ଚିନ୍ତାରେ ଏପଟ ସେପଟ ହେଉଥିବା ନେତା..,ପୂରଣ ହେବ ନିଗମ ଓ ଖାଲି ପଡିଥିବା ମନ୍ତ୍ରୀପଦ!

ମୋହନ – ଧର୍ମେନ୍ଦ୍ରଙ୍କ ଗୋଟିଏ ଫଟୋ !
ପଦ ଆଶାୟୀଙ୍କ ପାଇଁ ବଡ ସଙ୍କେତ !
ବୋର୍ଡ ନିଗମ ଓ ମନ୍ତ୍ରୀ ମଣ୍ଡଳ ନେଇ ବଢିଲା ଆଶା !
ଚିନ୍ତାରେ ଏପଟ ସେପଟ ହେଉଥିବା ନେତା !

ଦର୍ଶକବନ୍ଧୁ ବିଜେପି ସରକାରକୁ ଏହାରି ଭିତରେ ଦୁଇ ବର୍ଷ ଅତିକ୍ରମ କରି ତିନି ବର୍ଷ ଚାଲିଛି। କିନ୍ତୁ ଏବେବି ଅନେକ କାମ ଅଧା ଅଧୁରା ରହିଛି। ମନ୍ତ୍ରୀମଣ୍ଡଳ ପୂର୍ଣ୍ଣାଙ୍ଗ ରୂପ ନେଇ ପାରିନଥିବା ବେଳେ ବୋର୍ଡ ନିଗମ ଗୁଡ଼ିକ ବି ଏପର୍ଯ୍ୟନ୍ତ ପୂରଣ ହୋଇ ପାରିନାହିଁ। ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଢିଥିବା ବେଳେ ପଦ ପଦବୀ ଆଶାରେ ଅନେକ ନେତା ଅନାଇ ବସିଛନ୍ତି। ଦଳୀୟ କାର୍ଯ୍ୟାଳୟରୁ ଲୋକସେବା ଭବନ ଚକର କାଟୁଛନ୍ତି ନେଇ। ଏହି ପ୍ରସଙ୍ଗରେ ପୂର୍ବରୁ ଅନେକ ବାର ଆଲୋଚନା ହୋଇଥିବା ବେଳେ ନେତାଙ୍କ ମୁହଁରୁ ଗୋଟିଏ କଥା ଶୁଣିବାକୁ ମିଳିଛି ସଠିକ୍ ସମୟରେ ନିଷ୍ପତି ହେବ। ଦୁଇ ବର୍ଷ ପରେ ବି ଏହି କାମ ଅଧା ରହିଥିବା ବେଳେ ଏହା ପଛରେ ବି ଅନେକ କାରଣ ରହିଥିବା ଚର୍ଚ୍ଚା ହୁଏ।

ଏବେ ଶୁଣିବାକୁ ମିଳୁଛି କି ହୁଏତ ତ ସେହି ସମୟ ଆସିଛି କି ଏବେ ଖାଲି ଥିବା ପଦ ଗୁଡ଼ିକ ପୂରଣ ନେଇ ବାଟ ଫିଟିିପାରେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଜର ନୂଆ ଟିମ ଗଠନ କରି ସାରିଥିବା ବେଳେ ନିକଟ ଭବିଷ୍ୟତରେ ବି ସେଭଳି କିଛି ବଡ ଇଭେଣ୍ଟ ନାହିଁ । ଆଉ ଗତ କିଛି ଦିନ ହେବ ଭୁବନେଶ୍ୱରରୁ ଦିଲ୍ଲୀ ନିୟମିତ କସରତ ଚାଲିଥିବା ବେଳେ ନିକଟରେ ତାଳଚେର ରେ ବିଜେପିର ଦୁଇ ଶୀର୍ଷ ନେତାଙ୍କ ଭେଟ ଘାଟ ଅନେକ କିଛି ସଙ୍କେତ ଦେଉଛି। ମୁଖ୍ୟମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକାଠି ବସିବା ଅନେକ ଅଡୁଆ ପ୍ରଶ୍ନର ଉତ୍ତର ଦେଇଥିବା କୁହାଯାଉଛି। କାରଣ ନିକଟ ଅତୀତରେ ଅନେକ କିଛି ଚର୍ଚ୍ଚା ଚାଲିଥିବା ବେଳେ ଏହି ଭେଟଘାଟ ବଡ ସଙ୍କେତ ଦେଉଛି ବୋଲି ରାଜନୀତିକ ସମୀକ୍ଷକ ମାନେ ବିଚାର କରୁଛନ୍ତି। ତେଣୁ ଦଳରେ ଥିବା ଅଧା ଅଧୁରା କାମ ଖୁବ ଶୀଘ୍ର ପୂରଣ ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ଏହି ମିଟିଂ ଦଳରେ ଆଶାୟୀଙ୍କ ଭିତରେ ଆଶା ସଞ୍ଚାର କରିଛି। ବଡ କଥା ହେଉଛି ଅଳ୍ପ ପଦ ଥିଲେ ଅନେକ ଆଶାୟୀ ରହିଛନ୍ତି। ତେଣୁ ସମସ୍ତଙ୍କୁ ମନେଇ ଖୁବ୍ ଶୀଘ୍ର ନିଷ୍ପତି ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଏପଟ ସେପଟ ହେଉଥିବା ନେତାଙ୍କ ପାଇଁ ଚିନ୍ତା ବଢ଼ିପାରେ। କାରଣ ଏହି ଦୁଇ ବର୍ଷ ଭିତରେ ଦଳର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ଅନେକ କଥା ଶୁଣିବାକୁ ମିଳୁଥିବା ବେଳେ କିଛି ନେତାଙ୍କ ହାବ ଭାବ ବି ଚର୍ଚ୍ଚାରେ ରହିଛି। ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ଆଗାମୀ ଦିନରେ ପୁନର୍ବାର ଫେରି ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।ଅନ୍ୟପଟେ ରାଜ୍ୟ ରାଜନୀତିରେ ବି ତାଙ୍କର ଭୂମିକାକୁ ନେଇ ଅନେକ କଥା ଆଲୋଚନା ହେଉଛି। ଏ ସବୁ ଭିତରେ ତାଳଚେର କାର୍ଯକ୍ରମ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଏହି ଭେଟ ଘାଟ ଆଶାୟୀଙ୍କ ମନରେ ଯେତିକି ଆଶା ଭରିଛି କିଛି ଦଳୀୟ ନେତାଙ୍କ ଟେନସନ ବି ବଢାଉଥିବା ଶୁଣିବାକୁ ମିଳୁଛି। ତେବେ ଏ ସବୁ କେବଳ ଚର୍ଚ୍ଚା ଚାଲିଥିବା ବେଳେ ଆଗକୁ ଏ ନେଇ କିଛି ନିଷ୍ପତି ହେଉଛି ନା ପୁନର୍ବାର ଝୁଲି ରହୁଛି ତାହା ଉପରେ ନଜର ରହିବ।

Leave a Reply