ଭୁବନେଶ୍ୱର: ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରକଳ୍ପ ନିର୍ମାଣ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପ୍ରକଳ୍ପକୁ ଚୂଡ଼ାନ୍ତ ପରିବେଶ ଅନୁମୋଦନ ପ୍ରଦାନ କରିଛି। ଏଥିସହିତ କୋଷ୍ଟାଲ ରେଗୁଲେସନ୍ ଜୋନ୍ (CRZ) ଅନୁମୋଦନ ମଧ୍ୟ ମିଳିଛି। ଫଳରେ ବର୍ଷ ବର୍ଷ ଧରି ଅପେକ୍ଷାରେ ଥିବା ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ନିର୍ମାଣ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିଛି।
ପ୍ରସ୍ତାବିତ ବିମାନବନ୍ଦର ପୁରୀ ଜିଲ୍ଲାର ସିପସରୁବାଲି ଅଞ୍ଚଳରେ ନିର୍ମାଣ କରାଯିବ। ପ୍ରାୟ ୪୭୧.୩୪୮ ହେକ୍ଟର ଜମିରେ ଏହି ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରକଳ୍ପ ହେବ। ଏହା ପୁରୀ-ବ୍ରହ୍ମଗିରି ରାସ୍ତା ନିକଟବର୍ତ୍ତୀ ସିପସରୁବାଲି ମୌଜା ଅଞ୍ଚଳରେ ପ୍ରସ୍ତାବିତ ହୋଇଛି। ଜିଲ୍ଲା ପ୍ରଶାସନ ଅନୁଯାୟୀ, ପରିବେଶ ଓ CRZ ସମ୍ବନ୍ଧୀୟ ମୁଖ୍ୟ ଅନୁମୋଦନ ମିଳିବା ପରେ ପ୍ରକଳ୍ପ ଆଗକୁ ବଢ଼ିବାର ରାସ୍ତା ଅଧିକ ସ୍ପଷ୍ଟ ହୋଇଛି।
ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ଯେ, ବିମାନବନ୍ଦର ପ୍ରକଳ୍ପ ସମ୍ପର୍କିତ ଜଙ୍ଗଲ ଜମି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଥିବା ସମସ୍ୟାଗୁଡ଼ିକର ସମାଧାନ ହୋଇଛି। ଏବେ ଆବଶ୍ୟକ ଅନୁମୋଦନ ଓ ଏନ୍ଓସି ପ୍ରକ୍ରିୟା ଶେଷ କରିବା ପରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI) ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ସହ ସମନ୍ୱୟ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ଏହି ପ୍ରକଳ୍ପ ପାଇଁ ପୂର୍ବରୁ ଜଙ୍ଗଲ ଜମି ସମ୍ପର୍କିତ ଷ୍ଟେଜ୍-୧ ଅନୁମୋଦନ ମଧ୍ୟ ମିଳିଥିଲା। ପ୍ରାୟ ୨୭.୮୮୭ ହେକ୍ଟର ଜଙ୍ଗଲ ଜମିକୁ ପ୍ରକଳ୍ପ ପାଇଁ ବ୍ୟବହାର କରିବା ନେଇ ଏହି ଅନୁମୋଦନ ଦିଆଯାଇଥିଲା। ତେବେ ଏହା ସହିତ ଅନେକ ପରିବେଶୀୟ ସର୍ତ୍ତ ରଖାଯାଇଥିଲା। ପ୍ରକଳ୍ପ ପ୍ରଭାବ ଆକଳନ ଏବଂ ବନ୍ୟଜନ୍ତୁ ପରିଚାଳନା ଯୋଜନା ଅନୁସାରେ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ରାଜ୍ୟକୁ କୁହାଯାଇଥିଲା।
ଏହାସହିତ ପ୍ରାୟ ୨୯.୯୩୯ ହେକ୍ଟର ଅଣଜଙ୍ଗଲ ଜମିରେ କ୍ଷତିପୂରକ ବନୀକରଣ କରିବା ସମେତ ୩୩ଟି ସର୍ତ୍ତ ପାଳନ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରିବେଶ ଓ ଜଙ୍ଗଲ ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥା ପାଳନ କରି ପ୍ରକଳ୍ପକୁ ଆଗେଇ ନିଆଯିବ।
ପ୍ରସ୍ତାବିତ ବିମାନବନ୍ଦରର ଆନୁମାନିକ ପ୍ରକଳ୍ପ ଖର୍ଚ୍ଚ ପ୍ରାୟ ୫,୬୩୧ କୋଟି ଟଙ୍କା ଏବଂ ଏହା ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ବର୍ଷକୁ ପ୍ରାୟ ୪୬ ଲକ୍ଷ ଯାତ୍ରୀଙ୍କୁ ସେବା ଦେବାର କ୍ଷମତା ରହିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ପୁରୀ ହେଉଛି ଦେଶର ଏକ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ। ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରତିବର୍ଷ ଦେଶ-ବିଦେଶରୁ ବହୁ ସଂଖ୍ୟକ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି। ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେଲେ ଯାତାୟାତ ବ୍ୟବସ୍ଥା ଆହୁରି ସହଜ ହେବା ସହ ପର୍ଯ୍ୟଟନ, ବ୍ୟବସାୟ ଓ ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ଲାଭ ମିଳିବ ବୋଲି ଆଶା କରାଯାଉଛି।
ଏବେ ପରିବେଶ ଓ CRZ ଅନୁମୋଦନ ମିଳିଥିବାରୁ ରାଜ୍ୟ ସରକାର AAI ସହ ଆବଶ୍ୟକ ପ୍ରକ୍ରିୟା ଆଗକୁ ବଢ଼ାଇବେ। ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (DPR) ପ୍ରସ୍ତୁତି ଓ ଅନ୍ୟାନ୍ୟ ଔପଚାରିକତା ପରେ ନିର୍ମାଣ କାମ ଆରମ୍ଭ ପାଇଁ ପଦକ୍ଷେପ ନିଆଯିବ। ଏହି ଅନୁମୋଦନ ପୁରୀ ବିମାନବନ୍ଦର ପ୍ରକଳ୍ପକୁ ବାସ୍ତବ ରୂପ ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ୍ ବୋଲି କୁହାଯାଉଛି।
