ମୁଖ୍ୟମନ୍ତ୍ରୀଙ୍କ ନଜରରେ ସାଂସଦ:ଆରମ୍ଭ ହେଲା ,ହିସାବ କିତାବ ..

ସାଂସଦଙ୍କ କଥା ରଖିଲେ ମୋହନ !
ଦିଲ୍ଲୀରେ କଥା ଦେଇଥିଲେ ,ଏବେ ମିଟିଂ କଲେ !
ବିଧାୟକ ଉପସ୍ଥିତିରେ ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା !
ପଞ୍ଚାୟତ ପୁର୍ବରୁ ରିସ୍କ୍ ନେବାକୁ ଚାହୁଁ ନାହାନ୍ତି ମୁଖ୍ୟମନ୍ତ୍ରୀ।

ଦର୍ଶକବନ୍ଧୁ ଆଗକୁ ପଞ୍ଚାୟତ ନିର୍ବାଚନ। ଦଳର ସାଂଗଠନିକ ସ୍ଥିତି ଅଧିକ ମଜବୁତ କରିବା ନେଇ ବିଜେପି ତାର ଉଦ୍ୟମ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ଜିଲ୍ଲା ବୁଲିବା ବି ଆରମ୍ଭ କରି ଦେଇଛନ୍ତି। ଯେଉଁଠି ଦଳର ସ୍ଥିତି ଦୁର୍ବଳ ରହିଛି ସେ ସ୍ଥାନରେ ଅପରେସନ ଲୋଟସ ଜାରି ରଖିଛି ବିଜେପି। ଏପଟେ ବିଭିନ୍ନ ସଂସଦୀୟ କ୍ଷେତ୍ରର ସମସ୍ୟା ସମାଧାନ ନେଇ ସାଂସଦ ମାନଙ୍କ ସହ ଆଲୋଚନା ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମାନଙ୍କର ରିପୋର୍ଟ ସମୀକ୍ଷା କରିଥିବା ବେଳେ ଏବେ ସଂସଦୀୟ କ୍ଷେତ୍ର ୱାରୀ ସମୀକ୍ଷା ଆରମ୍ଭ କରିଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏଭଳି ଏକ୍ସରସାଇଜ ରାଜନୀତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।

ଗତ ବୁଧବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ସାକ୍ଷାତ କରିଥିବା ବେଳେ ସୋମବାର ଯାଜପୁର ଓ ମୟୂରଭଞ୍ଜ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ମାନଙ୍କ ଏହି ଭେଟ ଘାଟ ବେଳେ ସଂସଦୀୟ କ୍ଷେତ୍ରର ବିଧାୟକ ମାନେ ବି ଉପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି। ଆଗକୁ ବି ଅନ୍ୟ ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହୋଇପାରେ ବୋଲି ଶୁଣିବାକୁ ମିଳୁଛି। ସାଂସଦ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ମିଟିଂ ପଛର ଏକାଧିକ କାରଣ ରହିଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଚାଲିଛି।

ଦିଲ୍ଲୀ ଗସ୍ତ ସମୟରେ ଅନେକ ବାର ଦଳୀୟ ସାଂସଦଙ୍କ ସହ ଏକାଠି ଭେଟି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଶୁଣିବାକୁ ମିଳୁଛି କି ଏହି ସମୟରେ ସାଂସଦ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନେକ କିଛି ପ୍ରସଙ୍ଗରେ ଅବଗତ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ ସମସ୍ୟା ସହ ବିଭିନ୍ନ ବିକାଶ ମୂଳକ କାମରେ ରହୁଥିବା ବାଧା ନେଇ ବି ଜଣାଇଛନ୍ତି। ଏପରିକି କିଛି ଅଧିକାରୀ ମାନଙ୍କ ସହଯୋଗ ମିଳୁନଥିବା ନେଇ ବି ସାଂସଦ ମାନେ ଅବଗତ କରିଥିବା ଶୁଣିବାକୁ ମିଳେ। ଏହି ଭେଟ ଘାଟ ବେଳେ ଏହି ସବୁ ପ୍ରସଙ୍ଗରେ ଆଲୋଚନା ହୋଇଥିବା କୁହାଯାଉଛି। ଏହା ବାଦ କିଛି ବିଧାୟକ ମାନଙ୍କ ଉପସ୍ଥିତିରେ ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପଛର ବି ଅନେକ କାରଣ ରହିଥିବା କୁହାଯାଉଛି। ଏକାଧିକ ନିର୍ବାଚନ କ୍ଷେତ୍ରରେ ବିଭିନ୍ନ ପ୍ରସଙ୍ଗରେ ସାଂସଦ ଓ ବିଧାୟକ ମାନଙ୍କ ଭିତରେ ସହମତି ରହୁନଥିବା ଆଲୋଚନା ହୁଏ। ଯାହାକି ଆଗାମୀ ଦିନ ପାଇଁ ବି ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ପୂର୍ବରୁ ବିଜେପି ରାଜ୍ୟ ସଭାପତି ବିଭିନ୍ନ ସଂସଦୀୟ କ୍ଷେତ୍ର ନେତାଙ୍କ ସହ ଆଲୋଚନା ବେଳେ ଏ କଥା ବି ଆଲୋଚନା ହୋଇଥିବା ଶୁଣିବାକୁ ମିଳୁଛି। କିନ୍ତୁ ସରକାରୀ ସ୍ତରରେ ରହିଥିବା ଦ୍ଵନ୍ଦ ଦୂର କରିବାରେ ଏହି ମିଟିଂ ସହାୟକ ହେବ ବୋଲି କୁହାଯାଉଛି।

ଗୋଟେ ପଟେ ବିରୋଧୀ ମାଳ ମାଳ ପ୍ରସଙ୍ଗ ଧରି ସରକାରଙ୍କୁ ଘେରୁଥୁବା ବେଳେ ଏବେ ସଂସଦୀୟ କ୍ଷେତ୍ର ୱାରି ବୈଠକ ଚର୍ଚ୍ଚା ବଢ଼ାଇଛି।

Leave a Reply