ଯାଜପୁରରେ ଆକ୍ଟୀଭ୍,ଭୁବନେଶ୍ୱରରେ ସାଇଲେଣ୍ଟ !
ବବି ସାଇଡ ଲାଇନ ହେଉଛନ୍ତି ନା ଦୁରେଇ ରହୁଛନ୍ତି ?
ନବୀନଙ୍କ ଦିଲ୍ଲୀ ଗସ୍ତ ବେଳେ ବବିଙ୍କ ଅନୁପସ୍ଥିତ ବଢାଇଲା ଚର୍ଚ୍ଚା।
ଦର୍ଶକବନ୍ଧୁ MMDR ପ୍ରସଙ୍ଗରେ ଆନ୍ଦୋଳନକୁ ଜୋରଦାର କରିଛି ବିଜେଡି । MMDR ସଂଶୋଧନ ଦ୍ୱାରା ଓଡ଼ିଶା କ୍ଷତି ସହୁଥିବା ଅଭିଯୋଗ କରି ବିଜେଡି ଲାଗାତାର ଭାବେ ସ୍ୱର ଉଠାଉଥିବା ବେଳେ ରାସ୍ତାକୁ ଓହ୍ଲାଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଆଗକୁ ବିଧାନସଭା ଥିବା ବେଳେ ଏହି ପ୍ରସଙ୍ଗକୁ ବିଜେଡି ଆଗକୁ ନେବାକୁ ଯୋଜନା କରିଛି। ବିଜୁ ଜନତା ଦଳର କିଛି ଆଗଧାଡିର ନେତାଙ୍କୁ ଛାଡିଦେଲେ ପ୍ରାୟ ସମସ୍ତେ ବୁଧବାର ପ୍ରତିବାଦରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଯେଉଁ କିଛି ନେତା ଅନୁପସ୍ଥିତ ଥିଲେ ସେମାନଙ୍କ ଭିତରେ ଥିଲେ ପୂର୍ବତନ ମନ୍ତ୍ରୀ ତଥା ଟାଣୁଆ ନେତା ବବି ଦାସ। ରାଜଧାନୀର ଏହି ପ୍ରତିବାଦ ସ୍ଥଳରେ ବବିଙ୍କ ଅନୁପସ୍ଥିତି ବେଶ ଚର୍ଚ୍ଚା ସୃଷ୍ଚି କରିଛି।
ବବି ଦାସ ଏବେ ଯାଜପୁରରେ ବେଶ ସକ୍ରିୟ ଥିବା ଦେଖିବାକୁ ମିଳୁଛି। ନିକଟରେ ବନ୍ୟା ସମୟରେ ସବୁଠୁ ସକ୍ରିୟ ଥିବା ନେତାଙ୍କ ଭିତରେ ଆଗରେ ଥିଲେ ବବି ଦାସ। ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ବୁଝୁଥିବାର ଚିତ୍ର ବି ଦେଖିବାକୁ ମିଳିଥିଲା। ଯାଜପୁରର ବିଭିନ୍ନ ରାଜନୀତିକ କାର୍ଯକ୍ରମରେ ବି ବେଶ୍ ସକ୍ରିୟ ଅଛନ୍ତି ଏହି ହେଭିୱେଟ ନେତା। କିନ୍ତୁ ବୁଧବାର MMDR କୁ ନେଇ ରାଜଧାନୀରେ ହୋଇଥିବା ପ୍ରତିବାଦରେ ବବି ଦାସ କାହିଁକି ଅନୁପସ୍ଥିତ ରହିଲେ ତାକୁ ନେଇ ଚର୍ଚ୍ଚା ଚାଲିଛି। ଏଠି ପ୍ରଶ୍ନ ଉଠୁଛି ବିଜେଡି ତାଙ୍କୁ ସାଇଡ ଲାଇନ କରୁଛି ନା ସେ ନିଜେ ଦୂରେଇ ରହୁଛନ୍ତି ? ନା କୌଣସି ବ୍ୟକ୍ତିଗତ କାମ ପାଇଁ ସେ ଯୋଗ ଦେଇ ପାରିନାହାନ୍ତି ନା ଏହା ପଛରେ ରହିଛି ଅଲଗା କିଛି ରଣନୀତି। ଏଭଳି ଅନେକ ପ୍ରଶ୍ନ ଏବେ ରାଜନୀତିକ ମହଲରେ ଆଲୋଚନାର ପ୍ରସଙ୍ଗ ପାଲଟିଛି।
୨୦୨୪ ପୂର୍ବରୁ ବିଜେଡ଼ିର ଦୁଇ ନମ୍ବର ନେତା କୁହାଯାଉଥିବା ବବି ଦାସଙ୍କୁ ନେଇ ନିର୍ବାଚନ ପରେ ଅନେକ ଆଲୋଚନା ହୋଇଛି। ଦଳର ଉପସଭାପତି ସହ ପାୱାରଫୁଲ PAC କମିଟିରେ ବବି ଥିଲେ ବି ଆଗଭଳି ଯେ ଦଳରେ ତାଙ୍କର କ୍ଷମତା ନାହିଁ ତାହା ସ୍ପଷ୍ଟ ଭାବେ ଦିଶୁଛି। ଦଳରେ ତାଙ୍କର ଭୂମିକାକୁ ନେଇ ବିଭିନ୍ନ ସମୟରେ ତାଙ୍କୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଚାଲିଛି। କିଛି ବଡ କାର୍ଯକ୍ରମରେ ଆଗରେ ରହୁଥିବା ବେଳେ କିଛି କାର୍ଯ୍ୟକ୍ରମରୁ ଦୂରେଇ ରହିବା ଦ୍ଵନ୍ଦ ସୃଷ୍ଟି କରୁଛି। ଏପରିକି ସୁଜାତା ରାଉତ ବିଜେଡିରେ ଯୋଗ ଦେବା ଦିନ ତାଙ୍କର ଅନୁପସ୍ଥିତି କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପରେ ପରେ ସୁଜାତାଙ୍କୁ ଭେଟି ସବୁ ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ଟାଣିଥିଲେ ବବି ଦାସ।ଏବେ କିନ୍ତୁ ଯେଉଁ ପ୍ରସଙ୍ଗକୁ ନେଇ ବିଜେଡି ସରକାରଙ୍କୁ ଅଡୁଆରେ ପକାଉଛି ଆଉ ସବୁ ବରିଷ୍ଠ ନେତା ଏକାଠି ହେଉଛନ୍ତି ସେହି ପ୍ରତିବାଦ ସଭାରେ ବବିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ। ଶୁଣିବାକୁ ମିଳୁଛି କି ବବି ଦାସ କୁଆଡେ ଦିଲ୍ଲୀ ରେ ଥିବାରୁ ଏହି କାର୍ଯକ୍ରମରେ ସାମିଲ ହୋଇ ପାରିନଥିଲେ। ଏହା ଯଦି ସତ ହୁଏ ତେବେ ନବୀନ ପଟ୍ଟନାୟକ ଦିଲ୍ଲୀରେ ଥିବା ବେଳେ ବବି ଦିଲ୍ଲୀ ଯିବା ମଧ୍ୟ ଚର୍ଚ୍ଚାର ପ୍ରସଙ୍ଗ।
