ଅନୁଗୋଳ:ଗୁରୁବାର ପାଳନ ହେବ ବିଶ୍ୱ ମଶା ଦିବସ। ପ୍ରତିବର୍ଷ ଅଗଷ୍ଟ ମାସ ୨୦ ତାରିଖରେ ବିଶ୍ୱବ୍ୟାପୀ ଭାବେ ମଶା ଦିବସ ପାଳିତ ହୋଇଆସୁଛି। ମଶା ଦ୍ୱାରା ବ୍ୟାପୁଥିବା ଡେଙ୍ଗୁ, ମ୍ୟାଲେରିଆ, ଜିକା ଭାଇରସ୍, ଚିକେନଗୁନିଆ ଭଳି ବିଭିନ୍ନ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଅନୁଗୋଳ ଜିଲ୍ଲାରେ ମଶା ଦାଉରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସରକାରୀ ଭାବେ ଔଷଧ ବୋଳା ମଶାରି ଦିଆଯାଉନଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଅନୁଗୋଳ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଶା ଦିବସ ପାଳନ କରାଯିବ। ମଶା ଦାଉରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରାଯିବା ସହ ମଶାରି ବ୍ୟବହାର ଓ ପରିବେଶକୁ ସଫା ରଖିବା ନେଇ ସଚେତନତା ସୃଷ୍ଟି କରାଯିବ। କିନ୍ତୁ ଅନୁଗୋଳ ଜିଲ୍ଲାର ଅନେକ ଦୁର୍ଗମ ଅଞ୍ଚଳରେ ଲୋକମାନେ ମଶା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବିଶେଷକରି ପାଲଲହଡ଼ା, ଖମାର, କିଶୋରନଗର, ବନ୍ତଳା ଓ ଅନ୍ୟାନ୍ୟ ଅଞ୍ଚଳରେ ମଶା ପ୍ରାଦୁର୍ଭାବ ଅଧିକ ରହିଛି। ରାତି ହେଲେ ମଶାଙ୍କ ଉପଦ୍ରବ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। କେବଳ ଦୁର୍ଗମ ଅଞ୍ଚଳ ନୁହେଁ, ଜିଲ୍ଲାର ସହରାଞ୍ଚଳରେ ମଧ୍ୟ ମଶା ଉପଦ୍ରବ କିଛି କମ୍ ନାହିଁ। ଫଳରେ ମଶାବାହିତ ରୋଗ ବୃଦ୍ଧି ପାଇବା ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ଅନୁଗୋଳ ଜିଲ୍ଲାର ପ୍ରାୟ ୧୪ ଲକ୍ଷ ଲୋକ ଔଷଧ ବୋଳା ମଶାରି ପାଇଁ ଅପେକ୍ଷାରେ ରହିଥିବା ସ୍ୱାସ୍ଥ୍ୟ ବିଭାଗରୁ ଜଣାପଡ଼ିଛି। ଗତ ୨୦୨୪ ମସିହାରେ ଜିଲ୍ଲାରେ ୫୪୩ ଜଣ ମ୍ୟାଲେରିଆ ରୋଗୀ ଓ ୧୦୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ସେହିପରି ୨୦୨୫ ମସିହାରେ ମଧ୍ୟ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ୫୦୦ ଉପରେ ରହିଥିଲା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲାରେ ଶେଷଥର ପାଇଁ ୨୦୨୦ ମସିହାରେ ଲୋକଙ୍କୁ ଔଷଧ ବୋଳା ମଶାରି ବଣ୍ଟନ କରାଯାଇଥିଲା। ଏହାପରେ ଦୀର୍ଘ ୬ ବର୍ଷ ଧରି ମଶାରି ବଣ୍ଟନ ହୋଇନାହିଁ। ଫଳରେ ଦୁର୍ଗମ ଅଞ୍ଚଳର ଲୋକେ ମଶା ଦାଉରୁ ରକ୍ଷା ପାଇବା ପାଇଁ ନିଜ ଖର୍ଚ୍ଚରେ ମଶାରି କିଣିବାକୁ ବାଧ୍ୟ ହେଉଛନ୍ତି।
ଅନ୍ୟପକ୍ଷରେ, ଜିଲ୍ଲା ଖଣିଜ ପାଣ୍ଠିରୁ ୧ ଲକ୍ଷ ଔଷଧ ବୋଳା ମଶାରି ପ୍ରସ୍ତୁତ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେହିପରି ନାଲ୍କୋ ପକ୍ଷରୁ ମଧ୍ୟ ମଶାରି ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ତେବେ ଜିଲ୍ଲାରେ ମଶାରିର ଅଭାବ ନଥିବା ବେଳେ ଜିଲ୍ଲାବାସୀଙ୍କୁ କାହିଁକି ଏହା ବଣ୍ଟନ କରାଯାଉନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି।
ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ, ଖୁବ୍ଶୀଘ୍ର ଜିଲ୍ଲାରେ ଔଷଧ ବୋଳା ମଶାରି ଯୋଗାଇ ଦିଆଯିବ। ମଶାବାହିତ ରୋଗକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ମଶାରି ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ତେବେ ମଶାରି ବଣ୍ଟନରେ ହେଉଥିବା ବିଳମ୍ବକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
