ତାଳଚେରରେ ମାଳମାଳ ଘରୋଇ ଚିକିତ୍ସାଳୟ

ତାଳଚେର ଅଞ୍ଚଳରେ ମାଳମାଳ ଘରୋଇ ସ୍ଵାସ୍ଥ୍ୟକେନ୍ଦ୍ର ବା ଘରୋଇ ନସିଂହୋମ ଖୋଲିଛି। ହେଲେ, ଆବଶ୍ୟକ ଭିତ୍ତିଭୂମି ଓ ଅନଭିଜ୍ଞ କର୍ମଚାରୀଙ୍କୁ ନେଇ ଘରୋଇ ଚିକିତ୍ସାଳୟ ପରିଚାଳିତ ହେଉଥିବା ବେଳେ କୌଣସି ଯାଞ୍ଚ ହେଉନାହିଁ । ସୂଚନା ମୁତାବକ, ତାଳଚେର ଅଞ୍ଚଳରେ ୧୫ରୁ ଅଧିକଘରୋଇ ଚିକିତ୍ସାଳୟ ରହିଛି। ଚିକିତ୍ସାଳୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବର୍ଷ ବର୍ଷ ଧରି ଆବଶ୍ୟକ ଯାଞ୍ଚ କରାଯାଉନାହିଁ। ଫଳରେ ଘରୋଇ ଡାକ୍ତରଖାନାରେ ଅନଭିଜ୍ଞ କର୍ମଚାରୀ ରୋଗୀ ଚିକିତ୍ସା କରୁଛନ୍ତି। କେତେକ ନସିଂହୋମରେ ପାଠପଢ଼ୁଥିବା ନସିଂଛାତ୍ରଛାତ୍ରୀଙ୍କୁ ସ୍ବଳ୍ପ ଦରମାରେ ରୋଗୀସେବାରେ ନିୟୋଜିତ କରାଯାଇଛି।

ଚିକିତ୍ସାଳୟରେ ରୋଗୀଙ୍କ ସୁରକ୍ଷା ଓ ଉତ୍ତମ ଚିକିତ୍ସା ପାଇଁ ଅଭିଜ୍ଞ ଡାକ୍ତର, ନର୍ସ, ଟେକ୍ନିସିଆନ୍ ଓ ଅନ୍ୟାନ୍ୟ ପ୍ରଶିକ୍ଷିତ ସ୍ବାସ୍ଥ୍ୟକର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କିନ୍ତୁ, କେତେକ ଘରୋଇ ଚିକିତ୍ସାଳୟରେ ଆବଶ୍ୟକ ଅନୁପାତରେ ଦକ୍ଷ କର୍ମଚାରୀ ନଥିବା ଅଭିଯୋଗ ହେଉଛି। ଜରୁରି ସମୟରେ ରୋଗୀଙ୍କୁ ତୁରନ୍ତ ଓ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଅଭିଜ୍ଞ କର୍ମଚାରୀଙ୍କ ଉପସ୍ଥିତି ଅତ୍ୟାବଶ୍ୟକ।

ଅଭିଜ୍ଞତାର ଅଭାବ ଯୋଗୁ ରୋଗୀଙ୍କ ଅବସ୍ଥା ଠିକ୍ ଭାବେ ଚିହ୍ନଟ କରିବା, ଜରୁରି ଚିକିତ୍ସା ପଦକ୍ଷେପ ନେବା ଉପରେ ବିଶେଷଜ୍ଞ ଡାକ୍ତରଙ୍କୁ ଜଣାଇବା ବ୍ୟବସ୍ଥା ରହିଥିଲେ ମଧ୍ୟ ତାହା କରିପାରୁନଥିବା ଜଣାପଡ଼ିଛି। ଚିକିତ୍ସାଳୟରେ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ ଓ ଟେକ୍ନିସିଆନ୍ ଅଛନ୍ତି କି ନାହିଁ, ସେନେଇ ସମ୍ପୃକ୍ତ କର୍ତ୍ତୃପକ୍ଷ ନିୟମିତ ଯାଞ୍ଚ କରିବା ନିୟମ ରହିଥିଲେ ମଧ୍ୟ ଏହାର ଯାଞ୍ଚ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କରୁନାହିଁ । ଘରୋଇ ଚିକିତ୍ସାଳୟରେ ଅଭିଜ୍ଞ ଓ ପ୍ରଶିକ୍ଷିତ କର୍ମଚାରୀ ନିଯୁକ୍ତି କରିବା ସହ ରୋଗୀଙ୍କୁ ସୁରକ୍ଷିତ, ଦାୟିତ୍ଵଶୀଳ ଓ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇଦେବା ଦିଗରେ ପଦକ୍ଷେପ ସ୍ଵାସ୍ଥ୍ୟ ବିଭାଗ ନେବା ଦରକାର। ଏନେଇ ସ୍ବାସ୍ଥ୍ୟ ବିଭାଗ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply