ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିପାରୁନି ପୁଷ୍ଟିକର ଖାଦ୍ୟ

ବଅଁରପାଳ, :ବଅଁରପାଳ ବ୍ଲକ୍‌ରେ ବର୍ତ୍ତମାନ ବଜାର ଦରରେ ଅଣ୍ଡା ଗୋଟାକୁ ୭ରୁ ୮ ଟଙ୍କା ରହିଥିବା ବେଳେ କେଉଁଠି କେଉଁଠି ୯ ଟଙ୍କାରେ ମଧ୍ୟ ବିକ୍ରି ହେଉଛି। ଏଥିରେ ଆଳୁ, ତେଲ ଓ ମସଲା ମିଶାଇଲେ ଖର୍ଚ୍ଚ ପ୍ରାୟ ୧୩ ଟଙ୍କା ହେଉଛି। ଉପଯୁକ୍ତ ମାନଦଣ୍ଡ ଅନୁଯାୟୀ ଅଣ୍ଡା ତରକାରୀ ପ୍ରସ୍ତୁତ କଲେ ଜଣେ ପିଲା ପିଛା କେବଳ ଅଣ୍ଡା ତରକାରୀ ବାବଦରେ ପ୍ରାୟ ୧୫ ଟଙ୍କା ଖର୍ଚ୍ଚ ହେବ । କିନ୍ତୁ, ପ୍ରାଥମିକ ସ୍ତରରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସରକାର ମାତ୍ର ୧୧ ଟଙ୍କା ୧୫ ପଇସା ଏବଂ ଉଚ୍ଚ ପ୍ରାଥମିକ ସ୍ତରରେ ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ୧୪ ଟଙ୍କା ୭୪ ପଇସା ଦେଉଛନ୍ତି। ସରକାର ଏହି ଦର କିଛି ବର୍ଷ ହେଲା ବୃଦ୍ଧି କରିଥିଲେ ସୁଦ୍ଧା ବର୍ତ୍ତମାନର ବଜାର ଦର ସହ ତାହା ତାଳମେଳ ରଖୁନଥିବା ଦେଖାଯାଉଛି । ଏପଟେ ବର୍ତ୍ତମାନ ବଜାରରେ ସମସ୍ତ ସାମଗ୍ରୀର ଦରଦାମ ଆକାଶଛୁଆଁ ହୋଇଥିବାରୁ ଏତେ କମ୍ ଟଙ୍କାରେ ପିଲାଙ୍କୁ କିପରି ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଦିଆଯାଉଛି, ତାହା ନେଇ ପ୍ରଶ୍ନ ଉଠିଛି। ତଥାପି, ମଧ୍ୟାହ୍ନଭୋଜନ ଦିନେ ବନ୍ଦ ହେଲେ ତୁରନ୍ତ ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ ପଡୁଛି ପ୍ରଶାସନିକ ଛାଟ। ଏହି ଭୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଯେନତେନ ପ୍ରକାରେ ପିଲାଙ୍କୁ ମଧ୍ୟାହ୍ନଭୋଜନ ଦେବାକୁ ବାଧ୍ୟ ହେଉଥିବା ସାଧାରଣରେ ଦେଖାଯାଉଛି। ଏତେ କମ୍ ଟଙ୍କାରେ ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ କିପରି ରହୁଛି ଏବଂ ଏଭଳି ଭୋଜନରୁ ପିଲାମାନେ କେତେ ପୁଷ୍ଟିକର ଖାଦ୍ୟ ପାଉଛନ୍ତି, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ବଅଁରପାଳ ବ୍ଲକରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୦ ହଜାର ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ମଧ୍ୟାହ୍ନ ଭୋଜନରେ କେଉଁ ବାର କେଉଁ ଖାଦ୍ୟ ଦିଆଯିବ ଏବଂ ଜଣେ ପିଲାଙ୍କ ପ୍ରତି କେତେ ପରିମାଣର ଖାଦ୍ୟ ସାମଗ୍ରୀ ରହିବ, ସେ ସମ୍ପର୍କରେ ବ୍ୟବସ୍ଥା ରହିଛି। ସେହି ବ୍ୟବସ୍ଥା ଅନୁଯାୟୀ, ପ୍ରାଥମିକ ସ୍ତରର ଜଣେ ପିଲା ପିଛା ୨ ଟଙ୍କା ୮୭ ପଇସା ମୂଲ୍ୟର ୨୫ ଗ୍ରାମ ଡାଲି, ୭୦ ପଇସାର ୫ ଗ୍ରାମ ଖାଇବା ତେଲ, ୩ ଟଙ୍କା ୩୨ ପଇସାର ୬୦ ଗ୍ରାମ ପନିପରିବା, ୩ ଟଙ୍କା ୫୦ ପଇସା ମୂଲ୍ୟର ପୁଷ୍ଟିଯୁକ୍ତ ଲଡୁ ଏବଂ ୭୬ ପଇସା ରନ୍ଧନ ଖର୍ଚ୍ଚ ରହିଛି। ସେହିପରି ସୋୟା ତରକାରୀ ପାଇଁ ୧ ଟଙ୍କା ୯୧ ପଇସା ମୂଲ୍ୟର ୧୨ ଗ୍ରାମ ସୋୟା, ୭୦ ପଇସାର ଖାଇବା ତେଲ, ୩ ଟଙ୍କା ୩୨ ପଇସାର ପନିପରିବା, ୩ ଟଙ୍କା ୫୦ ପଇସାର ପୁଷ୍ଟିଯୁକ୍ତ ଲଡୁ ଏବଂ ଇନ୍ଧନ ଖର୍ଚ୍ଚ ରହିଛି। ଅଣ୍ଡା ତରକାରୀ ପାଇଁ ୭ ଟଙ୍କା ମୂଲ୍ୟର ଗୋଟିଏ ଅଣ୍ଡା, ୭୦ ପଇସାର ୫ ଗ୍ରାମ ତେଲ, ୩ ଟଙ୍କା ୩୨ ପଇସାର ୬୦ ଗ୍ରାମ ପନିପରିବା ଏବଂ ୭୫ ପଇସା ଇନ୍ଧନ ଖର୍ଚ୍ଚ ଧାର୍ଯ୍ୟ ହୋଇଛି। ଏହି ମୂଲ୍ୟରେ ଛାତ୍ରଛାତ୍ରୀଙ୍କ ପ୍ରତିଦିନର ମଧ୍ୟାହ୍ନଭୋଜନରୁ ହାରାହାରି ୧୫.୨୮ ଗ୍ରାମ ପ୍ରୋଟିନ୍ ଓ ୬୪୭.୨୩ କିଲୋ କ୍ୟାଲୋରି ମିଳୁଛି। ସେହିପରି ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନରେ ୨୧.୮୩ ଗ୍ରାମ ପ୍ରୋଟିନ୍ ଓ ୮୭୭.୭୬ କିଲୋକ୍ୟାଲୋରି ମିଳୁଛି।ତେବେ, ପୂର୍ବରୁ ବଜାରରେ ଖାଇବା ତେଲ, ଡାଲି, ପନିପରିବା, ଗ୍ୟାସ୍ ଆଦିର ଦର ତୁଳନାତ୍ମକ ଭାବେ କମ୍ ଥିଲା। ବର୍ତ୍ତମାନ ଖୋଲା ବଜାରରେ ଡାଲି କିଲୋ ପ୍ରତି ପ୍ରାୟ ୧୫୦ ଟଙ୍କା, ଖାଇବା ତେଲ ୧୫୦ ଟଙ୍କା ଏବଂ ଅଣ୍ଡା ଗୋଟାକୁ ୮ରୁ ୯ ଟଙ୍କା ରହିଛି। ସେହିପରି ରନ୍ଧନ ଗ୍ୟାସ୍‌ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ପ୍ରାୟ ପ୍ରତ୍ୟେକ ପନିପରିବା ଦର କିଲୋ ପ୍ରତି ୬୦ ଟଙ୍କାରୁ ଊର୍ଦ୍ଧ୍ବ ରହିଛି। ଏଭଳି ଆକାଶଛୁଆଁ ବଜାର ଦରରେ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ୧୧ ଟଙ୍କା ୧୫ ପଇସା ଏବଂ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ୧୪ ଟଙ୍କା ୭୪ ପଇସାରେ କିପରି ଉପଯୁକ୍ତ ମାନର ପୁଷ୍ଟିକର ଖାଦ୍ୟ ଦିଆଯାଉଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିନ୍ତୁ, ବର୍ତ୍ତମାନର ଆକାଶଛୁଆଁ ବଜାର ଦର ମଧ୍ୟରେ ସରକାର ଏତେ କମ୍ ଧାର୍ଯ୍ୟ ମୂଲ୍ୟରେ କୋମଳମତି ଶିଶୁଙ୍କୁ ଯୋଗାଇ ଦେଉଥିବା ମଧ୍ୟାହ୍ନଭୋଜନ କେତେ ପୁଷ୍ଟିକର, ତାହାର ଆବଶ୍ୟକ ତର୍ଜମା କରିବାକୁ ବିଭିନ୍ନ ସଚେତନ ମହଲରେ ଦାବି ହେଉଛି।

Leave a Reply