ଭୁବନେଶ୍ୱର: ଖଣିଜ ସମ୍ପଦ ଓ ରାଜ୍ୟର ଖଣି ରାଜସ୍ୱକୁ ନେଇ ଓଡ଼ିଶା ରାଜନୀତିରେ ପୁଣିଥରେ ତୀବ୍ର ହୋଇଛି ବିଜେଡି-ବିଜେପି ବିବାଦ। ୨୦୨୬ର MMDR ସଂଶୋଧନ ଆଇନକୁ ବିରୋଧ କରି ବିଜୁ ଜନତା ଦଳ (ବିଜେଡି) ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ଘୋଷଣା କରିଛି। ଆଇନଟି ତୁରନ୍ତ ପ୍ରତ୍ୟାହାର ନହେଲେ ରାଜ୍ୟରେ ଆର୍ଥିକ ଅବରୋଧ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।
ସୋମବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ଘୋଷଣା କରିଥିଲେ। ସେ କହିଥିଲେ, MMDR ସଂଶୋଧନ ଆଇନ ପ୍ରତ୍ୟାହାର ନହେଲେ ବିଜେଡି ପର୍ଯ୍ୟାୟକ୍ରମେ ଆନ୍ଦୋଳନକୁ ବ୍ୟାପକ କରିବ। ପ୍ରଥମ ପର୍ଯ୍ୟାୟରେ ଖଣି କାର୍ଯ୍ୟକଳାପ ଏବଂ ଖଣିଜ ପରିବହନକୁ ବନ୍ଦ କରିବା ପାଇଁ ଦଳୀୟ କର୍ମୀମାନେ ପଦକ୍ଷେପ ନେବେ ବୋଲି ସେ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ଅବରୋଧକୁ ଅନ୍ୟ କ୍ଷେତ୍ରକୁ ମଧ୍ୟ ବଢ଼ାଯିବ ବୋଲି ବିଜେଡି କହିଛି।
ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୀରବତାକୁ ନେଇ ମଧ୍ୟ ବିଜେଡି ପ୍ରଶ୍ନ ଉଠାଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଆଇନ ସମ୍ପର୍କରେ ଆଲୋଚନା ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଏବଂ ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଏହା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ପଦକ୍ଷେପ ନିଆଯାଇନଥିବା ବିଜେଡି ଅଭିଯୋଗ କରିଛି।
ଅରୁଣ ସାହୁ ଅଭିଯୋଗ କରିଛନ୍ତି ଯେ, ନୂଆ ସଂଶୋଧନ ମାଧ୍ୟମରେ ଖଣି ଉପରେ ରାଜ୍ୟଗୁଡ଼ିକର ଅଧିକାର ଓ ମାଲିକାନା କ୍ଷମତାକୁ କମାଇ ଦିଆଯାଇଛି। କେନ୍ଦ୍ର ସରକାର ଖଣି ମାଲିକମାନଙ୍କ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଥିବା ବୋଲି ସେ ଅଭିଯୋଗ କରିଛନ୍ତି।
ସୁପ୍ରିମକୋର୍ଟଙ୍କ ଏକ ରାୟକୁ ଉଲ୍ଲେଖ କରି ବିଜେଡି ଦାବି କରିଛି ଯେ, ଖଣି କ୍ଷେତ୍ରରୁ ବକେୟା ଟିକସ ବାବଦରେ ଓଡ଼ିଶା ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପାଇପାରିଥାନ୍ତା। ଏହା ସହିତ ଖଣିରୁ ପ୍ରତିବର୍ଷ ପ୍ରାୟ ୧୨ ହଜାର କୋଟି ଟଙ୍କା ରାଜସ୍ୱ ମିଳିପାରିଥାନ୍ତା ବୋଲି ଦଳ କହିଛି। ବିଜେପି ସରକାର ଓଡ଼ିଶାର ଏତେ ବଡ଼ ଆର୍ଥିକ କ୍ଷତିକୁ ନେଇ ନୀରବ ରହିଛି ବୋଲି ବିଜେଡି ଅଭିଯୋଗ କରିଛି।
ଅନ୍ୟପକ୍ଷରେ ବିଜେଡିର ଏହି ଅଭିଯୋଗକୁ ବିଜେପି ଖଣ୍ଡନ କରିଛି। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ, ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିବା ପରେ ବିଜେଡି ଏବେ ରାଜନୈତିକ ଲାଭ ପାଇଁ ଲୋକଙ୍କୁ ବିଭ୍ରାନ୍ତ କରୁଛି। ଆର୍ଥିକ ଅବରୋଧ ଭଳି ପଦକ୍ଷେପ ଓଡ଼ିଶାର ଅର୍ଥନୈତିକ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବ ବୋଲି ସେ କହିଛନ୍ତି।
ଅମର ପଟ୍ଟନାୟକଙ୍କ ମତରେ, ନୂଆ ନୀତି ଲାଗୁ ହେବା ଫଳରେ ସ୍ୱଳ୍ପ ସମୟ ପାଇଁ କିଛି ପରିବର୍ତ୍ତନ ଆସିପାରେ। କିନ୍ତୁ ଦୀର୍ଘମିଆଦୀ ଭାବେ ଏହା ରାଜ୍ୟ ପାଇଁ ଲାଭଦାୟକ ହେବ। ସ୍ୱଚ୍ଛ ନିଲାମ ବ୍ୟବସ୍ଥା ମାଧ୍ୟମରେ ଅଧିକ ଶିଳ୍ପପତିଙ୍କୁ ଆକୃଷ୍ଟ କରାଯାଇପାରିବ ଏବଂ ରାଜ୍ୟର ଅର୍ଥନୀତିରେ ଗତି ଆସିବ ବୋଲି ସେ ଦାବି କରିଛନ୍ତି।
MMDR ସଂଶୋଧନ ଆଇନକୁ ନେଇ ଉଭୟ ଦଳ ମଧ୍ୟରେ ବଢ଼ୁଥିବା ଏହି ବିବାଦ ଆଗାମୀ ଦିନରେ ଓଡ଼ିଶା ରାଜନୀତିକୁ ଆହୁରି ସରଗରମ କରିବାର ସମ୍ଭାବନା ରହିଛି। ଆଇନ ପ୍ରତ୍ୟାହାର ପାଇଁ ବିଜେଡି ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଥିବା ବେଳେ, ବିଜେପି ଏହି ଆଇନକୁ ରାଜ୍ୟର ଦୀର୍ଘମିଆଦୀ ଆର୍ଥିକ ବିକାଶ ପାଇଁ ଉପଯୋଗୀ ବୋଲି ଦାବି କରୁଛି।
