ଓଡ଼ିଶାର ସମସ୍ତ ସହରାଞ୍ଚଳକୁ ହାଇ ଆଲର୍ଟ

ଭାରୀରୁ ଅତି ଭାରୀ ବର୍ଷାର ଆଶଙ୍କାକୁ ନେଇ ଓଡ଼ିଶାର ସମସ୍ତ ସହରାଞ୍ଚଳକୁ ହାଇ ଆଲର୍ଟରେ ରଖାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଗାମୀ କିଛି ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଯେକୌଣସି ଆପତ୍କାଳୀନ ପରିସ୍ଥିତିର ମୁକାବିଲା ପାଇଁ ସହରାଞ୍ଚଳ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ଲୋକକେନ୍ଦ୍ରିକ ଏବଂ ତୁରନ୍ତ ପ୍ରତିକ୍ରିୟା ନିଶ୍ଚିତ କରିବାକୁ କୁହାଯାଇଛି। ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ସମସ୍ତ ଆବଶ୍ୟକ କର୍ମଚାରୀ, ଯନ୍ତ୍ରପାତି ଓ ଜରୁରୀ ସାମଗ୍ରୀକୁ ପ୍ରସ୍ତୁତ ରଖିବା ସହ ରାପିଡ୍ ରେସପନ୍ସ ଟିମ୍‌ଗୁଡ଼ିକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ଷା ଯୋଗୁଁ ଯଦି କୌଣସି ସ୍ଥାନରେ ଜଳବନ୍ଦୀ, ରାସ୍ତାରେ ପାଣି ଜମିବା କିମ୍ବା ଅନ୍ୟ କୌଣସି ସମସ୍ୟା ସୃଷ୍ଟି ହୁଏ, ତେବେ ତାହାକୁ ବିଳମ୍ବ ନକରି ପ୍ରାଥମିକତା ଭିତ୍ତିରେ ସମାଧାନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ଏହା ଦ୍ୱାରା ସାଧାରଣ ଲୋକଙ୍କ ଯାତାୟାତ ଓ ଦୈନନ୍ଦିନ ଜୀବନ ଯେପରି ଅଧିକ ପ୍ରଭାବିତ ନହୁଏ, ସେଥିପାଇଁ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି।

ଭାରୀ ବର୍ଷା ପଛରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ ବ୍ୟବସ୍ଥା ରହିଛି। ଏହାର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବ୍ୟାପକ ବର୍ଷା ହେଉଛି। ବିଶେଷକରି ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଭାରୀ ବର୍ଷା ସହ ଜୋର ପବନ ବହିବାର ଆଶଙ୍କା ରହିଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଲଘୁଚାପ ବ୍ୟବସ୍ଥା ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଦିଗକୁ ଗତି କରିବା ସହ ଆହୁରି ସକ୍ରିୟ ହୋଇପାରେ। ଏହାର ପ୍ରଭାବରେ ଆଗାମୀ ତିନି ଦିନ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ଅଗଷ୍ଟ ୧୭ ରାତି ପରେ ବର୍ଷାର ତୀବ୍ରତା କିଛି ହ୍ରାସ ପାଇପାରେ, କିନ୍ତୁ ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଗଷ୍ଟ ୨୦ ପର୍ଯ୍ୟନ୍ତ ବର୍ଷା ଜାରି ରହିପାରେ।

ଏହାସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, ଜଗତସିଂହପୁର ଓ ଖୋର୍ଦ୍ଧା ଭଳି ଜିଲ୍ଲାରେ ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି। ବଜ୍ରପାତ ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବା ସହ ପାଣିପାଗ ସମ୍ପର୍କିତ ସତର୍କ ସୂଚନା ମାନିବାକୁ ପରାମର୍ଶ ଦିଆଯାଇଛି।

ସେପଟେ ମୁଖ୍ୟ ସଚିବ ଅନୁ ଗର୍ଗ ରାଜୀବ ଭବନରେ ବୈଠକ କରି ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକରେ ଯୋଗ ଦେଇ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମଧ୍ୟ ସତର୍କ କରାଯାଇଛି।

Leave a Reply