ଆଜି ଘରେ ଘରେ ବିରାଜିବେ ବିଘ୍ନହର୍ତ୍ତା, ଜାଣନ୍ତୁ ସ୍ଥାପନର ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଗଣେଶ ଉତ୍ସବ। ଚଳିତ ବର୍ଷ ସେପ୍ଟେମ୍ବର ୧୪ ତାରିଖ, ସୋମବାର ଦିନ ଦେଶବ୍ୟାପୀ ଶ୍ରଦ୍ଧା ଓ ଭକ୍ତିର ସହ ଗଣେଶ ଚତୁର୍ଥୀ ପାଳନ କରାଯାଉଛି। ଏହି ଅବସରରେ ଘର, ପୂଜାମଣ୍ଡପ ଓ ବିଭିନ୍ନ ସ୍ଥାନରେ ବିଘ୍ନହର୍ତ୍ତା ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରାଯାଉଛି। ଧାର୍ମିକ ବିଶ୍ୱାସ ଅନୁସାରେ, ଗଣେଶଙ୍କ ଆରାଧନା କଲେ ଜୀବନରେ ଥିବା ବାଧାବିଘ୍ନ ଦୂର ହେବା ସହ ସୁଖ, ଶାନ୍ତି ଓ ସମୃଦ୍ଧି ମିଳିଥାଏ।

ବୈଦିକ ପଞ୍ଚାଙ୍ଗ ଅନୁସାରେ, ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ସେପ୍ଟେମ୍ବର ୧୪ ସକାଳ ୭ଟା ୬ ମିନିଟ୍‌ରୁ ଆରମ୍ଭ ହୋଇଛି। ଏହି ଚତୁର୍ଥୀ ତିଥି ସେପ୍ଟେମ୍ବର ୧୫ ତାରିଖ ସକାଳ ୭ଟା ୪୪ ମିନିଟ୍‌ରେ ଶେଷ ହେବ। ଉଦୟା ତିଥି ଓ ମଧ୍ୟାହ୍ନ କାଳର ସଂଯୋଗ ଯୋଗୁଁ ଗଣେଶ ସ୍ଥାପନ ପାଇଁ ଆଜିର ମଧ୍ୟାହ୍ନ ସମୟକୁ ଶୁଭ ବୋଲି ଧରାଯାଉଛି।

ଗଣପତି ସ୍ଥାପନର ଶୁଭ ମୁହୂର୍ତ୍ତ ହେଉଛି ସକାଳ ୧୧ଟା ୨ ମିନିଟ୍‌ରୁ ଦିନ ୧ଟା ୩୧ ମିନିଟ୍‌ ପର୍ଯ୍ୟନ୍ତ। ଏହି ସମୟ ମଧ୍ୟରେ ଭକ୍ତମାନେ ବିଧିବିଧାନ ଅନୁସାରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କରିପାରିବେ।

ଗଣେଶ ପୂଜା ପାଇଁ ପୂର୍ବରୁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖିବା ଉଚିତ। ପୂଜା ପାଇଁ ଏକ ସଫା ଚୌକି ସହ ଲାଲ କିମ୍ବା ହଳଦିଆ କପଡ଼ା, କଳସ, ଆମ୍ବ ପତ୍ର, ନଡ଼ିଆ, ରୋଲି, ମୌଳି, ଚନ୍ଦନ, ଅକ୍ଷତ, ଫୁଲ ଓ ଦୁର୍ବା ଘାସ ଆବଶ୍ୟକ ହୋଇଥାଏ। ଏହା ସହ ଧୂପ, ଅଗରବତୀ, ଘିଅ ଦୀପ, କର୍ପୂର, ମୋଦକ, ଲଡ଼ୁ ଓ ଋତୁ ଅନୁଯାୟୀ ଫଳ ମଧ୍ୟ ରଖାଯାଏ।

ପୂଜା ବିଧି: ପ୍ରଥମେ ପୂଜାସ୍ଥଳକୁ ଭଲ ଭାବେ ସଫା କରି ଚୌକି ଉପରେ ଲାଲ କିମ୍ବା ହଳଦିଆ କପଡ଼ା ବିଛାନ୍ତୁ। ଶୁଭ ମୁହୂର୍ତ୍ତରେ ‘ଓଁ ଗଂ ଗଣପତୟେ ନମଃ’ ମନ୍ତ୍ର ଉଚ୍ଚାରଣ କରି ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରାଯାଏ। ଏହାପରେ ଚାଉଳ ଉପରେ ଜଳଭରା କଳସ ରଖି ତା’ ଉପରେ ଆମ୍ବ ପତ୍ର ଓ ନଡ଼ିଆ ରଖାଯାଏ।

ପୂଜା ସମୟରେ ଗଣେଶଙ୍କୁ ରୋଲି, ଅକ୍ଷତ, ଚନ୍ଦନ ଓ ଫୁଲ ଅର୍ପଣ କରାଯାଏ। ବିଶେଷ କରି ଗଣେଶଙ୍କ ପ୍ରିୟ ଦୁର୍ବା ଘାସ ଅର୍ପଣ କରିବାର ପରମ୍ପରା ରହିଛି। ପୂଜାରେ ଅତି କମରେ ୨୧ ଗଣ୍ଠି ଦୁର୍ବା ଅର୍ପଣ କରିବାକୁ କୁହାଯାଇଛି। ଏହାପରେ ଗଣେଶଙ୍କୁ ମୋଦକ ଓ ଲଡ଼ୁ ଭୋଗ ଲଗାଇ ଧୂପ-ଦୀପ ଜାଳି ଆଳତି କରାଯାଏ।

ଗଣେଶ ଚତୁର୍ଥୀ ଅବସରରେ ଭକ୍ତମାନେ ନିଜ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ପାଇଁ ବିଘ୍ନହର୍ତ୍ତାଙ୍କ ନିକଟରେ ପ୍ରାର୍ଥନା କରନ୍ତି। ଶ୍ରଦ୍ଧା ଓ ଭକ୍ତିର ସହ ଗଣପତିଙ୍କୁ ପୂଜା କରି ଏହି ପବିତ୍ର ପର୍ବକୁ ପାଳନ କରୁଛନ୍ତି ଭକ୍ତମାନେ।

Leave a Reply