୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ରଣନୀତି

ଭୁବନେଶ୍ୱର: ୨୦୨୭ରେ ହେବାକୁ ଥିବା ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଏବେଠାରୁ ତା’ର ସାଂଗଠନିକ ଓ ରାଜନୈତିକ ପ୍ରସ୍ତୁତି ଆରମ୍ଭ କରିଛି। କଟକରେ ଆୟୋଜିତ ଦଳର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ସହ ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷର କାର୍ଯ୍ୟକାଳର ସମୀକ୍ଷା କରାଯାଉଛି।

କଟକ ଇନଡୋର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ବୈଠକ ବିଜେପି ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି। କାରଣ ୨୦୨୪ ଜୁନ୍‌ରେ ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ସରକାର ଗଠନ କରିବା ପରେ ଆଗାମୀ ପଞ୍ଚାୟତ ନିର୍ବାଚନ ଦଳର ଲୋକପ୍ରିୟତାର ପ୍ରଥମ ବଡ଼ ପରୀକ୍ଷା ହେବ। ବିଧାନସଭା ନିର୍ବାଚନରେ ମିଳିଥିବା ସଫଳତାକୁ ଗ୍ରାମାଞ୍ଚଳରେ ଦଳ କେତେଦୂର ସ୍ଥାୟୀ ସମର୍ଥନରେ ପରିଣତ କରିପାରିଛି, ପଞ୍ଚାୟତ ନିର୍ବାଚନ ତାହାର ଏକ ବଡ଼ ସୂଚକ ହେବ।

ବୈଠକରେ ମୋଟ ୧୦ଟି ମୁଖ୍ୟ ଏଜେଣ୍ଡା ଉପରେ ଆଲୋଚନା ହେଉଛି। ଏଥିରେ ରାଜ୍ୟର ରାଜନୈତିକ ପରିସ୍ଥିତି, ଦଳର ସାଂଗଠନିକ ସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର କାର୍ଯ୍ୟକାରିତା, ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ତୃଣମୂଳସ୍ତରରେ ଦଳର ସ୍ଥିତି ଆଦି ରହିଛି। ଏହି ଯୋଜନାଗୁଡ଼ିକର ପ୍ରକୃତ ପ୍ରଭାବ ଲୋକଙ୍କ ଉପରେ କେତେ ପଡ଼ିଛି, ତାହା ମଧ୍ୟ ଦଳ ଆକଳନ କରିବ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବୈଠକରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯିବ। ଯେଉଁଠାରେ କୌଣସି ଅଭାବ ରହିଛି, ସେଠାରେ ସୁଧାରମୂଳକ ପଦକ୍ଷେପ ନେବା ଉପରେ ଆଲୋଚନା ହେବ। ଏଥିସହ ଆଗାମୀ ନିର୍ବାଚନ ପାଇଁ ଦଳର ରଣନୀତି ଚୂଡ଼ାନ୍ତ କରାଯିବ।

ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଦଳର ଜାତୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମର ଏବଂ ସହପ୍ରଭାରୀ ଲତା ଉସେଣ୍ଡିଙ୍କ ସମେତ ପ୍ରାୟ ୪୦୦ ଜଣ ନେତା ଓ କାର୍ଯ୍ୟକର୍ତ୍ତା ଯୋଗଦେଇଛନ୍ତି।

ବୈଠକରେ ଗତ ଦୁଇ ବର୍ଷରେ ରାଜ୍ୟ ସରକାର ପୂରଣ କରିଥିବା ପ୍ରତିଶ୍ରୁତିଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହେଉଛି। ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ କେତୋଟି ପୂରଣ ହୋଇଛି ଏବଂ ଆଗକୁ କେଉଁ ପ୍ରତିଶ୍ରୁତିଗୁଡ଼ିକ ପୂରଣ କରାଯିବ, ସେନେଇ ଦଳ ନିଜସ୍ତରରେ ସମୀକ୍ଷା କରୁଛି। ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତିକୁ ନେଇ ଏକ ସ୍ୱତନ୍ତ୍ର ପ୍ରସ୍ତାବ ମଧ୍ୟ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ଆଗାମୀ ଦିନରେ ଦଳର ସବୁଠାରୁ ବଡ଼ ଫୋକସ୍ ରହିବ ଗ୍ରାମାଞ୍ଚଳ। ବିଧାନସଭା ନିର୍ବାଚନରେ ବିଜେପି ଯେଉଁ ରାଜନୈତିକ ସଫଳତା ହାସଲ କରିଛି, ତାହାକୁ ପଞ୍ଚାୟତ ସ୍ତରରେ ମଜବୁତ କରିବା ଦଳର ଲକ୍ଷ୍ୟ। ବୁଥ୍‌ସ୍ତରରେ ସଂଗଠନକୁ ଶକ୍ତିଶାଳୀ କରିବା, କର୍ମୀଙ୍କୁ ସକ୍ରିୟ କରିବା ଏବଂ ଲୋକଙ୍କ ସହ ନିରନ୍ତର ଯୋଗାଯୋଗ ରଖିବା ଉପରେ ଗୁରୁତ୍ୱ ଦିଆଯିବ।

ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନ ୨୦୨୭ ମାର୍ଚ୍ଚ-ଏପ୍ରିଲରେ ହେବାର ସମ୍ଭାବନା ରହିଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ, ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ମାର୍ଚ୍ଚ ୫ ପରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇପାରେ। ପ୍ରାୟ ୯୧ ହଜାର ବୁଥ୍‌ ଥିବାରୁ ନିର୍ବାଚନ ପାଞ୍ଚଟି ପର୍ଯ୍ୟାୟରେ କରାଯିବାର ସମ୍ଭାବନା ରହିଛି।

ଏହି ପରିପ୍ରେକ୍ଷୀରେ କଟକ ବୈଠକ ବିଜେପି ପାଇଁ ଆଗାମୀ ନିର୍ବାଚନର ଏକ ବଡ଼ ପ୍ରସ୍ତୁତି ଭାବେ ଦେଖାଯାଉଛି। ସରକାରର ଦୁଇ ବର୍ଷର କାର୍ଯ୍ୟକୁ ନେଇ ଲୋକଙ୍କ ମଧ୍ୟରେ କିପରି ପହଞ୍ଚିବା, ଦଳୀୟ ସଂଗଠନର ଦୁର୍ବଳତାକୁ କିପରି ଦୂର କରିବା ଏବଂ ଗ୍ରାମାଞ୍ଚଳରେ ସମର୍ଥନ ଆହୁରି ବଢ଼ାଇବା—ଏସବୁ ଉପରେ ଦଳର ଆଗାମୀ ରଣନୀତି ନିର୍ଭର କରିବ। ଏହି ପଞ୍ଚାୟତ ନିର୍ବାଚନ ଓଡ଼ିଶାରେ ବିଜେପି ସରକାରର ଲୋକପ୍ରିୟତା ଏବଂ ତୃଣମୂଳସ୍ତରର ସଂଗଠନର ପ୍ରକୃତ ଚିତ୍ର ସ୍ପଷ୍ଟ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Leave a Reply