ଦୁର୍ଦ୍ଦଶାରେ ରାଇପାଳ ଗାଁର ୧୦୦ ଜୁଆଙ୍ଗ ପରିବାର

ପାଳଲହଡ଼ା ବ୍ଲକ୍‌ ଝାରବେଡ଼ା ପଞ୍ଚାୟତ ଅନ୍ତର୍ଗତ ରାଇପାଳ ଗାଁର ଜୁଆଙ୍ଗ ସାହିରେ ପ୍ରାୟ ୧୦୦ ଜୁଆଙ୍ଗ ପରିବାର ବସବାସ କରୁଛନ୍ତି। ଦୀର୍ଘଦିନ ଧରି ଏହି ଗାଁର ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି। ବିଶେଷକରି ବର୍ଷା ଦିନ ଆସିଲେ ଗ୍ରାମବାସୀଙ୍କ ସମସ୍ୟା ଆହୁରି ବଢ଼ିଯାଉଛି। ଲଗାଣ ବର୍ଷା ଯୋଗୁଁ ମୁଖ୍ୟ ରାସ୍ତାରୁ ଗାଁକୁ ଯାଇଥିବା ମାଟି ରାସ୍ତା ଅନେକ ସ୍ଥାନରେ ଧୋଇଯାଇଛି। କେତେକ ସ୍ଥାନରେ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଗାଁକୁ ଯାତାୟାତ ଠପ୍‌ ହୋଇଯାଇଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପ୍ରତିବର୍ଷ ରାସ୍ତାରେ ମାଟି ପକାଇବା ଓ ମରାମତି ନାମରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଗାଁକୁ ଏକ ପକ୍କା ରାସ୍ତା ନିର୍ମାଣ ହୋଇପାରିନାହିଁ। ବର୍ଷା ହେଲେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ୁଛି। ଫଳରେ ଜରୁରୀ ସମୟରେ ଆମ୍ବୁଲାନ୍ସ ମଧ୍ୟ ଗାଁ ଭିତରକୁ ପହଞ୍ଚିବା ସମ୍ଭବ ହେଉନାହିଁ। ରୋଗୀଙ୍କୁ ପ୍ରାୟ ୨ କିଲୋମିଟର ଦୂର ମୁଖ୍ୟ ରାସ୍ତାକୁ ଆଣିବା ପରେ ସେଠାରୁ ଡାକ୍ତରଖାନା ନିଆଯାଉଛି। ଏହା ଫଳରେ ଗୁରୁତର ରୋଗୀ ଓ ବୃଦ୍ଧବୃଦ୍ଧାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କେବଳ ରାସ୍ତା ସମସ୍ୟା ନୁହେଁ, ଗାଁରେ ପାନୀୟଜଳ ସମସ୍ୟା ମଧ୍ୟ ରହିଛି। ଗାଁରେ ଥିବା ଗୋଟିଏ ନଳକୂଅ ଅଚଳ ହୋଇପଡ଼ିଛି। ଅନ୍ୟପଟେ ରାଇପାଳ ଗାଁକୁ ପାଇପ୍‌ ଯୋଗେ ଆସୁଥିବା ଜଳ ଯୋଗାଣ ମଧ୍ୟ ପ୍ରାୟ ୧୦ ଦିନ ହେଲା ବନ୍ଦ ରହିଛି। ଫଳରେ ଶହେ ପରିବାର ପାଣି ପାଇଁ ହଇରାଣ ହେଉଛନ୍ତି। ଦୈନନ୍ଦିନ ଆବଶ୍ୟକତା ପାଇଁ ଦୂରଦୂରାନ୍ତରୁ ପାଣି ସଂଗ୍ରହ କରିବାକୁ ପଡ଼ୁଛି।

ଗାଁରେ ବିଦ୍ୟାଳୟ, କଲେଜ ଓ ଅଙ୍ଗନବାଡ଼ି ଭଳି ମୌଳିକ ଶିକ୍ଷା ସୁବିଧା ନଥିବାରୁ ଛାତ୍ରଛାତ୍ରୀଙ୍କୁ ଅନ୍ୟ ଗାଁକୁ ପଢ଼ିବା ପାଇଁ ଯିବାକୁ ପଡ଼ୁଛି। ଖରାପ ରାସ୍ତା ଯୋଗୁଁ ବର୍ଷା ଦିନରେ ସେମାନଙ୍କ ଯାତାୟାତ ଆହୁରି କଷ୍ଟକର ହେଉଛି। ଗ୍ରାମର ଯୁବକ ଲବଣ ନାୟକ କହିଛନ୍ତି ଯେ, ଗାଁର ସମସ୍ୟା ନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ନେତାମାନଙ୍କୁ ଗୁହାରି କରାଯାଇଛି। ନିର୍ବାଚନ ସମୟରେ ନେତାମାନେ ଆସି ବିଭିନ୍ନ ପ୍ରତିଶ୍ରୁତି ଦିଅନ୍ତି। ହେଲେ ନିର୍ବାଚନ ପରେ ଗାଁର ସମସ୍ୟା ସମାଧାନ ହେଉନାହିଁ।

ଏନେଇ ଗ୍ରାମବାସୀ ତୁରନ୍ତ ପ୍ରଶାସନ ଗାଁରେ ପହଞ୍ଚି ରାସ୍ତା, ପାନୀୟଜଳ ଓ ଯାତାୟାତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି। ଦୀର୍ଘଦିନର ଏହି ସମସ୍ୟାର ସ୍ଥାୟୀ ସମାଧାନ ସହ ଏକ ପକ୍କା ରାସ୍ତା ନିର୍ମାଣ ଓ ନିୟମିତ ପାନୀୟଜଳ ଯୋଗାଣ କରାଯିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Leave a Reply