ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଉତ୍ସବର ପ୍ରସ୍ତୁତିକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ। ପୂଜା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା, ଲୋକଙ୍କ ସୁରକ୍ଷା, ଯାତାୟାତ ନିୟନ୍ତ୍ରଣ ଏବଂ ମୌଳିକ ସୁବିଧା ଯୋଗାଇଦେବା ଉପରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଗୁରୁତ୍ୱ ଦେଇଛନ୍ତି। ଏନେଇ ବିଭିନ୍ନ ସରକାରୀ ବିଭାଗ ଓ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ରାଜ୍ୟର ଏକ ପ୍ରମୁଖ ଆକର୍ଷଣ। ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସହରକୁ ଆସୁଥିବାରୁ ରାସ୍ତାଘାଟ, ବିଦ୍ୟୁତ୍ ଯୋଗାଣ, ଅଗ୍ନିଶମ ବ୍ୟବସ୍ଥା ଏବଂ ଆଇନଶୃଙ୍ଖଳା ଉପରେ ପ୍ରଶାସନ ସ୍ୱତନ୍ତ୍ର ନଜର ରଖିଛି। ଉତ୍ସବ ସମୟରେ ଯେପରି କୌଣସି ଅଘଟଣ ନ ଘଟେ ଏବଂ ଲୋକମାନେ ସୁରକ୍ଷିତ ଭାବେ ପୂଜା ଉପଭୋଗ କରିପାରିବେ, ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ଆଗୁଆ ପ୍ରସ୍ତୁତି ସାରିବାକୁ କୁହାଯାଇଛି।
ଜିଲ୍ଲାପାଳ ସହରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପୂଜା ମଣ୍ଡପ ଓ ମେଳା ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା ଯେପରି ନ ହୁଏ, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ନେବାକୁ କୁହାଯାଇଛି। ଏଥିସହ ସହରର ରାସ୍ତାଘାଟ ମରାମତିକୁ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ପଲ୍ଲିଶ୍ରୀ ମେଳା ପଡ଼ିଆକୁ ଯାଉଥିବା ରାସ୍ତାଗୁଡ଼ିକର ମରାମତି କାମକୁ ପ୍ରାଥମିକତା ଦେବାକୁ ଆର୍ ଆଣ୍ଡ୍ ବି ବିଭାଗକୁ କୁହାଯାଇଛି।
ସେହିପରି ସହରର ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାକୁ ସୁଧାରିବା ଏବଂ ଖୋଲା ଡ୍ରେନ୍ଗୁଡ଼ିକୁ ସ୍ଲାବ୍ ଦ୍ୱାରା ଘୋଡ଼ାଇବା ପାଇଁ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି। କୋରିଆଁ ବାଇପାସ୍ ଓ କଲେଜ ବାଇପାସ୍ ନିକଟରେ ଦୁଇଟି ସ୍ୱାଗତ ତୋରଣ ନିର୍ମାଣ କରିବାକୁ ମଧ୍ୟ ଜିଲ୍ଲାପାଳ କହିଛନ୍ତି। ଏହାଦ୍ୱାରା ସହରକୁ ଆସୁଥିବା ଲୋକଙ୍କୁ ଉତ୍ସବ ସମ୍ପର୍କିତ ସୂଚନା ଓ ସ୍ୱାଗତ ବାର୍ତ୍ତା ଦିଆଯାଇପାରିବ।
ଅଗ୍ନିଶମ ବିଭାଗକୁ ସମସ୍ତ ଅଗ୍ନିନିର୍ବାପକ ଯନ୍ତ୍ରପାତି ପ୍ରସ୍ତୁତ ରଖିବା ସହ କର୍ମଚାରୀଙ୍କୁ ଅଗ୍ନି ସୁରକ୍ଷା ସମ୍ପର୍କିତ ତାଲିମ ଦେବାକୁ କୁହାଯାଇଛି। ପୂଜା ସମୟରେ ଲୋକଙ୍କ ଭିଡ଼ ଓ ଯାନବାହନ ଚଳାଚଳକୁ ଦୃଷ୍ଟିରେ ରଖି ବିକଳ୍ପ ରାସ୍ତା ସମ୍ପର୍କରେ ଜନସାଧାରଣଙ୍କୁ ଆଗୁଆ ଅବଗତ କରାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ମେଳାରେ ଲାଗିବାକୁ ଥିବା ଦୋଳି ଓ ଅନ୍ୟାନ୍ୟ ମନୋରଞ୍ଜନ ଉପକରଣର ସୁରକ୍ଷା ଯାଞ୍ଚ କରିବାକୁ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ଲୋକଙ୍କ ଜୀବନକୁ ବିପଦରେ ପକାଇ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ। ସହରର ରାସ୍ତାରେ ବୁଲୁଥିବା ଗୋରୁଗାଈଙ୍କୁ ହଟାଇବା ପାଇଁ ପୌରପାଳିକା ଓ ପ୍ରାଣୀ ଚିକିତ୍ସା ବିଭାଗକୁ ମଧ୍ୟ କୁହାଯାଇଛି।
ଅନ୍ୟପକ୍ଷରେ ଆଇନଶୃଙ୍ଖଳା ପରିସ୍ଥିତିକୁ ମଜବୁତ କରିବା ପାଇଁ ଉଚ୍ଚ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ଅଘଟଣମୁକ୍ତ କରିବା ପାଇଁ ପ୍ରଶାସନ, ପୁଲିସ, ପୂଜା କମିଟି ଏବଂ ସାଧାରଣ ଲୋକଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ଅଧିକାରୀମାନେ ମତ ଦେଇଛନ୍ତି।
