ବିଜୟଙ୍କ ଦଶା ଭୋଗିବେନି ତ ଅରବିନ୍ଦ ?
ବିଜେଡି ଓ ବିଜେପିର ଟାର୍ଗେଟରେ ଅରବିନ୍ଦ ମାହାପାତ୍ର!
ଅରବିନ୍ଦଙ୍କ ପଛରେ ଦିଲ୍ଲୀପ,କିନ୍ତୁ ସହଜ ନୁହେଁ ଅରବିନ୍ଦଙ୍କ ରାସ୍ତା!
ଦର୍ଶକବନ୍ଧୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ରାଜନୀତି କୁ ଆସିବା ପରଠୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ପ୍ରଥମେ ବିଜେଡିରେ ଯୋଗଦେଇ ବିଜେଡି ଟିକେଟରୁ ଲଢ଼ିବା ,ପରବର୍ତ୍ତୀ ମୁହୂର୍ତ୍ତରେ ବିଧାନସଭାକୁ ନିର୍ବାଚିତ ହେବା ପରେ ବିଭିନ୍ନ ପ୍ରସଙ୍ଗରେ ଅଂଶ ଗ୍ରହଣ କରି ଚର୍ଚ୍ଚାରେ ଥିଲେ ଏହି ଯୁବ ବିଧାୟକ। କିନ୍ତୁ ଯେଉଁ ଆରୋପ ଲଗାଇ ବିଜେଡି ତାଙ୍କୁ ନିଲମ୍ବନ କଲା ତାହା ସମସ୍ତଙ୍କୁ ଚକିତ କରିଥିଲା। କିନ୍ତୁ ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ସହ ପରବର୍ତ୍ତୀ ମୁହୂର୍ତ୍ତରେ ବିଜୟ ମହାପାତ୍ରଙ୍କ କିଛି ବୟାନ ବିଜେଡିର ଅଭିଯୋଗ କୁ ସତ ସାବ୍ୟସ୍ତ କରିବା ପାଇଁ ଏକ ପ୍ରକାର ବଳ ଦେଇଥିଲା। ରାଜନୀତିକୁ ଏଣ୍ଟ୍ରି କରିବା ପରଠୁ ଅରବିନ୍ଦ ଚର୍ଚ୍ଚାରେ ରହିଥିବା ବେଳେ କିଛି ଦିନ ଗ୍ୟାପ ପାରେ ତାଙ୍କୁ ନେଇ ପୁନର୍ବାର ଚର୍ଚ୍ଚା ଆରମ୍ଭ ହୋଇଛି।
ଡେରାବିଶ ଘଟଣାରେ ଅରବିନ୍ଦ ମାହାପାତ୍ରଙ୍କ ବୟାନ ବେଶ ଚର୍ଚ୍ଚାକୁ ଆସିଛି। ବର୍ତ୍ତମାନ ଅରବିନ୍ଦ କେଉଁ ଦଳରେ ନଥିଲେ ବି ସ୍ଥାନୀୟ ବିଧାୟକ ଭାବେ ଯେଉଁ ଭଳି ଭାବେ ଷ୍ଟାଣ୍ଡ ନେଇଛନ୍ତି ତାକୁ ନେଇ କେହି କେହି ପ୍ରଶଂସା କରୁଥିବା ବେଳେ କେହି କେହି ନାପସନ୍ଦ ବି କରୁଛନ୍ତି। କିନ୍ତୁ ତାଙ୍କର ଏଭଳି ଆଭିମୁଖ୍ୟ କୁ ନେଇ ବିଜେଡି ଓ ବିଜେପି ଅରବିନ୍ଦଙ୍କୁ ଘେରାବନ୍ଦି କରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ପରେ ଅରବିନ୍ଦ ମହାପାତ୍ରଙ୍କ ରାଜନୀତିକ ଭବିଷ୍ୟତ କୁ ନେଇ ଅନେକ କିଛି ଆଲୋଚନା ଆରମ୍ଭ ହୋଇ ଯାଇଛି । ବର୍ତ୍ତମାନ ବିଜେଡି ଅରବିନ୍ଦ ମହାପାତ୍ରଙ୍କ ହାତ ଛାଡି ଦେଇଥିବା ବେଳେ ସ୍ଥାନୀୟ ବିଜେପି ନେତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଏହି ଯୁବ ବିଧାୟକ। ଆଗାମୀ ଦିନରେ ଯେ ଅରବିନ୍ଦଙ୍କ ରାସ୍ତା ଏତେ ସହଜ ନୁହେଁ ତାହା ସ୍ପଷ୍ଟ ଭାବେ ଅନୁମାନ କରାଯାଇ ପାରୁଛି।
