ବିକଶିତ ଗାଁ, ବିକଶିତ ଓଡ଼ିଶାର ନାରା ଦେଉଛନ୍ତି ରାଜ୍ୟ ସରକାର। ହେଲେ ସତରେ କଣ ଆମ ଗାଁ ବିକାଶ ଦେଖିଲାଣି? ଯଦି ହଁ, ତେବେ କାହିଁକି ଶବ ସତ୍କାର ପାଇଁ କୋକେଇ କାନ୍ଧେଇ ରଶି ଜରିଆରେ ବିପଦସଙ୍କୁଳ ଅବସ୍ଥାରେ ନାଳ ପାର ହେଉଛନ୍ତି ଆତ୍ମୀୟ ସ୍ୱଜନ? ଅତି ନିକଟରେ ଅନୁଗୋଳ ଜିଲ୍ଲାରୁ ଆସିଥିବା ଚିତ୍ର ବଖାଣୁଛି, ବିକାଶର ବାସ୍ତବତା।
ଗାଁ ଶ୍ମଶାନରେ ଶବଦାହ କରିବାକୁ ଗୋଟେ ହାତରେ ରଶି, ଅନ୍ୟ ହାତରେ କୋକେଇ ବୋହି ବେକେ ପାଣିରେ ଭରା ନଈ ପାର ହେଉଛନ୍ତି ଆତ୍ମୀୟ ସ୍ୱଜନ। ଏମିତିକି ନଈ ପାର ହେବାବେଳେ କେତେକ ମାଲଭାଈ ପାଣିରେ ଭାସି ଯାଉଛନ୍ତି। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ଗାଁରେ ଦେଖିବାକୁ ମିଳିଥିଲା ଏମିତି ଅଭାବନୀୟ ଚିତ୍ର। ଘଟଣାଟି କିଛି ଏମିତି, ନୂଆହତା ବାଲିସାହିର କାଳିଆ ଗୋଚ୍ଛାୟତଙ୍କର ୩ ଦିନ ତଳେ ଦେହାନ୍ତ ହୋଇଥିଲା। ତାଙ୍କ ଅନ୍ତିମ ସଂସ୍କାର ପାଇଁ ଗାଁ ପାଖ ଜାଲିଗୋଟିଆ ଶ୍ମଶାନକୁ ଶବକୁ ନେଉଥିଲେ ବନ୍ଧୁ ପରିଜନ। ହେଲେ ବାଟରେ ଥିବା କିଷ୍କିନ୍ଧା ନଈ ବନ୍ଧ ରାସ୍ତାଟି ଲଗାଣ ବର୍ଷାରେ ଭାସିଯିବାରୁ ବିପଦପୂର୍ଣ୍ଣ ଭାବେ ପାଣିର ସୁଅକୁ କାଟି ଶ୍ମଶାନକୁ ଯାଇଥିଲେ ସଂପର୍କୀୟ। ଆଉ ସ୍ଥାନୀୟ ଲୋକଙ୍କ କହିବା କଥା, କେବଳ ଏଇ ବର୍ଷ ନୁହେଁ, ପ୍ରତି ବର୍ଷ ବର୍ଷା ଦିନେ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ।
ନିକଟରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ନଈ ଉପରେ ପୋଲ ତ ତିଆରି ହୋଇଛି, ହେଲେ ନିମ୍ନ ମାନର କାମ ଯୋଗୁଁ ବନ୍ଧ ରାସ୍ତାରେ ଘାଇ ହୋଇଛି। ଏପଟେ ବଅଁରପାଳ ବିଡିଓ କହିଛନ୍ତି, ଭରା ନଈରେ ଶବକୁ ନଈ ପାର୍ କରାଇବା ଏକ ଦୁଃଖଦ ଘଟଣା। ଯଦି ପ୍ରଶାସନ ନଜରକୁ ଏ ଘଟଣା ଆସିଥାନ୍ତା, ହୁଏତ ତାଙ୍କର ଅନ୍ୟ କେଉଁଠି ଶବଦାହ କରାଯାଇପାରିଥାନ୍ତା। ନୂଆ ରାସ୍ତା ପାଇଁ ୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି, ପାଗରେ ସୁଧାର ଆସିଲେ, କାମ ଆରମ୍ଭ ହେବ।
