ବ୍ରହ୍ମପୁର: ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଜଣେ ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ନିଖୋଜ ହେବାର ୫ ଦିନ ପରେ ତାଙ୍କ ମୃତଦେହ ରେଢ଼ାଖୋଲ ନିକଟସ୍ଥ ଜଙ୍ଗଲରୁ ମିଳିଛି। ମୃତ ବ୍ୟବସାୟୀଙ୍କ ନାମ ବିରୁପାକ୍ଷ ଅଗ୍ରୱାଲ। ତାଙ୍କ ବୟସ ୩୧ ବର୍ଷ ବୋଲି ଜଣାପଡ଼ିଛି। ଏହି ହତ୍ୟା ଘଟଣାରେ ବୌଦ୍ଧ ପୋଲିସ ୩ ଜଣଙ୍କୁ ଗିରଫ କରିଥିବାବେଳେ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ସ୍ୱାଧୀନ ପ୍ରଧାନ ଏବେ ବି ଫେରାର ଅଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତ ନଭେମ୍ବର ୧୨ ତାରିଖରେ ବିରୁପାକ୍ଷ ଜଣେ ପରିଚିତ ବ୍ୟକ୍ତି ସ୍ୱାଧୀନ ପ୍ରଧାନଙ୍କ ସହ ମୋଟରସାଇକେଲରେ ବାହାରକୁ ଯାଇଥିଲେ। ସ୍ୱାଧୀନଙ୍କ ସହ ବିରୁପାକ୍ଷଙ୍କର ପୂର୍ବରୁ ବ୍ୟବସାୟିକ କାରବାର ରହିଥିଲା। ଏହି କାରବାର ସମୟରେ ସ୍ୱାଧୀନ ବ୍ୟବସାୟୀଙ୍କଠାରୁ ଟଙ୍କା ଋଣ ନେଇଥିବା ମଧ୍ୟ ଜଣାପଡ଼ିଛି। ତେବେ ୧୨ ତାରିଖରେ ଘରୁ ବାହାରିବା ପରେ ବିରୁପାକ୍ଷ ଆଉ ଫେରିନଥିଲେ।
ଏହାପରେ ନଭେମ୍ବର ୧୩ ତାରିଖରେ ବିରୁପାକ୍ଷଙ୍କ ଭାଇ ବୌଦ୍ଧ ଥାନାରେ ନିଖୋଜ ସମ୍ପର୍କିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ନିଖୋଜ ବ୍ୟବସାୟୀଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ତଲାସୀ କରାଯାଇଥିଲା। ଏଥିରେ ଡଗ୍ ସ୍କ୍ୱାଡ୍ ଓ ଡ୍ରୋନ୍ର ସହାୟତା ନିଆଯାଇଥିଲା। ପଡ଼ୋଶୀ ଜିଲ୍ଲାଗୁଡ଼ିକୁ ମଧ୍ୟ ବ୍ୟବସାୟୀଙ୍କ ସମ୍ପର୍କରେ ସୂଚନା ଦିଆଯାଇଥିଲା।
ଶେଷରେ ନଭେମ୍ବର ୧୭ ତାରିଖରେ ରେଢ଼ାଖୋଲ ନିକଟସ୍ଥ କଡ଼ାଲିଗଡ଼ ଜଙ୍ଗଲରୁ ବିରୁପାକ୍ଷଙ୍କ ମୃତଦେହ ମିଳିଥିଲା। ତାଙ୍କ ଗଳା କଟାଯାଇଥିବା ସହ ଶରୀରରେ ଆକ୍ରମଣର ଚିହ୍ନ ଥିବା ଜଣାପଡ଼ିଥିଲା। ଏହାପରେ ଘଟଣାଟି ହତ୍ୟାକାଣ୍ଡ ବୋଲି ସନ୍ଦେହ ଅଧିକ ଘନୀଭୂତ ହୋଇଥିଲା।
ବୌଦ୍ଧ ଏସ୍ପି କୁଲଦୀପ ମୀନାଙ୍କ ସୂଚନା ଅନୁଯାୟୀ, ତଦନ୍ତ ସମୟରେ ପୋଲିସ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏଥିରୁ ହତ୍ୟା ପଛରେ ସ୍ୱାଧୀନ ପ୍ରଧାନଙ୍କ ସମେତ ଅନ୍ୟ ତିନିଜଣଙ୍କ ଷଡ଼ଯନ୍ତ୍ର ଥିବା ତଥ୍ୟ ସାମ୍ନାକୁ ଆସିଥିଲା।
ଏହି ଘଟଣାରେ ଗିରଫ ହୋଇଥିବା ତିନିଜଣ ହେଲେ ପଦ୍ମନ ମହାନନ୍ଦିଆ (୨୧), ପ୍ରମୋଦ କହଁର (୨୫) ଏବଂ ଅବିନାଶ ସ୍ୱାଇଁ (୨୧)। ସେମାନେ ସମସ୍ତେ ବୌଦ୍ଧ ସଦର ଥାନା ଅନ୍ତର୍ଗତ ବନ୍ଧାପଥର ଗ୍ରାମର ବାସିନ୍ଦା।
ପୋଲିସର କହିବା ଅନୁଯାୟୀ, ବିରୁପାକ୍ଷଙ୍କୁ ହତ୍ୟା କରିବା ପାଇଁ ସ୍ୱାଧୀନ ପ୍ରଧାନ ଅନ୍ୟ ତିନିଜଣଙ୍କୁ ୨ ଲକ୍ଷ ୩୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଯୋଜନା ଅନୁସାରେ ନଭେମ୍ବର ୧୨ ତାରିଖରେ ଚାରିଜଣ ଅଭିଯୁକ୍ତ କଡ଼ାଲିଗଡ଼ ଜଙ୍ଗଲରେ ଏକାଠି ହୋଇ ବିରୁପାକ୍ଷଙ୍କ ଆସିବାକୁ ଅପେକ୍ଷା କରିଥିଲେ। ସେଠାରେ ପହଞ୍ଚିବା ପରେ କାଠ ନିର୍ମିତ ମେଢ଼ା ଭଳି ଜିନିଷରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିବା ପୋଲିସ କହିଛି।
ଘଟଣା ପରେ ଅଭିଯୁକ୍ତମାନେ ବୌଦ୍ଧ ଫେରି ଆସିଥିଲେ। ପୋଲିସ ଘଟଣାସ୍ଥଳ ଚିହ୍ନଟ କରିବା ସହ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।
ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସ୍ୱାଧୀନ ପ୍ରଧାନ ଏବେ ବି ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ପୋଲିସ ତଲାସୀ ଜାରି ରଖିଛି। ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି।
