ଟାଉନ ହାଇ ସ୍କୁଲ୍ ସାମ୍ନା ପୌରପାଳିକାର ପରିତ୍ୟକ୍ତ ଭେଣ୍ଡିଂ ଜୋନ୍ ଅପରାଧୀଙ୍କ ପାଇଁ ସେଫ୍ ଜୋନ୍ ପାଲଟିଛି। ନିଶା କାରବାରଠୁ ନେଇ ଡକାୟତି ଯୋଜନା ଯାଏ ସବୁ ଚାଲିଛି ବେଧଡକ। ତାହା ପୁଣି ଦିନ ଦ୍ୱିପ୍ରହରେ।
ରବିବାର ଅପରାହ୍ନରେ କିଛି ଦୁର୍ବୃତ୍ତ ବ୍ରାଉନ ସୁଗର ବିକ୍ରି ପାଇଁ ଛୋଟ ପୁଡିଆ ପ୍ରସ୍ତୁତ କରୁଥିବା ବେଳେ ମାଡ଼ି ବସିଛି ପୁଲିସ। ସେମାନଙ୍କ ଠାରୁ ୩୩.୬୯୦ଗ୍ରାମ ବ୍ରାଉନ ସୁଗର୍ ଜବତ ହୋଇଛି। ଏହି ଚୋରା କାରବାରରେ ସଂପୃକ୍ତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ଶିକ୍ଷକପଡ଼ାର ଧୀର ଓରଫ ଧିରେନ୍ ନାଏକ, ରାଜକିଶୋରପଡ଼ାର ମିର୍ଜା ସରିଫ, ରାଣୀଗୋଡାର ସୌରଭ ସିଂହ ସାମନ୍ତ, ହେମସୁରପଡ଼ାର ବିକାଶ କୁମାର ଦାସ, ରାଜକିଶୋରପଡ଼ାର ମିର୍ଜା ଫିରୋଜ ବେଗ, ଦିଲ୍ଲୀପ କୁମାର ନାଏକ ଓ ପ୍ରଦୀପ ବେହେରା।
ପୁଲିସ ମୁତାବକ ଟାଉନ ହାଇ ସ୍କୁଲ୍ ସାମ୍ନା ପରିତ୍ୟକ୍ତ ଭେଣ୍ଡିଂ ଜୋନରେ କିଛି ଯୁବକ ବସି ବ୍ରାଉନ ସୁଗାର୍ କାରବାର କରୁଥିବା ପୁଲିସ କୁ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା।
ଟାଉନ ଥାନାର ଏକ ଟିମ୍ ଅପରାହ୍ନ ସାଢେ଼ ୩ଟା ବେଳକୁ ଚଢ଼ଉ କରି ୭ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ସେମାନଙ୍କ ଠାରୁ ସମସ୍ତ ବ୍ରାଉନ ଶୁଗର ଜବତ କରିଥିଲା।
ଅଭିଯୁକ୍ତ ଧିରେନ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବୋଲି ଜାଣିବାକୁ ପାଇଛି। ଅଭିଯୁକ୍ତ ଧୀରେନ୍ ଓ ମିର୍ଜା ସରିଫ୍ ବାଲେଶ୍ଵରରୁ ଏକ ନିଷିଦ୍ଧ ନିଶା କିଣି ଆଣିଥିବା ପୁଲିସ ଆଗରେ ସ୍ବୀକାର କରିଥିବା ଜଣାପଡିଛି। ଆସନ୍ତା କାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି।
