ଖମାର, :lପାଳଲହଡ଼ା ବ୍ଲକ୍ ଖମାର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ୨ ପାର୍ଶ୍ଵ ଡ୍ରେନ୍ ପୋତି ହୋଇଗଲାଣି। ବାରମ୍ବାର ଦାବି ସତ୍ତ୍ବେ ମରାମତି ହେଉନଥିବାରୁ ଅସରାଏ ବର୍ଷାରେ ଖମାର ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ରାସ୍ତାରେ ପାଣି ଜମି ରହୁଛି। ଡାକ୍ତରଖାନାକୁ ରୋଗୀ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି। ଖମାରଦେଇ ଯାଇଥିବା ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଥିବା ଡ୍ରେନ୍ ଭାଙ୍ଗି ପୋତି ହୋଇଗଲାଣି।
ଏ ସଂକ୍ରାନ୍ତରେ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଏନ୍ଏଚ୍ଆଇ ମରାମତି କରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ବର୍ଷା ହେଲେ ଡ୍ରେନ୍ରେ ପାଣି ନଯାଇ ଖମାର ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ରାସ୍ତାରେ ଜମି ରହୁଛି, ସେଭଳି କଲେଜ ଓ ହାଇସ୍କୁଲ୍ ମୁଖ୍ୟରାସ୍ତାରସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀ ଜୋତା ନଖୋଲିଲେ ଶିକ୍ଷାନୁଷ୍ଠାନକୁ ପ୍ରବେଶ କରି ପାରୁନାହାନ୍ତି। ଡ୍ରେନ୍ ଭାଙ୍ଗି ଯାଇଥିବାରୁ କଲେଜ ପାଖ ଡ୍ରେନ୍ରେ ପାଣି ନିଷ୍କାସନ ହୋଇନପାରି ରାସ୍ତା ଉପରେ ଯାଉଛି। ବର୍ଷା ସମୟରେ ପଥଚାରୀ ନାହିଁ ନଥିବା ହଇରାଣ ହେଉଛନ୍ତି।
ସୂଚନା ଯୋଗ୍ୟ ଯେ, ଜାତୀୟ ରାଜପଥ ବିଭାଗ ପକ୍ଷରୁ ଖମାର ନିକଟସ୍ଥ ସତ୍ୟବନ୍ଧ ଠାରେ ଟୋଲ୍ଗେଟ୍ ନିର୍ମାଣ କରି ଚଢ଼ା ଦରରେ ଟିକସ ଆଦାୟ କରୁଥିବା ବେଳେ ଡ୍ରେନ୍ ମରାମତି ହେଉନାହିଁ। ଦୁଇବର୍ଷ ହେଲା ଡ୍ରେନ୍ ମରାମତି ପାଇଁ ଦାବି ହୋଇ ଆସୁଥିବା ସତ୍ତ୍ବେ ପ୍ରତିକାର କରାଯାଉନାହିଁ। ତେଣୁ, ଜାତୀୟ ରାଜପଥ ବିଭାଗ ପକ୍ଷରୁ ତୁରନ୍ତ ଖମାର ଜାତୀୟ ରାଜପଥ ଉଭୟ ପାର୍ଶ୍ଵରେ ଡ୍ରେନ୍ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
