ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ହାତୀ ମଣିଷ ଲଢ଼େଇରେ ଚାଲିଗଲା ଆଉ ଏକ ଜୀବନ । ବନ ବିଭାଗର ଚ଼ରମ ଅବହେଳାର ପରିଣତି ଦେଖିବାକୁ ମିଳିଛି ଅନୁଗୋଳ ବନଖଣ୍ଡ ଅନୁଗୋଳ ବନାଞ୍ଚଳ ଅଞ୍ଚଳରେ । ମିଳିଥିବା ସୂଚନାରୁ ଏହି ବନାଞ୍ଚଳ ଅଧିନ କରତପଟା ସେକ୍ସନ ନନ୍ଦପୁର ପଞ୍ଚାୟତ କୁସୁମପାଟ ଗାଁର ପ୍ରମିଳା ସାହୁ(୬୫) ଗୁରୁବାର ଭୋର ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ସେ ଘରପାଖ ଆମ୍ବ ତେଟାକୁ ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ,ଏକହାତୀ ସହ ମହାଁ ମୁହିଁ ହୋଇଥିଲେ । ସେଠାରେ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇ ତାଙ୍କ ବାମ ଜଙ୍ଘରେ ମଡ଼ା ପକାଇ ଦେଇଥିଲା ।

ଫଳରେ ସେ ଗୁରୁତର ଆହତ ହୋଇଥିବା ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ କରତପଟା ଫରେଷ୍ଟର ଲଳିତ ବେହେରା ବନ କର୍ମଚାରୀଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ପ୍ରମିଳା ଙ୍କୁ ଉଦ୍ଧାର କରି ବନ ବିଭାଗ ଗାଡ଼ିରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗତ ତିନି ମାସ ଭିତରେ ଏହି ବନାଞ୍ଚଳ ଅଧିନ ବିଭିନ୍ନ ଗାଁରେ ହାତୀ ଆକ୍ରମଣରେ ୩ଟି ନିରିହ ଜୀବନ ଚାଲିଯାଇଥିଲା ବେଳେ, ହାତୀର ଉପସ୍ଥିତି ସଂପର୍କରେ ଗାଁ ଲୋକଙ୍କୁ ବନବିଭାଗ ପକ୍ଷରୁ ସଚେତନ କରାଯାଉନଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ପରିବାର ବର୍ଗ । ସେମାନେ ଅଭିଯୋଗ କରିଛନ୍ତି ଯେ, ବନବିଭାଗ ପକ୍ଷରୁ କେବଳ ସରକାରୀ ସହାୟତା ଯୋଗାଇ ଦେବାକୁ କହି ହାତବାନ୍ଧି ବସିଥିବା ଦେଖିବାକୁ ମିଳିଛି I

ଗତ ୧୮/୩ରେ ମାଣିକଯୋଡି ଗାଁର ବିଜୟ ପ୍ରଧାନ (୬୫),୨୭l୪ରେ ଗଦେଇମୁଣ୍ଡା ଗାଁର ଭୁବନ ପ୍ରଧାନ(୫୦)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା ବେଳେ, ମୃତ ବିଜୟଙ୍କ ପରିବାରଙ୍କୁ ସରକାରୀ ସହାୟତା ମିଳିଥିବା ବେଳେ, ଆଜି ଯାଏ ଭୁବନଙ୍କ ପରିବାରକୁ କୌଣସି ସହାୟତା ମିଳି ନାହିଁ । ଏସଂପର୍କରେ ଅନୁଗୋଳ ରେଞ୍ଜର ଉଦ୍ଧବ ବେହେରା କହିଛନ୍ତି ଆବଶ୍ୟକ କାଗଜାତ ପଇଠ କଲେ ବିଜୟଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ । ଏଥିସହ ଆଜି ମୃତ ପ୍ରମିଳାଙ୍କ ପରିବାର ଙ୍କୁ ୧ଲକ୍ଷ ଅଗ୍ରୀମ ଦିଆଯାଇଥିଲା ବେଳେ, ଖୁବଶିଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave a Reply