ଶିଳ୍ପ ସମୃଦ୍ଧ ତାଳଚେର ସହରରେ ଗଢି ଉଠିଛି ମାଳ ମାଳ ଖଣି ଖଦାନ। ଏଥିପାଇଁ ଦିନକୁ ଦିନ ତାଳଚେରରେ ପ୍ରଦୂଷଣର ମାତ୍ରା ଉପର ମୁହାଁ ହେବାକୁ ବସିଲାଣି। ଅନ୍ୟପଟେ ସରକାରଙ୍କ ଗାଡ଼ି ଚାଳନା ଉପରେ କଟକଣା ଲୋକଙ୍କୁ ଅତିଷ୍ଠ କରିଥିବା ବେଳେ ରାତି ଉଜାଗର ହୋଇ ଧାଡ଼ିରେ ଗାଡ଼ିର ପ୍ରଦୂଷଣ ପ୍ରମାଣ ପତ୍ର କରୁଥିବା ଦେଖିବାକୁ ମିଳୁଛି।
ସୁଚନା ମୁତାବକ ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଧୀନରେ ମୋଟ ୮ଟି ପ୍ରଦୂଷଣ ପ୍ରମାଣ ପତ୍ର କେନ୍ଦ୍ର ରହିଛି। କେନ୍ଦ୍ର ତୁଳନାରେ ୫୦ଗୁଣାରୁ ଅଧିକ ସଂଖ୍ୟାର ଗାଡ଼ି ତାଳଚେରରେ ରହିଛି। ତେଣୁ ରାତି ଅଧରୁ ଦିନ ତମାମ ଉକ୍ତ କେନ୍ଦ୍ର ଗୁଡିକରେ ଲୋକଙ୍କ ଭିଡ଼ ରହୁଛି। କର୍ମଜୀବୀ ମାନେ ବାଧ୍ୟ ହୋଇ ରାତି ପ୍ରାୟ ୩ଟାରୁ ଆସି ଧାଡ଼ି ଲଗାଉଥିବା ଜଣାପଡିଛି।ଏପରିକି ଗତ କିଛି ଦିନ ହେଲା ସକାଳୁ କୁହୁଡି ସହିତ ଖଣି ଧୂଳି ଏବଂ ଧୂଆଁ ଦ୍ୱାରା ରାସ୍ତାରେ ଯାତାୟାତ ବେଳେ ଅଣନିଶ୍ବାସୀ ହୋଇ ପଡ଼ୁଛନ୍ତି।
ତେବେ ଦୀର୍ଘ ଦିନରୁ ଖଣି ଖଦାନ ପାଇଁ ତାଳଚେରର ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। କିନ୍ତୁ ଏଥି ପ୍ରତି ଖଣି କର୍ତ୍ତୁପକ୍ଷଙ୍କ ସହିତ ବିଭିନ୍ନ କଳ କାରଖାନା ପାଇଁ ପ୍ରଶାସନ ବା ପ୍ରଦୂଷଣ ବିଭାଗ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇନାହିଁ।ଫଳରେ କିଛି ଦିନ ହେବ ବାୟୁର ମାନ ଖରାପ ଆଡ଼କୁ ଗତି କରୁଥିବାରୁ ଦିନକୁ ଦିନ ତାଳଚେର ଅଞ୍ଚଳରେ ଶ୍ୱାସ ସହିତ ଚର୍ମ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ଅନ୍ୟ ପଟେ ସାଧାରଣ ମଣିଷ ଉପରେ ବୋଝ ଉପରେ ଲଲିତା ବିଡା ସଦୃଶ ପ୍ରଦୂଷଣ ପ୍ରମାଣ ପତ୍ର ନକଲେ ଘୋଷଣା କରିଥିବା ଆଇନକୁ ଲୋକମାନେ ନା ପସନ୍ଦ କରିଛନ୍ତି। ଅନ୍ୟପଟେ ତାଳଚେରରେ ଗାଡ଼ି ପାଇଁ ନୁହେଁ କଳ କାରଖାନା ପାଇଁ ପ୍ରଦୂଷଣ ବଢୁଥିବାରୁ ପ୍ରଶାସନ ଏବଂ ସରକାର ସେଥିପ୍ରତି ଯତ୍ନବାନ ହେବା ସହିତ ଜଙ୍ଗଲ କଟାକୁ ବନ୍ଦ କରିବାକୁ ପରିବେଶବିତ୍ ଏବଂ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବୀ ହୋଇଛି।
