରବର୍ତ୍ତୀ ଫସଲ ଚାଷରେ ମଧ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।
ଏହି ସମୟରେ ଚାଷୀଙ୍କ ପାଇଁ ଆଉ ଏକ ଚିନ୍ତାର କାରଣ ପାଲଟିଛି ଧାନ ବିକ୍ରି ପାଇଁ ପଞ୍ଜୀକରଣ। ପଞ୍ଜୀକରଣ କରିବା ପାଇଁ ବିଭିନ୍ନ ସେବା ସମବାୟ ସମିତିରେ ଚାଷୀମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଅଭିଯୋଗ ହୋଇଛି। ଜମିର ତଥ୍ୟ, ଚାଷ ହୋଇଥିବା ଅଞ୍ଚଳ, ବ୍ୟାଙ୍କ ଖାତା ଓ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଦାଖଲ କରିବାରେ ମଧ୍ୟ କେତେକ ଚାଷୀ ସମସ୍ୟାରେ ପଡ଼ୁଛନ୍ତି।
ଅନଲାଇନ୍ ପଞ୍ଜୀକରଣ ସମ୍ପର୍କରେ ସମସ୍ତ ଚାଷୀଙ୍କର ପର୍ଯ୍ୟାପ୍ତ ଜ୍ଞାନ ନଥିବାରୁ ସ୍ଥାନୀୟ ସ୍ତରରେ ସହାୟତା କେନ୍ଦ୍ର ଖୋଲିବା ସହ ସଚେତନତା ଶିବିର ଆୟୋଜନ କରିବାକୁ ଦାବି ହୋଇଛି। ବିଳମ୍ବିତ ବର୍ଷା ଯୋଗୁ ଆର୍ଥିକ ଚାପରେ ଥିବା ଚାଷୀଙ୍କୁ ଧାନ ବିକ୍ରି ସମୟରେ ଯେପରି କୌଣସି ସମସ୍ୟା ନହୁଏ, ସେଥିପାଇଁ ପ୍ରଶାସନ ଓ କୃଷି ବିଭାଗ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।
