ସ୍ଥାନୀୟ ନିର୍ବାଚନ ପୂର୍ବରୁ ବିଜେଡି-କଂଗ୍ରେସକୁ ବିଜେପିର ଟାର୍ଗେଟ, ‘ଜନବିରୋଧୀ ନୀତି’ ନେଇ ବର୍ଷିଲା ଦଳ

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ପଞ୍ଚାୟତ ଓ ସ୍ଥାନୀୟ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ଧୀରେ ଧୀରେ ସରଗରମ ହେଉଥିବା ବେଳେ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ବିରୋଧରେ ଆକ୍ରମଣାତ୍ମକ ମନୋଭାବ ଆପଣାଇଛି ଶାସକ ଭାରତୀୟ ଜନତା ପାର୍ଟି (ବିଜେପି)। କଟକରେ ଅନୁଷ୍ଠିତ ଦଳର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଶେଷ ଦିନରେ ଏକ ରାଜନୈତିକ ପ୍ରସ୍ତାବ ଗୃହୀତ ହୋଇ ବିଜେଡି ଓ କଂଗ୍ରେସ ଉପରେ ବିଭିନ୍ନ ପ୍ରସଙ୍ଗରେ ତୀବ୍ର ଆକ୍ରମଣ କରାଯାଇଛି।

ବିଜେପିର ଅଭିଯୋଗ ଅନୁସାରେ, ବିଜେଡି ଓ କଂଗ୍ରେସ ଅନେକ ଜାତୀୟ ଓ ରାଜ୍ୟ ପ୍ରସଙ୍ଗରେ ଲୋକଙ୍କୁ ଭ୍ରମିତ କରୁଛନ୍ତି। ଦଳ ଉଭୟ ବିରୋଧୀ ଦଳର ରାଜନୈତିକ ଆଭିମୁଖ୍ୟକୁ ‘ଆଣ୍ଟି-ନ୍ୟାସନାଲ’ ଓ ‘ଆଣ୍ଟି-ଓଡ଼ିଶା’ ବୋଲି ଅଭିହିତ କରିଛି। ବିଶେଷକରି ଦେଶର ଅର୍ଥନୀତି ଚାପ ମଧ୍ୟରେ ୭.୮ ପ୍ରତିଶତ ହାରରେ ବଢ଼ୁଥିବା ଦାବି କରି କଂଗ୍ରେସ ଭାରତର ଛବିକୁ ଖରାପ କରିବାକୁ ଚେଷ୍ଟା କରୁଥିବା ବିଜେପି ଅଭିଯୋଗ କରିଛି।

ଏହା ସହିତ ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ୍‌ (MMDR) ସଂଶୋଧନ ଆଇନକୁ ବିଜେଡି ଓ କଂଗ୍ରେସ ବିରୋଧ କରୁଥିବା ନେଇ ମଧ୍ୟ ବିଜେପି ପ୍ରଶ୍ନ ଉଠାଇଛି। ବିରୋଧୀ ଦଳଗୁଡ଼ିକ ଏହି ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଥିବା ଦଳୀୟ ପ୍ରସ୍ତାବରେ ଅଭିଯୋଗ କରାଯାଇଛି। ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ସମ୍ପର୍କରେ ମଧ୍ୟ ଏହି ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଗୁରୁତ୍ୱ ପାଇଛି।

ମହିଳା ସଂରକ୍ଷଣ ବିଲ୍‌କୁ ବିରୋଧୀ ଦଳଗୁଡ଼ିକ ବିରୋଧ କରୁଥିବା ନେଇ ମଧ୍ୟ ବିଜେପି ଆପତ୍ତି ଉଠାଇଛି। ଏହାକୁ ଦଳ ‘ମହିଳା ବିରୋଧୀ’ ମାନସିକତାର ଉଦାହରଣ ବୋଲି କହିଛି। ଏଥିସହ ନକ୍ସଲ ସମର୍ଥନ, FCRA ଓ ଅନ୍ୟାନ୍ୟ ଜାତୀୟ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକର ଆଭିମୁଖ୍ୟକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି।

ବିଜେଡିକୁ ଟାର୍ଗେଟ କରି ବିଜେପି ପୂର୍ବତନ ନବୀନ ପଟ୍ଟନାୟକ ସରକାର ସମୟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ସମ୍ପର୍କିତ ତଦନ୍ତ କମିଶନ ଫାଇଲ୍ ହଜିବା ପ୍ରସଙ୍ଗ ଉଠାଇଛି। ଏପରି ସମ୍ବେଦନଶୀଳ ମାମଲାର ଫାଇଲ୍ ନିଖୋଜ ହେବା ଘଟଣାରେ ସ୍ପଷ୍ଟୀକରଣ ଆବଶ୍ୟକ ବୋଲି ଦଳ କହିଛି।

ସେହିପରି ରାଜ୍ୟ କଂଗ୍ରେସକୁ ବିଜେଡିର ‘ବି-ଟିମ୍’ ବୋଲି ଅଭିହିତ କରିଛି ବିଜେପି। କଂଗ୍ରେସକୁ ବିଜେଡି ନିର୍ଦ୍ଦେଶ ଦେଉଥିବା ମଧ୍ୟ ଦଳ ଅଭିଯୋଗ କରିଛି। ନିକଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିକୁ ନେଇ ବିଜେଡି ନେତାମାନଙ୍କ କିଛି ମନ୍ତବ୍ୟକୁ ମଧ୍ୟ ବିଜେପି ସମାଲୋଚନା କରିଛି।

ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଓ ତାହାର କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରିଥିଲେ। ବିଜେପିର ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ବିଏଲ୍ ସନ୍ତୋଷ ଦଳୀୟ କର୍ମୀମାନଙ୍କୁ ତୃଣମୂଳସ୍ତରରେ ଲୋକଙ୍କ ସହ ଯୋଡ଼ି ହେବା ଏବଂ ଆଗାମୀ ନିର୍ବାଚନରେ ଲୋକଙ୍କ ବିଶ୍ୱାସ ଜିତିବାକୁ ଆହ୍ୱାନ ଦେଇଥିଲେ।

ଆଗାମୀ ପଞ୍ଚାୟତ ଓ ସହରାଞ୍ଚଳ ନିର୍ବାଚନ ବିଜେପି ପାଇଁ ଏକ ବଡ଼ ରାଜନୈତିକ ପରୀକ୍ଷା ହେବାକୁ ଯାଉଛି। ୨୦୨୪ରେ ରାଜ୍ୟରେ ସରକାର ଗଠନ କରିବା ପରେ ଗ୍ରାମାଞ୍ଚଳରେ ନିଜ ସଂଗଠନ ଓ ଜନସମର୍ଥନ କେତେ ଦୃଢ଼ କରିପାରିଛି, ତାହାର ପ୍ରଥମ ବଡ଼ ପରୀକ୍ଷା ଏହି ନିର୍ବାଚନରେ ହେବ। ତେଣୁ ବିଜେପି ଏବେଠାରୁ ତୃଣମୂଳସ୍ତରରେ ସଂଗଠନ ମଜବୁତ କରିବା ସହ ବିରୋଧୀଙ୍କ ବିରୋଧରେ ରାଜନୈତିକ ଅଭିଯାନକୁ ଜୋରଦାର କରିଛି।

Leave a Reply