ନେପାଳର ମଧେଶ ଅଞ୍ଚଳର ଏକାଧିକ ଜିଲ୍ଲାରେ ସାମ୍ପ୍ରଦାୟିକ ଉତ୍ତେଜନା ଓ ହିଂସା ଘଟିବା ପରେ ୩ ଜଣଙ୍କ ମୃତ୍ୟୁ ଘଟିଛି।
ଏହି ଘଟଣା ପରେ ମଧେଶର ବିଭିନ୍ନ ଜିଲ୍ଲାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିବାରୁ ପ୍ରଶାସନ କର୍ଫ୍ୟୁ ଜାରି କରିଛି।
ତେବେ ସର୍ବଦଳୀୟ ବୈଠକ ପରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।
ବିବିସି ନେପାଳୀ ସେବାର ସୂଚନା ଅନୁସାରେ, ନେପାଳର ଗୃହମନ୍ତ୍ରୀ ସୁଦନ ଗୁରୁଙ୍ଗ ଉତ୍ତେଜନା ପ୍ରଭାବିତ ସୁନସରୀ ଓ ଦେବଗଞ୍ଜ ଗସ୍ତ କରି ପରିସ୍ଥିତି ସ୍ୱାଭାବିକ କରିବାକୁ ପ୍ରୟାସ କରିଛନ୍ତି।
ସୁନସରୀ ଓ ଦେବଗଞ୍ଜରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ସିରାହା ଜିଲ୍ଲାରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
କୋଶୀ ପ୍ରଦେଶର ଏକାଧିକ ଅଞ୍ଚଳରେ ନାରାବାଜି ଓ ରାଲି
ବିବିସି ନେପାଳୀ ସେବାର ସୂଚନା ଅନୁସାରେ, ଶୁକ୍ରବାର ଦ୍ୱିପ୍ରହର ପର୍ଯ୍ୟନ୍ତ ନେପାଳର କୋଶୀ ପ୍ରଦେଶର ସୁନସରୀ, ଧନୁଷା ଓ ସିରାହା ଜିଲ୍ଲାର କିଛି ଅଞ୍ଚଳରୁ ନାରାବାଜି ଓ ରାଲି ହୋଇଥିବା ଖବର ମିଳିଥିଲା।
ଗୃହମନ୍ତ୍ରୀ ସୁଦନ ଗୁରୁଙ୍ଗଙ୍କ ଉଦ୍ୟମରେ ମୃତକଙ୍କ ପରିବାର ସହ ହୋଇଥିବା ସମଝୌତାରେ କ୍ଷତିପୂରଣ, ସହାୟତା ଏବଂ ଘଟଣାର ତଦନ୍ତ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ସାମିଲ ରହିଛି।
ଏହି ସମଝୌତା ଅନୁଯାୟୀ, ନେପାଳ ସରକାର ମୃତକମାନଙ୍କୁ ‘ଶହୀଦ’ ମାନ୍ୟତା ଦେବା ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବେ ବୋଲି କୁହାଯାଇଛି।
