ରାହୁଲ ଗାନ୍ଧି ଜଣେ ‘କାମଚୋର’, ଭୋଟ ଚୋରି ନାଁରେ ମିଥ୍ୟା ପ୍ରଚାର କରୁଛନ୍ତି: ସୁଧାଂଶୁ ତ୍ରିବେଦୀ

ଭୁବନେଶ୍ୱର: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ‘କାମଚୋର’ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସୁଧାଂଶୁ ତ୍ରିବେଦୀ। ନିର୍ବାଚନରେ ଦଳର ପରାଜୟକୁ ଲୁଚାଇବା ପାଇଁ ରାହୁଲ ଗାନ୍ଧି ଭୋଟ ଚୋରି ଭଳି ଅଭିଯୋଗ ଆଣୁଥିବା ସେ କହିଛନ୍ତି। ଏଥିସହ କଂଗ୍ରେସ ଦଳ ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ଲୋକଙ୍କ ବିଶ୍ୱାସ ହ୍ରାସ କରିବାକୁ ଉଦ୍ୟମ କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ସୋମବାର ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁଧାଂଶୁ ତ୍ରିବେଦୀ ଏଭଳି ମନ୍ତବ୍ୟ ଦେଇଥିଲେ। ସେ କଂଗ୍ରେସକୁ ଆହ୍ୱାନ ଦେଇ କହିଥିଲେ ଯେ, ୨୦୦୪ ମସିହା ପରଠାରୁ ଏପର୍ଯ୍ୟନ୍ତ କେଉଁ ବିଧାନସଭା ନିର୍ବାଚନରେ କଂଗ୍ରେସର କୌଣସି ବଡ଼ ନେତା ଗୋଟିଏ ରାଜ୍ୟରେ ଲଗାତାର ୭ରୁ ୧୫ ଦିନ ରହି ନିର୍ବାଚନ ପ୍ରଚାରର ନେତୃତ୍ୱ ନେଇଛନ୍ତି, ତାହାର ଉଦାହରଣ ଦିଅନ୍ତୁ।

ଏହାର ବିପରୀତରେ ବିଜେପିର ବରିଷ୍ଠ ନେତାମାନେ ନିର୍ବାଚନ ସମୟରେ ଦୀର୍ଘ ସମୟ ଧରି ମଇଦାନରେ ରହି କାମ କରୁଥିବା ସେ କହିଥିଲେ। ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଦାହରଣ ଦେଇ ତ୍ରିବେଦୀ କହିଥିଲେ ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଅମିତ ଶାହ ୧୫ ଦିନରୁ ଅଧିକ ସମୟ ଧରି ପ୍ରଚାର କରିଥିଲେ। ତେଣୁ କଠିନ ପରିଶ୍ରମ ନକରି ଭୋଟ ଚୋରିର ସ୍ଲୋଗାନ ଦେବା କଂଗ୍ରେସର ଅଭ୍ୟାସ ବୋଲି ସେ କଟାକ୍ଷ କରିଥିଲେ।

ଏହାସହ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍‌ଆଇଆର୍‌ (SIR) ପ୍ରକ୍ରିୟାକୁ ନେଇ କଂଗ୍ରେସ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଥିବା ତ୍ରିବେଦୀ ଅଭିଯୋଗ କରିଥିଲେ। ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ସଂସ୍ଥାର କାର୍ଯ୍ୟକୁ ସନ୍ଦେହ ଘେରକୁ ଆଣିବା ଦେଶର ଗଣତନ୍ତ୍ର ପାଇଁ ବଡ଼ ଆହ୍ୱାନ ବୋଲି ସେ କହିଥିଲେ। ତାଙ୍କ ମତରେ, କଂଗ୍ରେସ ନିଜର ନିର୍ବାଚନୀ ବିଫଳତାର ସମୀକ୍ଷା କରିବା ପରିବର୍ତ୍ତେ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ଅଭିଯୋଗ ଆଣୁଛି।

ଅନ୍ୟପଟେ ଦେଶର ଅର୍ଥନୈତିକ ବିକାଶକୁ ନେଇ ମଧ୍ୟ ସେ ମତ ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱର ବିଭିନ୍ନ ଅନିଶ୍ଚିତତା ଓ ଭୂରାଜନୈତିକ ଆହ୍ୱାନ ସତ୍ତ୍ୱେ ଭାରତ ପ୍ରମୁଖ ଅର୍ଥନୀତିଗୁଡ଼ିକ ମଧ୍ୟରେ ସବୁଠାରୁ ଦ୍ରୁତ ବିକାଶଶୀଳ ଦେଶ ଭାବେ ଆଗକୁ ବଢ଼ୁଛି ବୋଲି ସେ ଦାବି କରିଥିଲେ।

ତ୍ରିବେଦୀଙ୍କ କହିବା ଅନୁସାରେ, ୨୦୧୧-୧୨ ମସିହାରେ ଭାରତର ୨୭ ପ୍ରତିଶତ ଲୋକ ଅତ୍ୟନ୍ତ ଦାରିଦ୍ର୍ୟ ସୀମା ତଳେ ରହୁଥିବାବେଳେ ବର୍ତ୍ତମାନ ଏହି ହାର ୨.୬ ପ୍ରତିଶତକୁ ହ୍ରାସ ପାଇଛି। ଏହାକୁ ସରକାରଙ୍କ ବିକାଶମୂଳକ କାର୍ଯ୍ୟର ସଫଳତା ବୋଲି ସେ ଉଲ୍ଲେଖ କରିଥିଲେ।

ଓଡ଼ିଶାର ବିକାଶ ସମ୍ପର୍କରେ ମତ ରଖି ସେ କହିଥିଲେ ଯେ, ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ନେବାକୁ ଯାଉଛି। ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାରର ଅର୍ଥନୀତି ଗଠନ କରିବା ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାରର ଅର୍ଥନୀତି ହେବା ଲକ୍ଷ୍ୟ ରହିଛି। ଏଥିପାଇଁ ଉନ୍ନତ ଉତ୍ପାଦନ, କୃତ୍ରିମ ବୁଦ୍ଧିମତ୍ତା (AI) ଓ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ କହିଥିଲେ।

ସୁଧାଂଶୁ ତ୍ରିବେଦୀଙ୍କ ଓଡ଼ିଶା ଗସ୍ତ ବିଜେପିର ଦେଶବ୍ୟାପୀ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନର ଏକ ଅଂଶ। ଏହି ଅଭିଯାନ ଅଧୀନରେ ସେ କଟକର କଲେଜ ଛକରୁ ଦୋଳମୁଣ୍ଡାଇ ପର୍ଯ୍ୟନ୍ତ ପଦଯାତ୍ରାରେ ଯୋଗ ଦେଇଥିଲେ। ଏହି ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ।

Leave a Reply