ରାସ୍ତା କଡ଼ରେ କୁଢ଼ କୁଢ଼ ଅଳିଆ

ବଅଁରପାଳ:ରାସ୍ତା କଡ଼ରେ କୁଢ଼ କୁଢ଼ ଅଳିଆ ସାଙ୍ଗକୁ ଭଣଭଣ ମଶାମାଛି। ପରିବେଶରେ ଆବର୍ଜନା ପଚି ଗନ୍ଧେଇଲାଣି। ପଥଚାରୀ ନାକ ବନ୍ଦ କରି ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ପାଖରେ ଥିବା ଦୋକାନକୁ ଯିବାକୁ ମଧ୍ୟ ଲୋକେ ଅମଙ୍ଗ ହେଉଛନ୍ତି। ବ୍ୟସ୍ତବହୁଳ ବଅଁରପାଳ ଅଞ୍ଚଳର ସନ୍ତ୍ରୀଛକରେ ସାଧାରଣ ଲୋକେ ସମସ୍ୟା ଭୋଗୁଛନ୍ତି। ଏହି ଛକ ନିକଟରେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ୍ ଓ ଘରୋଇ ଚିକିତ୍ସାଳୟ ଥିବାରୁ ପ୍ରତିଦିନ ଶହ ଶହ ଲୋକ ଯାତାୟାତ କରୁଛନ୍ତି। ମାତ୍ର, ରାସ୍ତାକଡ଼ରେ ଅଳିଆ ଆବର୍ଜନା ଗଦା ହୋଇ ରହିବା ଓ ସାମାନ୍ୟ ବର୍ଷାରେ ରାସ୍ତା ଉପରେ ପାଣି ଜମିବା ଯୋଗୁ ପଥଚାରୀ ଓ ଅଞ୍ଚଳବାସୀଙ୍କ ଦୁର୍ଦଶା ବଢୁଛି। ସନ୍ତ୍ରୀଛକର ବିଭିନ୍ନ ସ୍ଥାନରେ ଦୀର୍ଘଦିନ ହେଲା ଅଳିଆ ଆବର୍ଜନା ଗଦା ହୋଇଛି । ଦିନକୁ ଦିନ ଏହାର ପରିମାଣ ବଢୁଥିଲେ ମଧ୍ୟ ଅଳିଆ ସଫା କରିବା ଦିଗରେ ସମ୍ପୃକ୍ତ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଉନାହିଁ

ଏପରିକି ଛକ ମଧ୍ୟଭାଗରେ ମଧ୍ୟ ଅଳିଆ ଗଦା ହୋଇ ରହିଥିବା ଦେଖାଯାଉଛି। ଫଳରେ ଦୁର୍ଗନ୍ଧ ସହ
ପରିବେଶ ପ୍ରଦୂଷଣ ବଢୁଛି। ମଶାମାଛି ଓ ଜୀବାଣୁ ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକଙ୍କ ସ୍ଵାସ୍ଥ୍ୟ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। ସ୍କୁଲ୍ ଓ ଚିକିତ୍ସାଳୟ ନିକଟରେ ଏଭଳି ସ୍ବାସ୍ଥ୍ୟକର ପରିବେଶ ରହିବା ନେଇ ସାଧାରଣରେ ଅସନ୍ତୋଷ ବଢ଼ିଛି। ସାମାନ୍ୟ ବର୍ଷା  ହେଲେ ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି। ଡ୍ରେନେଜ୍ ବ୍ୟବସ୍ଥା ଥିଲେ ମଧ୍ୟ ନାଳପୋତି ହୋଇଥିବା ବେଳେ କେତେକ ସ୍ଥାନରେ ନାଳ ଭାଙ୍ଗି  ସଙ୍କୁଚିତ ହୋଇଛି। ଫଳରେ ବର୍ଷାପାଣି ନିଷ୍କାସିତ ହୋଇ ନପାରି ରାସ୍ତା ଉପରେ ଜମି ରହୁଛି। ପାଣି ଯୋଗୁ ପଥଚାରୀ,ଦୁଇଚକିଆ ଓ ଚାରିଚକିଆ ଯାନ ଚାଳକ ନାନା ଅସୁବିଧାରେ ପଡୁଛନ୍ତି।

ବିଶେଷକରି ସ୍କୁଲ୍ ଛାତ୍ରଛାତ୍ରୀ, ବୃଦ୍ଧ ଓ ରୋଗୀମାନଙ୍କ ଯାତାୟାତ ଅଧିକ ଦୁବିଷହ ହୋଇପଡ଼ିଛି। ଦୀର୍ଘସମୟ ଧରି ପାଣି ଜମି ରହି ରାସ୍ତାର ସ୍ଥାୟିତ୍ଵ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି । ଏନେଇ ଜାତୀୟ ରାଜପଥ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ରାଜସ୍ୱ ନିର୍ବାହୀ ଅଧିକାରୀ ରାଜେଶ ପ୍ରଧାନ କହିଛନ୍ତି, ସନ୍ତ୍ରୀଛକରୁ ବଅଁରପାଳ ଆଡ଼କୁ ନୂଆ ରାସ୍ତା ନିର୍ମାଣ ହେବାର ଯୋଜନା ରହିଛି। ତେଣୁ ବର୍ତ୍ତମାନ ରାସ୍ତା ମରାମତି କରିବା ବିଶେଷ ଲାଭଦାୟକ ହେବ ନାହିଁ। ତେବେ, ନୂଆ ରାସ୍ତା ନିର୍ମାଣ ହେବା ପର୍ଯ୍ୟନ୍ତ ଲୋକେ ଏଭଳି ଦୁର୍ଦଶା ଭୋଗିବେ କି ବୋଲି ପ୍ରଶ୍ନ ଉଠିଛି । ଅଳିଆ ସଫା କରିବା ସହ ପାଣି ନିଷ୍କାସନର ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଜନଅସନ୍ତୋଷ ତୀବ୍ର ହେବାର ଆଶଙ୍କା ରହିଛି।

Leave a Reply