ଅନୁଗୋଳ,: ବର୍ଷା ଦିନରେ ବିଦ୍ୟୁତ୍ କାଟ୍ ହେଉଛି। ଗାଁ, ଗହଳିରେ ଲାଇନ୍ ଗଲେ ଆଉ ଆସୁନି। ଏପଟେ ରାସ୍ତାଘାଟ ଅତି ଖରାପ ହୋଇଗଲାଣି। ଏନେଇ ଆଜି ଜିଲ୍ଲା ପରିଷଦ ବୈଠକରେ ତୁମ୍ବିତୋଫାନ ହୋଇଛି। ନିଜ ନିଜ ଅଞ୍ଚଳର ସମସ୍ୟାକୁ ଜିଲ୍ଲା ପରିଷଦ ସଭ୍ୟମାନେ ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସଭାନେତ୍ରୀ ବବିତା ପ୍ରଧାନଙ୍କ ଅଧ୍ଯକ୍ଷତାରେ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପାଳଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ଯକ୍ଷ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଦିପ ଗଡ଼ନାୟକ, ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ, ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ପ୍ରମୁଖ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ ସଦସ୍ୟଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୈଠକରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯିବା ସହିତ ସ୍ଵାସ୍ଥ୍ୟସେବା, ଶିକ୍ଷା, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ନିରନ୍ତର ବିଦ୍ୟୁତ୍ ଯୋଗାଣ ଉପରେ ଆଲୋଚନା କରାଯାଇଥିଲା ।
ବର୍ଷା ଦିନରେ ଅଘୋଷିତ ବିଦ୍ୟୁତ୍ କାଟ୍ ଉପରେ ନିୟନ୍ତ୍ରଣ ରଖିବା ସହ ଜିଲ୍ଲା ଖଣିଜ ପାଣ୍ଠି ଦ୍ଵାରା ଯୋଗାଇ ଦିଆଯାଇଥିବା ଟ୍ରାନ୍ସଫର୍ମରର ସଠିକ୍ ଉପଯୋଗ କରିବାକୁ ଟିପିସିଓଡିଏଲ୍କୁ ନିର୍ଦେଶ ଦିଆଯାଇଥିଲା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଆଣିବା ପାଇଁ ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତରୀ ପଦଗୁଡ଼ିକୁ ଶୀଘ୍ର ପୂରଣ କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା। ସେହିଭଳି ଜାତୀୟ ରାଜପଥର ସମ୍ପ୍ରସାରଣକୁ ତ୍ବରାନ୍ବିତ କରିବା ନିର୍ମାଣାଧୀନ ରାସ୍ତା, ବ୍ରିଜ୍, କେନାଲଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ସହ ଦେଇଥିଲେ ଖାଲିଥିବା ଶିକ୍ଷକ ପଦଗୁଡ଼ିକୁ ତୁରନ୍ତ ପୂରଣ କରିବା ସହ ସ୍କୁଲ୍ ଭିତ୍ତିଭୂମିର ତଦାରଖ ଓ ମରାମତି କରିବାକୁ ବୈଠକରେ ଆଲୋଚନା ହୋଇଥିଲା।
ଖଣି ଅଞ୍ଚଳ ଏବଂ ଏହାର ଉପାନ୍ତ ଅଞ୍ଚଳଗୁଡ଼ିକରେ ବର୍ଜ୍ୟବସ୍ତୁ ନିୟନ୍ତ୍ରଣ କରିବାକୁ ପ୍ରଦୂଷଣ ବୋର୍ଡକୁ ନିର୍ଦେଶ ଦିଆଯାଇଥିଲା। ଏହି ବୈଠକରେ ଆଇଏଏସ୍ ପ୍ରୋବେସନର ଅଭି ଜୈନଙ୍କ ସମେତ ଜିଲ୍ଲା ପରିଷଦର ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ଗୌରବମୟ ପ୍ରଧାନ ଧନ୍ୟବାଦ ଦେଇଥିଲେ।
