ନାଲ୍କୋନଗର, :ଆଉ ମାତ୍ର କିଛି ଦିନକୁ ଅପେକ୍ଷା। ଧରାପୃଷ୍ଠରେ ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ଅଗ୍ରପୂଜ୍ୟଙ୍କୁ ପୂଜିବା ପାଇଁ ନାଲ୍କୋ ଅଞ୍ଚଳରେ ଶତାଧିକ ପୂଜା ମଣ୍ଡପରେ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରତିଥର ଭଳି ଏଥର ମଧ୍ୟ କିଛି ସ୍ୱତନ୍ତ୍ର ଭାବେ କରିବା ପାଇଁ ଆୟୋଜକଙ୍କଠାରୁ ଆରମ୍ଭ କରି ମୂର୍ତ୍ତି କାରିଗରମାନେ ଯୋଜନା କରୁଛନ୍ତି।
କାରିଗରଙ୍କ ସହଜରେ ମିଳୁଥିବା ହୁଙ୍କା ମାଟି ଅର୍ଥାତ୍ ମୂର୍ତ୍ତି ଗଢ଼ା ମାଟି ମିଳୁନାହିଁ। ଫଳରେ ମାଟିର ବିକଳ୍ପ ଉପାୟରେ ମାଟି ଓ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ର ମିଶ୍ରଣରେ ମୂର୍ତ୍ତି ତିଆରି କରାଯାଉଛି। ଏହି ମିଶ୍ରଣରେ ପ୍ରସ୍ତୁତ ମୂର୍ତ୍ତିଗୁଡ଼ିକ ଖୁବ୍ ସମୟରେ ପ୍ରସ୍ତୁତ ହେବା ସହିତ ସୁନ୍ଦର ଦିଶୁଥିବାରୁ ଲୋକେ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି।
ରାଜସ୍ଥାନର ପାଲି ଜିଲ୍ଲାର ମାରୱାଡ଼ ଅଞ୍ଚଳରୁ କାରିଗରମାନେ ଆସି ଓଡ଼ିଶାର ଅନୁଗୋଳ ଅଞ୍ଚଳରେ ମୂର୍ତ୍ତି ନିର୍ମାଣ କରୁଛନ୍ତି। ନାଲ୍କୋ ଜଙ୍କସନ୍ ଗାଁ ନିକଟରୁ ଆରମ୍ଭ କରି ୫୫ ନମ୍ବର ଜାତୀୟ ରାଜପଥ ପିତାବଳୀ ମନ୍ଦିର ରାସ୍ତାକଡ଼ରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଆଗକୁ ଗଣେଶ ପୂଜା ଥିବାରୁ ଭଲ ବ୍ୟବସାୟ ହେବ ବୋଲି କାରିଗରମାନେ ଆଶା ରଖିଛନ୍ତି।
ମୂର୍ତ୍ତିରେ ମାଟି ଓ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ର ମିଶ୍ରଣ ହୋଇଥିବାରୁ ପାଣି ସଂସ୍ପର୍ଶରେ ଆସିଲେ ସହଜରେ ଏହା ଛାଡ଼ିବ ନାହିଁ। ମୂର୍ତ୍ତି ପାଣିରେ ପଡ଼ିଲେ ଖଞ୍ଜା ଯାଇଥିବା ଫିଟିକିରି ପାଣିରେ ମିଶି ପ୍ଲାଷ୍ଟର ହୋଇଥାଏ ବୋଲି ମୂର୍ତ୍ତି କାରିଗରମାନେ କହିଛନ୍ତି।
ଏହି ମୂର୍ତ୍ତିଗୁଡ଼ିକ ୧ ଫୁଟ୍ରୁ ୫ ଫୁଟ୍ ପର୍ଯ୍ୟନ୍ତ ରହିଛି। ଏହାର ମୂଲ୍ୟ ୧୫୦ ଟଙ୍କାରୁ ଆରମ୍ଭ କରି ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଗଣେଶ ଥାଇ ରାମ ମନ୍ଦିର, ମହାରାଜା, ଲାଲ୍ବାଗ ରାଜା, ବାଲ୍ ଗଣେଶ, ବାଲଗୋପାଳ ଷ୍ଟାଇଲ୍, ଡମ୍ବରୁ ଉପରେ ଗଣେଶ, କଇଁଛ ଉପରେ ଗଣେଶ, ବାଜା ବଜାଇବା ଗଣେଶ ଏବଂ ହାଇଦ୍ରାବାଦ ଷ୍ଟାଇଲ୍ର ଗଣେଶ ମୂର୍ତ୍ତି ଭଳି ପ୍ରାୟ ୮୦ ପ୍ରକାରର ମୂର୍ତ୍ତି ନିର୍ମାଣ କରାଯାଇଛି।
ଆସନ୍ତା ମାସ ୧୪ ତାରିଖରେ ଗଣେଶ ପୂଜା ଥିବାରୁ କାରିଗରମାନେ ଦୁଇମାସ ପୂର୍ବରୁ ଏଠାକୁ ଆସି ମୂର୍ତ୍ତି ନିର୍ମାଣ କାମରେ ଲାଗିଛନ୍ତି। ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ମୂର୍ତ୍ତି ତିଆରି କରି ସାରିଥିବା କାରିଗରମାନେ ଆହୁରି ଅନେକ ମୂର୍ତ୍ତି ତିଆରି କରିବାକୁ ପ୍ରସ୍ତୁତ ଅଛନ୍ତି। ଗୋବିନ୍ଦଲାଲ କୁମାର, ସସରାମ୍ କୁମାର, ନରେଶ କୁମାର, ସୁମିତ୍ରା କୁମାରୀ ଓ ସନ୍ତୋଷ ଦେବୀଙ୍କ ପରିବାର ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ଗଣେଶ ପୂଜା ନିକଟତର ହେଉଥିବାରୁ ଚଳିତବର୍ଷ ମୂର୍ତ୍ତି ବିକ୍ରି ଭଲ ହେବ ଏବଂ ବ୍ୟବସାୟୀମାନେ ଭଲ ଲାଭ ପାଇବେ ବୋଲି ଆଶା ରଖିଛନ୍ତି।
