ଅନୁଗୋଳ ସହରରେ ବିକ୍ରି ହେଉଥିଲା ବାସୀ ଖାଦ୍ୟ, ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ

ଅନୁଗୋଳ: ଅନୁଗୋଳ ସହରର ବିଭିନ୍ନ ଅଞ୍ଚଳରେ ବାସୀ ଓ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସହରର ବିଭିନ୍ନ ଫାଷ୍ଟଫୁଡ୍ ଓ ଜଳଖିଆ ଦୋକାନରେ ଯାଞ୍ଚ କରାଯାଇ ବହୁ ପରିମାଣରେ ଅସ୍ୱାସ୍ଥ୍ୟକର ଖାଦ୍ୟ ନଷ୍ଟ କରାଯାଇଛି। ଏଥିସହିତ ନିୟମ ଉଲ୍ଲଂଘନ କରୁଥିବା ଦୋକାନୀଙ୍କଠାରୁ ଜରିମାନା ମଧ୍ୟ ଆଦାୟ ହୋଇଛି।

ସୂଚନା ଅନୁସାରେ, ଅନୁଗୋଳ ସହରର ଗଳିକନ୍ଦିରେ ଏବେ ଅନେକ ଫାଷ୍ଟଫୁଡ୍ ଓ ଜଳଖିଆ ଦୋକାନ ଖୋଲିଛି। ବିଶେଷକରି ସନ୍ଧ୍ୟା ସମୟରେ ଏହି ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଜମୁଛି। ତେବେ ଏହି ଭିଡ଼ର ସୁଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ ବାସୀ ଓ ନିମ୍ନମାନର ଖାଦ୍ୟକୁ ଗରମ କରି ଗ୍ରାହକଙ୍କୁ ପରଷୁଥିବା ଅଭିଯୋଗ ରହିଥିଲା।

ଏହାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ବିଭାଗର ଏକ ଟିମ୍ ସହରର ବିଭିନ୍ନ ଅଞ୍ଚଳରେ ଅଚାନକ ଚଢ଼ାଉ କରିଥିଲା। ଖାଦ୍ୟ ନିରାପତ୍ତା ଅଧିକାରିଣୀ ହରପ୍ରିୟା ବେହେରାଙ୍କ ନେତୃତ୍ୱରେ ଟିମ୍ ବିଭିନ୍ନ ଦୋକାନରେ ଖାଦ୍ୟର ମାନ ଓ ଗୁଣବତ୍ତା ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କେତେକ ଦୋକାନରେ ଖାଦ୍ୟ ପ୍ରସ୍ତୁତିରେ ପୋଡ଼ା ତେଲ ବ୍ୟବହାର ହେଉଥିବା ଜଣାପଡ଼ିଥିଲା।

ଅମଲାପଡ଼ା ଅଞ୍ଚଳରେ ଚଢ଼ାଉ ବେଳେ ପୋଡ଼ା ତେଲରେ ଫାଷ୍ଟଫୁଡ୍ ପ୍ରସ୍ତୁତ ହେଉଥିବା ଧରାପଡ଼ିଥିଲା। ସେହିପରି ଶୈଳଶ୍ରୀକ୍ଷେତ୍ର ନିକଟସ୍ଥ ଖାଓଗଳିରେ ଯାଞ୍ଚ ସମୟରେ ଚିକେନ୍ ପକୋଡ଼ା, ଲଙ୍କା ଚପ୍, କୋବି ପକୋଡ଼ା ସମେତ ଅନ୍ୟାନ୍ୟ ଫାଷ୍ଟଫୁଡ୍ ଖାଇବା ଉପଯୋଗୀ ନଥିବା ଜଣାପଡ଼ିଥିଲା। ଏହି ଖାଦ୍ୟଗୁଡ଼ିକୁ ନଷ୍ଟ କରାଯାଇଥିଲା। ମହିଳା ମହାବିଦ୍ୟାଳୟ ନିକଟସ୍ଥ ଏକ ଦୋକାନରୁ ମଧ୍ୟ ବାସୀ କେକ୍ ଜବତ କରି ନଷ୍ଟ କରାଯାଇଥିଲା।

ବିଭାଗ ପକ୍ଷରୁ ମୋଟ ୨୦ଟି ଦୋକାନରେ ଯାଞ୍ଚ କରାଯାଇଥିବା ବେଳେ ପ୍ରାୟ ୧୫ କେଜିରୁ ଅଧିକ ଖାଦ୍ୟ ନଷ୍ଟ କରାଯାଇଛି। ଏହା ସହିତ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବା ୧୪ ଜଣ ଦୋକାନୀଙ୍କଠାରୁ ମୋଟ ୧୮ ହଜାର ୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

ବାସୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ। ବିଶେଷକରି ଖୋଲାରେ ରଖାଯାଇଥିବା ଖାଦ୍ୟରେ ଧୂଳି, ମଇଳା ଓ ଜୀବାଣୁ ମିଶିବାର ଆଶଙ୍କା ରହିଥାଏ। ତେଣୁ ଗ୍ରାହକମାନେ ଖାଦ୍ୟ କିଣିବା ସମୟରେ ତାହାର ତାଜାପଣ ଓ ପରିଷ୍କାରତା ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଅନୁଗୋଳ ସହରରେ ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ବ୍ୟବସାୟୀମାନେ ମଧ୍ୟ ଲାଭ ଅପେକ୍ଷା ଗ୍ରାହକଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟର ଗୁଣବତ୍ତାକୁ ଗୁରୁତ୍ୱ ଦେବା ଉଚିତ। ଖାଦ୍ୟ ସୁରକ୍ଷା ବିଭାଗର ଏହି ଅଭିଯାନ ଫଳରେ ସହରରେ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ ଅଙ୍କୁଶ ଲାଗିବା ସହ ଲୋକଙ୍କ ମଧ୍ୟରେ ଖାଦ୍ୟ ସୁରକ୍ଷା ନେଇ ସଚେତନତା ବଢ଼ିବ ବୋଲି ଆଶା କରାଯାଉଛି।

Leave a Reply