ପାଲଲହଡ଼ା- ସରକାରୀ ଲକ୍ଷ୍ମୀ ବସ ଚାଳକ, ସହକାରୀ ଏବଂ ଯାତ୍ରୀମାନଙ୍କୁ ଗାଳିଗୁଲଜ ସହ ଆକ୍ରମଣ ଏବଂ ଗାଡ଼ି ଭଙ୍ଗାରୁଜା କରିବା ଅଭିଯୋଗରେ ପାଲଲହଡ଼ା ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଗିରଫ ଅଭିଯୁକ୍ତମାନେ ହେଲେ ପରା ଗ୍ରାମର ବାଦଲ ଓରଫ ଚିତ୍ତରଞ୍ଜନ ନାଏକ (୨୧),ଜିତୁ ଓରଫ ଜିତେନ୍ଦ୍ର ନାଏକ (୨୫),ଦୀନବନ୍ଧୁ ନାଏକ (୩୦)। ସୂଚନା ଅନୁସାରେ ଗତ ୧୬.୦୬.୨୦୨୬ ରିଖ ମଧ୍ୟାହ୍ନ ପ୍ରାୟ ୧୨:୧୦ ସମୟରେ, OSRTC ‘ଲକ୍ଷ୍ମୀ’ (Laxmi) ବସ (ଗାଡ଼ି ନମ୍ବର: OD19Y0775) ପାଲଲହଡ଼ା ବସଷ୍ଟାଣ୍ଡରୁ ପବିତ୍ରପୁର ଗ୍ରାମ ଅଭିମୁଖେ ଯାଉଥିଲା। ଏହି ସମୟରେ ପରା ଗ୍ରାମର ଅନିଲ ନାଏକ, ମନୋଜ ସାହୁ, କାଳିଆ ସାହୁ, ଦୀନବନ୍ଧୁ ନାଏକ, ଜିତୁ ନାଏକ ଏବଂ ବାଦଲ ନାଏକ ଦୁଇଟି ମୋଟର ସାଇକେଲରେ ଆସି ବସ ଟିକୁ ଜବରଦସ୍ତ ଅଟକାଇଥିଲେ। ସେମାନେ ବସରେ ଥିବା କଣ୍ଡକ୍ଟର ଏବଂ ଯାତ୍ରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସେମାନଙ୍କୁ ଆକ୍ରମଣ କରିଥିଲେ। ଏକ ଲୁହା ଲଙ୍ଗଳ ସାହାଯ୍ୟରେ ବସର ସମ୍ମୁଖ କାଚ ଏବଂ ମୁଖ୍ୟ ଗେଟ୍ର କାଚକୁ ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର କରିଦେଇଥିଲେ ।
ଏ ନେଇ ବସ ଚାଳକ ବସନ୍ତ କୁମାର ବିଶ୍ୱାଳ (୩୩) ପାଲଲହଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପାଲଲହଡ଼ା ଥାନା ପୋଲିସ କେସ୍ ନମ୍ବର ୧୬୨/୨୦୨୬, ଧାରା 191(2)/191(3)/126(2)/296/115(2)/324(4)/190 BNS ଅନ୍ତର୍ଗତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଆଜି ଏହି ଘଟଣାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
