କଣିହାଁ, : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳିରେ ଦୁର୍ଗାପୁର କେନାଲ ଶିଳାନ୍ୟାସ ହେବାର ୩୮ ବର୍ଷ ବିତିଯାଇଛି। ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନି। ୧୯୭୩ ମସିହାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧି କଣିହାଁ ବ୍ଲକ୍ ରେଙ୍ଗାଳିଠାରେ ବ୍ରାହ୍ମଣୀ ନଦୀରେ ଏକ ଡ୍ୟାମ ରେଙ୍ଗାଳି ବହୁମୁଖୀ ଜଳସେଚନ ଯୋଜନାକୁ ଶିଳାନ୍ୟାସ କରିଥିଲେ | ରେଙ୍ଗାଳି ଡ୍ୟାମ୍ର ନିର୍ମାଣ କାର୍ଯ୍ୟ ୧୯୮୫ ମସିହାରେ ଶେଷ ହୋଇଥିଲା।
ରାଜ୍ୟ ସରକାର ଡ୍ୟାମ୍ର ପାଣିକୁ ଆଖପାଖ ଅଞ୍ଚଳର ଚାଷଜମିରେ ଯୋଗାଇବାକୁ ଚିନ୍ତା କରି ଦୁର୍ଗାପୁର କେନାଲ ନିର୍ମାଣ କରିବାକୁ ସ୍ଥିର କରିଥିଲେ। ସରକାରଙ୍କ ପକ୍ଷରୁ କେନାଲ ସର୍ଭେ କାମ ଆରମ୍ଭ ହେଲା। କେନାଲ ଦ୍ଵାରା କଣିହାଁ ବ୍ଲକ୍ର କୁଳୁମା, ରେଙ୍ଗାଳି, ବଜ୍ରକୋଟ, ଦଳକ ଓ ତାଳପଦା ପଞ୍ଚାୟତର ଶହ ଶହ ଏକର ଜମିରେ ପାଣି ମାଡ଼ିବା ସହ ଚାଷକାର୍ଯ୍ୟ କରି ଲୋକେ ଉପକୃତ ହେବେ । କେନାଲ ନିର୍ମାଣ ପାଇଁ ୧୯୮୮ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ଦୁର୍ଗାପୁର କେନାଲର ଶିଳାନ୍ୟାସ ହୋଇଥିଲା । ଜମି ଅଧିଗ୍ରହଣରେ ବିଳମ୍ବ ହେବାରୁ କେନାଲ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଆଗେଇ ପାରିଲା ନାହିଁ।
୧୯୯୫ ମସିହାରେ ଦୁର୍ଗାପୁର କେନାଲ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୧୦ କୋଟି୮୩ ଲକ୍ଷ ଟଙ୍କା ଖର୍ଚ୍ଚହେବ ବୋଲି ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଆକଳନ କରିବା ପରେ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର, ନିର୍ମାଣ କାମ ଆଗକୁବଢ଼ି ପାରିନଥିଲା। ଏନେଇ ୨୦୦୬ ମସିହାରେ ପ୍ରାକ୍ତନ ବିଧାୟକ ପଦ୍ମଲୋଚନ ପଣ୍ଡା ଦୁର୍ଗାପୁର କେନାଲ କାର୍ଯ୍ୟ ଆଗେଇ ନ ପାରିବା ଉପରେ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଗାପୁର କେନାଲ ନିର୍ମାଣ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ ଏବଂ ନୂତନ ବ୍ୟୟ ଅଟକଳ କରାଯାଇ କେନାଲ କାମ ହେବ ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ ।
୨୦୦୮ ମସିହାରେ ଦୁର୍ଗାପୁର କେନାଲ ପାଇଁ ସରକାର ପୁଣି ୨୬ କୋଟି ୬୦ ଲକ୍ଷ ଟଙ୍କାର ଟେଣ୍ଡର ଆହ୍ବାନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେନାଲ କାମ ଆରମ୍ଭ ହୋଇପାରିଲା ନାହିଁ। କେବଳ ସେହି ସମୟରେ ଡ୍ୟାମରୁ ପାଣି ଯିବା ପାଇଁ ଏକ ନିଷ୍କାସନ ଦ୍ଵାର ନିର୍ମାଣ ପରେ କାମ ବନ୍ଦହୋଇ ପଡ଼ିରହିଛି। ଦୁର୍ଗାପୁର କେନାଲ ନିର୍ମାଣ ହେଲେର କୁଳୁମା ପଞ୍ଚାୟତର ୫ ଗାଁ, ବାଲିପଶି ପଞ୍ଚାୟତର ୧୮ ଓ ବଜ୍ରକୋଟ ପଞ୍ଚାୟତର ୪ ଗାଁର ଚାଷୀମାନେ ଉପକୃତ ହୋଇଥାନ୍ତେ। ଦୁର୍ଗାପୁର କେନାଲ କୋମା ଅବସ୍ଥାରେ ପଡ଼ି ରହିଥିବା ବେଳେ ଅଞ୍ଚଳର ବିକାଶ ପାଇଁ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
