ନୀତି ଆୟୋଗ ରିପୋର୍ଟରେ ସ୍ଥାନ ପାଇଲା ଓଡ଼ିଶାର ବୃଦ୍ଧ ଯତ୍ନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଦେଶରେ ବୃଦ୍ଧ ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ସେମାନଙ୍କ ଯତ୍ନ ନେବା ପାଇଁ ପ୍ରଶିକ୍ଷିତ କର୍ମଚାରୀଙ୍କ ଅଭାବ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏଭଳି ସମୟରେ ଓଡ଼ିଶା ସରକାରଙ୍କ ତିନି ମାସିଆ ‘ଜେରିଆଟ୍ରିକ୍ କେୟାରଗିଭର’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛି। ନୀତି ଆୟୋଗର ସଦ୍ୟ ପ୍ରକାଶିତ ରିପୋର୍ଟ **‘Reimagining Care: Strategies for Empowering Caregivers in Viksit Bharat @2047’**ରେ ଓଡ଼ିଶାର ଏହି ପଦକ୍ଷେପକୁ ରାଜ୍ୟସ୍ତରୀୟ ଉଦାହରଣ ଭାବେ ସ୍ଥାନ ଦିଆଯାଇଛି।

ନୀତି ଆୟୋଗର ରିପୋର୍ଟ ଅନୁସାରେ, ୨୦୨୨ ଜୁଲାଇ ସୁଦ୍ଧା ଭାରତରେ ପ୍ରାୟ ୧୪୯ ନିୟୁତ ବୃଦ୍ଧ ଲୋକ ଥିଲେ। ଏହା ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୧୦.୫ ପ୍ରତିଶତ। ୨୦୩୧ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୧୯୪ ନିୟୁତକୁ ବୃଦ୍ଧି ପାଇବା ସହ ୨୦୫୦ ବେଳକୁ ୩୪୭ ନିୟୁତରେ ପହଞ୍ଚିପାରେ। ଅର୍ଥାତ୍ ଭବିଷ୍ୟତରେ ବୃଦ୍ଧଙ୍କ ପାଇଁ ଔପଚାରିକ ଯତ୍ନ ବ୍ୟବସ୍ଥାର ଆବଶ୍ୟକତା ଆହୁରି ବଢ଼ିବ।

ଓଡ଼ିଶାରେ ଚାଲିଥିବା ତିନି ମାସିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୃଦ୍ଧଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଯତ୍ନ ପାଇଁ ଦକ୍ଷ କେୟାରଗିଭର ପ୍ରସ୍ତୁତ କରିବା। ଏହି ପାଠ୍ୟକ୍ରମରେ ଦୈନନ୍ଦିନ ଜୀବନର ଆବଶ୍ୟକ କାର୍ଯ୍ୟରେ ସହାୟତା, ଡିମେନ୍ସିଆ ରୋଗୀଙ୍କ ଯତ୍ନ, କାଉନସେଲିଂ, ଫିଜିଓଥେରାପି, ପ୍ରାଥମିକ ଚିକିତ୍ସା ଏବଂ ଦୀର୍ଘ ସମୟ ଶଯ୍ୟାଶାୟୀ ଥିବା ବ୍ୟକ୍ତିଙ୍କ ଶରୀରରେ ଘା’ ହେବାକୁ ରୋକିବା ଭଳି ବିଷୟ ସାମିଲ ରହିଛି।

ଏହି ପ୍ରଶିକ୍ଷଣ ପାଇଁ ଅତିକମରେ ଦଶମ ଶ୍ରେଣୀ ପାସ୍ କରିଥିବା ଯୁବକ-ଯୁବତୀ ଆବେଦନ କରିପାରିବେ। ପ୍ରାର୍ଥୀଙ୍କ ବୟସ ୧୮ରୁ ୩୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ବର୍ତ୍ତମାନ ରାଜ୍ୟର ଚାରିଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରତିବର୍ଷ ପ୍ରାୟ ୪୦୦ ଜଣ କେୟାରଗିଭରଙ୍କୁ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରହିଛି।

ରିପୋର୍ଟରେ କୁହାଯାଇଛି ଯେ, ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଅନୁପାତ ୨୦୩୧ ସୁଦ୍ଧା ୧୫.୬ ପ୍ରତିଶତକୁ ବଢ଼ିପାରେ। ପାରମ୍ପରିକ ଭାବେ ଭାରତରେ ପରିବାର ସଦସ୍ୟମାନେ ବୃଦ୍ଧଙ୍କ ଯତ୍ନ ନେଉଥିଲେ। କିନ୍ତୁ ମହିଳାମାନଙ୍କ ଚାକିରି କ୍ଷେତ୍ରରେ ଅଧିକ ଯୋଗଦାନ, ସହରୀକରଣ, ଚାକିରି ପାଇଁ ଅନ୍ୟ ସ୍ଥାନକୁ ପ୍ରବାସ ଏବଂ ଯୁକ୍ତ ପରିବାର ପରିବର୍ତ୍ତେ ଛୋଟ ପରିବାର ବଢ଼ିବା ଯୋଗୁଁ ପରିବାର ଉପରେ ବୃଦ୍ଧ ଯତ୍ନର ଚାପ ବଢ଼ୁଛି।

ନୀତି ଆୟୋଗ ଅନୁସାରେ, ଭାରତର ପ୍ରାୟ ୧୦ ପ୍ରତିଶତ ଲୋକ ପରିବାରର କେୟାରଗିଭର ଭାବେ ଦାୟିତ୍ୱ ତୁଲାଉଛନ୍ତି। କିନ୍ତୁ ପ୍ରଶିକ୍ଷିତ କର୍ମଚାରୀଙ୍କ ଅଭାବ, କମ୍ ଦରମା, ଦୀର୍ଘକାଳୀନ ଯତ୍ନର ବଢ଼ୁଥିବା ଖର୍ଚ୍ଚ ଏବଂ ପେସାଦାର ଓ ପରିବାରଭିତ୍ତିକ କେୟାରଗିଭରଙ୍କ ପାଇଁ ସୁରକ୍ଷାର ଅଭାବ ଭଳି ସମସ୍ୟା ରହିଛି।

ଏହି ସମସ

Leave a Reply