ତାଳଚେର :ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଶୁକ୍ରବାର ଦେଉଳବେଡ଼ା ସ୍ଥିତ ଡିସିଆଇ ହଲ୍ ଠାରେ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ତାଳଚେର ଉପଜିଲ୍ଲାପାଳ ଆଶିଷ ରଂଜନ ସାହୁ ଅଧ୍ୟକ୍ଷତା କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ମାନିତ ଅତିଥି ଭାବେ ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୂତିଆ, କମିଟିର କାର୍ଯ୍ୟକାରୀ ସଭାପତି ତଥା ଏସଡିପିଓ ଭରତ ଚନ୍ଦ୍ର ସାହୁ, ଉପସଭାପତି କେଶବ ଭୂତିଆ ଓ ପ୍ରଭାତ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ଦାସ, ତାଳଚେର ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ ଯୋଗଦେଇ ଆଗାମୀ ପ୍ରସିଦ୍ଧ ଗଣେଶ ପୂଜା ଶାନ୍ତିଶୃଙ୍ଖଳାର ସହିତ ଆୟୋଜନ ପାଇଁ ଗୁରୁତ୍ବାରୋପ କରିଥିଲେ।
ତାଳଚେରରେ ପ୍ରସିଦ୍ଧ ଗଣେଶ ପୂଜା ଆସନ୍ତା ସେପ୍ଟେମ୍ବର ୧୪ତାରିଖରେ ଆରମ୍ଭ ହେବ ସେପ୍ଟେମ୍ବର ୨୬ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଚଳିତବର୍ଷ ଘୋଡ଼ାଶାଳଠାରୁ ଆରମ୍ଭକରି ପ୍ରାୟ ୫କିମି ପର୍ଯ୍ୟନ୍ତ ହାଣ୍ଡିଧୂଆ ପର୍ଯ୍ୟନ୍ତ ଶତାଧିକ ମଣ୍ଡପରେ ଗଜାନନ ପୂଜା ପାଇବେ। ମଣ୍ଡପଗୁଡ଼ିକୁ ଅଧିକରୁ ଅଧିକ ଆକର୍ଷଣୀୟ କରାଯିବା ନେଇ ଉପସ୍ଥିତ ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତ୍ତା ନିଜର ମତ ରଖିଥିଲେ । ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଡିଜେକୁ ବାରଣ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ଆୟୋଜନ ପାଇଁ ସ୍ଥିର ହୋଇଥିଲା। ଭସାଣି ପୂର୍ବଦିନ ହେଉଥିବା ୩ଟନ୍ ୫ଶହ କେଜିରୁ ଊର୍ଦ୍ଧ୍ବ ଲଡୁକୁ ଚଳିତବର୍ଷ ଅଧିକ ଆକର୍ଷଣୀୟ କରିବାକୁ ମତପ୍ରକାଶ ପାଇଥିଲା। ଲଡୁ ନିର୍ମାଣ ପାଇଁ ଅତି ସତର୍କତାର ସହିତ ବିଶୁଦ୍ଧ ତେଲରେ ଅଭିଜ୍ଞ କାରିଗରଙ୍କ ଦ୍ବାରା ପ୍ରସ୍ତୁତ ହେବ। ଏଥିପାଇଁ ଢେଙ୍କାନାଳ ସାଂସଦ ରୁଦ୍ର ପାଣି ୩ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି ବୋଲି କମିଟିର ସାଧାରଣ ସମ୍ପାଦକ ଜିତେନ୍ଦ୍ର ଦାସ ପ୍ରକାଶ କରିଛନ୍ତି। ଏଥି ସହିତ ତାଳଚେର ବିଧାୟକ ଶ୍ରୀ ପ୍ରଧାନଙ୍କୁ ମଧ୍ୟ ଲଡୁ ନିର୍ମାଣ ପାଇଁ ଆର୍ଥିକ ସହାୟତା ଦେବାକୁ ଅନୁରୋଧ କରିଥିଲେ। ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ଦାସ ଚଳିତବର୍ଷ ଗଣେଶ ପୂଜାକୁ ସୂଚାରୁରୁପେ ପାଳନ ପାଇଁ ଅନୁରୋଧ କରିଥିଲେ । କାର୍ଯ୍ୟକାରୀ ସଭାପତି ତଥା ଏସଡିପିଓ ଶ୍ରୀ ସାହୁ ଶାନ୍ତି ଶୃଙ୍ଖଳା ପରିସ୍ଥିତି ଉପରେ ଧ୍ୟାନ ଦେବା ସହ
୧୪ରୁ ଆରମ୍ଭ, ୨୬ରେ ଭସାଣି ଏଥିରେ ସମସ୍ତ ପୂଜା କମିଟି ସହଯୋଗ ପାଇଁ ଅନୁରୋଧ କରିଥିଲେ। ଭସାଣିରେ ମେଢ଼ଗୁଡିକର ଉଚ୍ଚତା ଅଧିକ ନ କରି କମିଟି ନିୟମ ଅନୁଯାୟୀ କରାଯିବାକୁ ଅନୁରୋଧ କରାଯାଇଛି। ପରିମଳ ବ୍ୟବସ୍ଥା ପାଇଁ ତାଳଚେର ପୌର ପରିଷଦ, ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଟିପିସିଏଲକୁ କୁହାଯାଇଥିଲା। ରାସ୍ତାଘାଟ ମରାମତି କାମ ପୂଜା ପୂର୍ବରୁ ଶେଷ କରିବା ପାଇଁ ପୂର୍ଣ ବିଭାଗକୁ ନିର୍ଦେଶ ଦିଆଯାଇଛି। ଭସାଣି ଉତ୍ସବ ପାଇଁ ପରବର୍ତୀ ସ୍ବତନ୍ତ୍ର ବୈଠକରେ ନିଷ୍ପତ୍ତି ନିଆଯିବାକୁ ସ୍ଥିର ହୋଇଥିଲା। କୋଷାଧ୍ୟକ୍ଷ ଋଷିକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