ପୂର୍ବରୁ ବିଜେଡି ଅରବିନ୍ଦଙ୍କ ହାତ ଛାଡିଥିବା ବେଳେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପରେ ତାଙ୍କ ପାଇଁ ବିଜେଡି ରାସ୍ତା ଏକ ପ୍ରକାର ବନ୍ଦ ହୋଇ ଯାଇଥିବା ଚର୍ଚ୍ଚା ହେଉଛି। ବିଜେଡି ପ୍ରାର୍ଥୀଙ୍କ ବିରୋଧରେ କ୍ରସ ଭୋଟିଂ ପରେ ବିଜେପି ରାସ୍ତା ତାଙ୍କ ପାଇଁ ଖୋଲା ଥିଲେ ବି ଡେରାବିଶ ଘଟଣା ପରେ ସ୍ଥାନୀୟ ବିଜେପି ନେତାଙ୍କ ସହ ତାଙ୍କର ତିକ୍ତତା ବଢ଼ିଛି। ଏମିତିରେ ବି ପାଟକୁରା ରେ ବିଜେପିର ଆଶାୟୀଙ୍କ ସଂଖ୍ୟା ବଢ଼ିଛି। ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ତେଜେଶ୍ୱର ପରିଡ଼ା ନିଜର କ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ ଯୁବ ନେତା ଉମାକାନ୍ତ ପଟ୍ଟନାୟକ ବି ବେଶ୍ ସକ୍ରିୟ ହେଲେଣି। ଏସବୁ ଭିତରେ ଅରବିନ୍ଦଙ୍କ ପାଇଁ ବିଜେପି ରାସ୍ତା ଯେ ସହଜ ନୁହେଁ ତାହା ସ୍ପଷ୍ଟ ଦିଶୁଛି। ଅରବିନ୍ଦ ମହାପାତ୍ରଙ୍କ ପଛରେ ସାଂସଦ ଦିଲ୍ଲୀପ ରାୟ ଯେ ସବୁ ସମୟରେ ରହିଛନ୍ତି ତାହା ସମସ୍ତେ ଜାଣନ୍ତି। କିନ୍ତୁ ଏଭଳି ସ୍ଥିତିରେ ଅରବିନ୍ଦଙ୍କ ରାଜନୀତିକ ଭବିଷ୍ୟତ କୁ ନେଇ ଦିଲ୍ଲୀପ ରାୟଙ୍କ ପ୍ଲାନ ଉପରେ ବି ନଜର ରହିବ। ନିର୍ବାଚନ କୁ ଆହୁରି ଅଢ଼େଇ ବର୍ଷ ଥିଲେ ବି ସାମ୍ପ୍ରତିକ ରାଜନୀତିକ ସ୍ଥିତି ଅନେକ କିଛି ସନ୍ଦେଶ ଦେଉଛି। ଏଠି ପ୍ରଶ୍ନ ଶେଷ ମୁହୂର୍ତ୍ତରେ ବିଜୟ ମହାପାତ୍ରଙ୍କ ଟିକେଟ କାଟିବା ପରେ ୨୦୦୦ ମସିହା ପରଠୁ ଯେଭଳି ବିଜୟ ମହାପାତ୍ର ବିଧାନସଭା ମାଡ଼ି ପାରିନାହାନ୍ତି ସେଭଳି ପରିସ୍ଥିତିର ସାମ୍ନା କରିବେନି ତ ଅରବିନ୍ଦ। ବର୍ତ୍ତମାନ ଅରବିନ୍ଦଙ୍କ ସହ କୌଣସି ରାଜନୀତିକ ଦଳର ପାର୍ଟି ସିମ୍ବଲ ନଥିବାରୁ ତାଙ୍କର ରାଜନୀତିକ ଭବିଷ୍ୟତ କୁ। ଏଇ ରାଜନୀତିକ ମହଲରେ ଭିନ୍ନ ଭିନ୍ନ ଆଲୋଚନା ଚାଲିଛି। କିନ୍ତୁ ରାଜନୀତି ଯେ ସବୁବେଳେ ଅନିଶ୍ଚିତ ତାହା ସମସ୍ତେ ଜାଣନ୍ତି। ନିର୍ବାଚନ କୁ ଆହୁରି ଅଢ଼େଇ ବର୍ଷ ଭଳି ସମୟ ଥିବା ବେଳେ ସେତେବେଳେ ଅରବିନ୍ଦ କେଉଁ ଦଳରେ ଥିବେ କିମ୍ବା କିଛି ନୁଆ ସମୀକରଣ ସୃଷ୍ଟି ନ ହେବ ତାହା କହିବା ମୁସ୍କିଲ।
