ପୁଣି ଓଡ଼ିଶା ବିଜେପି ପ୍ରଭାରୀ ହେଲେ ପୁରନ୍ଦେଶ୍ୱରୀ, ସହ-ପ୍ରଭାରୀ ଦାୟିତ୍ୱରେ ସ୍ୱଦେଶ ସିଂହ

ଭୁବନେଶ୍ୱର: ଓଡ଼ିଶା ବିଜେପି ସଂଗଠନରେ ହୋଇଛି ବଡ଼ ଧରଣର ପରିବର୍ତ୍ତନ। ବିଜେପିର ଜାତୀୟ ଉପାଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡି. ପୁରନ୍ଦେଶ୍ୱରୀଙ୍କୁ ପୁଣିଥରେ ଓଡ଼ିଶାର ଦଳୀୟ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସେହିପରି ଡ. ସ୍ୱଦେଶ ସିଂହଙ୍କୁ ରାଜ୍ୟର ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ବିଜେପିର ଜାତୀୟ ସଭାପତି ନିତିନ ନବୀନଙ୍କ ଅନୁମୋଦନ ପରେ ଦଳ ପକ୍ଷରୁ ବୁଧବାର ଏହି ସାଂଗଠନିକ ନିଯୁକ୍ତି ଘୋଷଣା କରାଯାଇଛି।

ପୁରନ୍ଦେଶ୍ୱରୀ ପୂର୍ବରୁ ମଧ୍ୟ ଓଡ଼ିଶା ବିଜେପିର ପ୍ରଭାରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ୨୦୨୦ ନଭେମ୍ବରରୁ ୨୦୨୨ ପର୍ଯ୍ୟନ୍ତ ସେ ଓଡ଼ିଶାରେ ଦଳର ସାଂଗଠନିକ ଦାୟିତ୍ୱ ସମ୍ଭାଳିଥିଲେ। ସେତେବେଳେ ରାଜ୍ୟରେ ବିଜେପି ବିରୋଧୀ ଦଳ ଭାବେ ଥିଲା। ପରେ ତାଙ୍କ ସ୍ଥାନରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ସୁନୀଲ ବଂସଲଙ୍କୁ ଓଡ଼ିଶା ପ୍ରଭାରୀ ଦାୟିତ୍ୱ ମିଳିଥିଲା। ଏବେ ପ୍ରାୟ ଚାରି ବର୍ଷ ପରେ ପୁଣି ପୁରନ୍ଦେଶ୍ୱରୀ ଓଡ଼ିଶାର ଦଳୀୟ ପ୍ରଭାରୀ ଭାବେ ଫେରିଛନ୍ତି।

ଓଡ଼ିଶାରେ ୨୦୨୪ ମସିହାରେ ବିଜେପି ପ୍ରଥମଥର ପାଇଁ ସରକାର ଗଠନ କରିବା ପରେ ଦଳର ସାଂଗଠନିକ ଦାୟିତ୍ୱରେ ଏହି ପରିବର୍ତ୍ତନ ଆସିଛି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ରାଜ୍ୟରେ ନିଜର ସଂଗଠନକୁ ଆହୁରି ସୁଦୃଢ଼ କରିବା ଦିଗରେ କାମ କରୁଥିବା ସମୟରେ ଏହି ନିଯୁକ୍ତି ହୋଇଛି। ପୁରନ୍ଦେଶ୍ୱରୀ ଓଡ଼ିଶାରେ ଦଳର ସାଂଗଠନିକ କାର୍ଯ୍ୟକଳାପର ତଦାରଖ କରିବେ। ତାଙ୍କୁ ସହଯୋଗ କରିବେ ସହ-ପ୍ରଭାରୀ ସ୍ୱଦେଶ ସିଂହ।

ଏହି ପରିବର୍ତ୍ତନରେ ପୂର୍ବତନ ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂହ ତୋମରଙ୍କ ସ୍ଥାନରେ ପୁରନ୍ଦେଶ୍ୱରୀ ଦାୟିତ୍ୱ ନେଇଛନ୍ତି। ସେହିପରି ଲତା ଉସେଣ୍ଡିଙ୍କ ସ୍ଥାନରେ ସ୍ୱଦେଶ ସିଂହଙ୍କୁ ସହ-ପ୍ରଭାରୀ କରାଯାଇଛି। ଦଳ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଧ୍ୟ ନୂଆ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି।

ଡି. ପୁରନ୍ଦେଶ୍ୱରୀ ଆନ୍ଧ୍ରପ୍ରଦେଶର ଜଣେ ବରିଷ୍ଠ ବିଜେପି ନେତ୍ରୀ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତା ଏନ୍‌.ଟି. ରାମାରାଓଙ୍କ ଝିଅ। ପୂର୍ବରୁ ସେ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ଓଡ଼ିଶାରେ ଦଳୀୟ ସଂଗଠନ ସହ ପୂର୍ବ ଅନୁଭବ ଥିବାରୁ ତାଙ୍କୁ ପୁଣି ରାଜ୍ୟର ଦାୟିତ୍ୱ ଦିଆଯାଇଛି।

ଅନ୍ୟପଟେ, ଏହି ନିଯୁକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରନ୍ଦେଶ୍ୱରୀ ଓ ସ୍ୱଦେଶ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଭୟଙ୍କ ସାଂଗଠନିକ ଅଭିଜ୍ଞତା ଓ ନେତୃତ୍ୱ ଓଡ଼ିଶାରେ ଦଳର ତୃଣମୂଳ ସଂଯୋଗକୁ ଆହୁରି ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି।

ଏହି ସାଂଗଠନିକ ପରିବର୍ତ୍ତନ ପରେ ଓଡ଼ିଶା ବିଜେପିର ଆଗାମୀ କାର୍ଯ୍ୟକ୍ରମ, ତୃଣମୂଳ ସ୍ତରରେ ସଂଗଠନ ବିସ୍ତାର ଏବଂ ଆଗାମୀ ସ୍ଥାନୀୟ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ଉପରେ ନୂଆ ନେତୃତ୍ୱର ଗୁରୁତ୍ୱ ରହିବ।

Leave a Reply