ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଜିଲ୍ଲାର ସାଧାରଣ ଜୀବନ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇପଡ଼ିଛି। ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡି ସମେତ ଅନେକ ଗ୍ରାମାଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ଏକର ଚାଷଜମି ବନ୍ୟାଜଳରେ ବୁଡ଼ି ରହିଛି। ଫଳରେ ଧାନ ଫସଲ ସମେତ ବିଭିନ୍ନ କୃଷିଜାତ ଫସଲ ନଷ୍ଟ ହୋଇଛି। ଅନେକ ସ୍ଥାନରେ ରାସ୍ତା ଓ ପୋଲ ନଷ୍ଟ ହେବାରୁ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଠପ୍ ହୋଇଯାଇଛି।
ସୂଚନା ଅନୁସାରେ, ବାତ୍ୟା ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢ଼ିବା ସହ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିଲା। ବିଶେଷକରି ମୋହନା, କାଶୀନଗର, ଗୋଷାଣୀ ଓ ଆର୍. ଉଦୟଗିରି ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ଅନେକ ଗ୍ରାମକୁ ଯିବାଆସିବା ପାଇଁ ରାସ୍ତା ନଥିବାରୁ ଲୋକମାନେ ଅସୁବିଧାରେ ପଡ଼ିଛନ୍ତି।
ରାସ୍ତା ଓ ପୋଲ ନଷ୍ଟ, ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ବିଭିନ୍ନ ପାହାଡ଼ିଆ ରାସ୍ତାରେ ମାଟି, ପଥର ଓ ଗଛ ଭାଙ୍ଗି ପଡ଼ିଥିଲା। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଅନେକ ସ୍ଥାନରେ ଉଦ୍ଧାରକାରୀ ଦଳ ରାସ୍ତାରୁ ମାଟି ଓ ପଥର ହଟାଇଥିଲେ ମଧ୍ୟ ସବୁ ଅଞ୍ଚଳକୁ ଯୋଗାଯୋଗ ପୁନଃସ୍ଥାପନ ହୋଇପାରିନାହିଁ।
କୋଇନପୁରରୁ ଗଙ୍ଗାବାଡ଼ ଯାଉଥିବା ରାସ୍ତାର ମରାମତି କାମ ଚାଲିଛି। ସେହିପରି ବନ୍ୟାଜଳରେ ଧୋଇ ହୋଇଯାଇଥିବା ଲେଢ଼ାବନ୍ଧା ପୋଲର ମରାମତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ମୋହନା ବ୍ଲକର ଖାରିଗୁଡ଼ା ନିକଟରେ ଏକ କଲଭର୍ଟ ଭାସିଯିବାରୁ ଚାରୋଟି ଗାଁର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଖବର ମିଳିଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ କରିଛି।
ହଜାର ହଜାର ଏକର ଚାଷଜମି ନଷ୍ଟ
ବନ୍ୟାରେ କେବଳ ରାସ୍ତାଘାଟ ନୁହେଁ, ଚାଷଜମି ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ହଜାର ହଜାର ଏକର ଜମିରେ ଧାନ ଫସଲ ପାଣିରେ ବୁଡ଼ି ରହିଛି। ଅନ୍ୟାନ୍ୟ ଫସଲ ମଧ୍ୟ ନଷ୍ଟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ବର୍ଷସାରା ପରିଶ୍ରମ କରି ଚାଷ କରିଥିବା ଚାଷୀଙ୍କ ପାଇଁ ଏହି ବନ୍ୟା ଏକ ବଡ଼ ଆର୍ଥିକ ଝଟକା ହୋଇଛି।
୨୮୧ଟି ବାତ୍ୟା ଆଶ୍ରୟସ୍ଥଳୀରେ ହଜାର ହଜାର ଲୋକ
ବାତ୍ୟା ଓ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲା। ମୋଟ ୨୮୧ଟି ବାତ୍ୟା ଆଶ୍ରୟସ୍ଥଳୀରେ ୨୦ ହଜାରରୁ ଅଧିକ ଲୋକଙ୍କୁ ରଖାଯାଇଥିଲା। ଶୁକ୍ରବାର ପାଗରେ ସୁଧାର ଆସିଥିଲେ ମଧ୍ୟ ପ୍ରାୟ ୧୮ ହଜାର ଲୋକ ଆଶ୍ରୟସ୍ଥଳୀରେ ରହିଥିଲେ। ସେଠାରେ ଲୋକଙ୍କୁ ଖାଦ୍ୟ, ପିଇବା ପାଣି, ଔଷଧ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଉଛି।
ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ମନ୍ତ୍ରୀ
ପରିସ୍ଥିତିର ଗମ୍ଭୀରତାକୁ ଦେଖି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗତ ଚାରିଦିନ ଧରି ଗଜପତି ଜିଲ୍ଲାରେ ରହି ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ଜିଲ୍ଲା ନୋଡାଲ ଅଧିକାରୀ ବିଜୟ କୁମାର ଦାସ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମନ୍ୱୟ କରୁଛନ୍ତି।
ଏନ୍ଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ରାସ୍ତାରୁ ଗଛ, ମାଟି ଓ ପଥର ହଟାଇବା ସହ ପ୍ରଭାବିତ ଲୋକଙ୍କୁ ସହାୟତା କରୁଛନ୍ତି।
ତେବେ ବାତ୍ୟା ଅର୍ଣ୍ଣବର ପ୍ରଭାବ କମିଥିଲେ ମଧ୍ୟ ଗଜପତି ଜିଲ୍ଲାରେ ଜୀବନଯାତ୍ରା ସ୍ୱାଭାବିକ ହେବାକୁ ଆହୁରି ସମୟ ଲାଗିବ। ରାସ୍ତାଘାଟ, ପୋଲ, ବିଦ୍ୟୁତ୍ ବ୍ୟବସ୍ଥା ଓ ଚାଷଜମିର କ୍ଷୟକ୍ଷତି ଭରଣା କରିବା ପ୍ରଶାସନ ପାଇଁ ଏବେ ବଡ଼ ଆହ୍ୱାନ ପାଲଟିଛି।
