ପାଲହହଡ଼ା: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଫେରିଥିବା ବେଳେ ଅନୁଗୁଳ ଜିଲ୍ଲାର ପଲ୍ଲହାରା ଅଞ୍ଚଳରେ ମଧ୍ୟ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ପଲ୍ଲହାରାର ଦୁଇଟି ପ୍ରମୁଖ କଲେଜରେ ନିର୍ବାଚନକୁ ନେଇ କ୍ୟାମ୍ପସ୍ରେ ଚଳଚଞ୍ଚଳତା ବଢ଼ିଥିବା ଦେଖାଯାଇଛି। ଛାତ୍ର ନେତାମାନେ ନିଜ ସମର୍ଥକଙ୍କ ସହ ଆଲୋଚନା କରିବା ସହ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ରାଜ୍ୟରେ ଶେଷ ଥର ପାଇଁ ୨୦୧୭ ମସିହାରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ଏହାପରେ ବିଭିନ୍ନ କାରଣରୁ ଦୀର୍ଘ ସମୟ ଧରି କ୍ୟାମ୍ପସ ନିର୍ବାଚନ ବନ୍ଦ ରହିଥିଲା। ଚଳିତ ବର୍ଷ ନିର୍ବାଚନ ପୁଣି ଆୟୋଜନ କରିବାକୁ ସରକାରଙ୍କ ନିଷ୍ପତ୍ତି ପରେ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ରାଜନୀତି ପୁଣି ସକ୍ରିୟ ହୋଇଛି।
ପଲ୍ଲହାରାର ଦୁଇ କଲେଜରେ ମଧ୍ୟ ଛାତ୍ରଛାତ୍ରୀମାନେ ନିର୍ବାଚନକୁ ନେଇ ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ନେଇ ଆଲୋଚନା କରୁଛନ୍ତି। କେଉଁ ପ୍ରାର୍ଥୀ କେଉଁ ପଦବୀ ପାଇଁ ମଇଦାନକୁ ଓହ୍ଲାଇବେ, କାହାର ସମର୍ଥନ ଅଧିକ ରହିଛି ଏବଂ କେଉଁ ପ୍ରାର୍ଥୀ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବେ—ଏହାକୁ ନେଇ କ୍ୟାମ୍ପସ୍ରେ ଚର୍ଚ୍ଚା ଜୋର ଧରିଛି।
ରାଜ୍ୟ ସରକାରଙ୍କ ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ଅକ୍ଟୋବର ୯ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ସେହିଦିନ ନାମାଙ୍କନପତ୍ର ଯାଞ୍ଚ ହେବ ଏବଂ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୧୦ରେ ନାମାଙ୍କନ ପ୍ରତ୍ୟାହାରର ସୁଯୋଗ ରହିବ ଏବଂ ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଅକ୍ଟୋବର ୧୪ରେ ‘Why I Stand For’ କାର୍ଯ୍ୟକ୍ରମ ଆୟୋଜିତ ହେବ। ଅକ୍ଟୋବର ୧୫ରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ ଏବଂ ସେହିଦିନ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ। ଅକ୍ଟୋବର ୧୬ରେ ନବନିର୍ବାଚିତ ଛାତ୍ର ନେତାମାନେ ଶପଥ ନେବେ।
ନିର୍ବାଚନକୁ ସ୍ୱଚ୍ଛ ଓ ଶୃଙ୍ଖଳିତ ରଖିବା ପାଇଁ ମଧ୍ୟ ନିୟମ କଡ଼ା କରାଯାଇଛି। ପ୍ରାର୍ଥୀମାନଙ୍କ ନିର୍ବାଚନୀ ଖର୍ଚ୍ଚ ସୀମିତ ରଖିବା ସହ କ୍ୟାମ୍ପସ୍ରେ ବାହ୍ୟ ରାଜନୈତିକ ହସ୍ତକ୍ଷେପକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ରହିଛି। ଛାତ୍ର ସଂସଦ ନିର୍ବାଚନର ମୁଖ୍ୟ ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ମନୋଭାବ, ନେତୃତ୍ୱ ଦକ୍ଷତା ଓ ଦାୟିତ୍ୱବୋଧ ବଢ଼ାଇବା ବୋଲି କୁହାଯାଇଛି।
ପଲ୍ଲହାରାର ଦୁଇ କଲେଜରେ ଏବେ ନିର୍ବାଚନୀ ପରିବେଶ ଧୀରେଧୀରେ ଉଷ୍ମ ହେବାରେ ଲାଗିଛି। ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ସମର୍ଥନ ହାସଲ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଛାତ୍ରମାନେ ମଧ୍ୟ ନିଜ ସମସ୍ୟା ଓ ଦାବିକୁ ନେଇ ଉପଯୁକ୍ତ ନେତୃତ୍ୱ ବାଛିବାକୁ ପ୍ରସ୍ତୁତ ହେଉଛନ୍ତି। ଦୀର୍ଘ ବର୍ଷ ପରେ କ୍ୟାମ୍ପସ୍ରେ ଭୋଟ ଦେବାର ସୁଯୋଗ ମିଳୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ବିଶେଷ ଉତ୍ସାହ ପ୍ରକାଶ ପାଇଛି।
ଆଗାମୀ ଦିନରେ ନାମାଙ୍କନ ଓ ପ୍ରଚାର ପର୍ବ ଆହୁରି ଜୋରଦାର ହେବା ସହ ପଲ୍ଲହାରାର ଏହି ଦୁଇ କଲେଜର ଛାତ୍ର ସଂସଦ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିବ।
