ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଓଡ଼ିଶାବାସୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହା ଅଧୀନରେ ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ସହିତ ୨,୫୦୦ ଟଙ୍କା ଆର୍ଥିକ ସହାୟତା ମିଳିବ। ଚାଷୀ, ମତ୍ସ୍ୟଜୀବୀ, ଗୋପାଳକ, ବୁଣାକାର, କାରିଗର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ମଧ୍ୟ ଏହି ପ୍ୟାକେଜ୍ରେ ସାମିଲ କରାଯାଇଛି।
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ରିଲିଫ୍, ପୁନର୍ବାସ ଏବଂ କ୍ଷୟକ୍ଷତି ଆକଳନ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ବିଶେଷକରି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବାତ୍ୟା ଓ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି କ୍ଷୟକ୍ଷତିର ଆକଳନ କରିବା ପାଇଁ ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ୮ ଜଣିଆ କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟ ଟିମ୍ ଓଡ଼ିଶା ଗସ୍ତ କରିବ। ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଥିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ଆଲୋଚନା କରିଥିବା କହିଛନ୍ତି।
ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ସହାୟତା
ବାତ୍ୟାରେ ୩୩ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ କୃଷି ଇନପୁଟ୍ ସବସିଡି ମିଳିବ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ୧୭,୦୦୦ ଟଙ୍କା ଏବଂ ଆମ୍ବ, କାଜୁ ଭଳି ବହୁବର୍ଷୀୟ ଫସଲ ପାଇଁ ୨୨,୫୦୦ ଟଙ୍କା ଦିଆଯିବ। ଏହି ସହାୟତା ସର୍ବାଧିକ ଦୁଇ ହେକ୍ଟର ଜମି ପର୍ଯ୍ୟନ୍ତ ମିଳିବ।
ଚାଷଜମିରେ ଜମିଥିବା ବାଲି ଓ ପଟୁ ମାଟି ସଫା କରିବା ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ସହାୟତା ଦିଆଯିବ। ଏଥିସହ ୧.୭୫ ଲକ୍ଷ ମିନି ବିହନ କିଟ୍ ବଣ୍ଟନ କରାଯିବ। ଏଥିରେ ୧.୨ ଲକ୍ଷ ଡାଲିଜାତୀୟ ବିହନ କିଟ୍, ୫ ହଜାର ତୈଳବୀଜ କିଟ୍ ଏବଂ ୫୦ ହଜାର ପନିପରିବା ବିହନ କିଟ୍ ରହିଛି। ୨୦୨୬-୨୭ ରବି ଋତୁରେ କୀଟନାଶକ ଓ ଜୈବ କୀଟନାଶକ କିଣିବାରେ ଚାଷୀଙ୍କୁ ୭୫ ପ୍ରତିଶତ ସବସିଡି ମଧ୍ୟ ମିଳିବ।
ଘର ନଷ୍ଟ ହୋଇଥିଲେ ମିଳିବ ଆର୍ଥିକ ସହାୟତା
ବାତ୍ୟାରେ ସମ୍ପୂର୍ଣ୍ଣ ନଷ୍ଟ କିମ୍ବା ଗୁରୁତର କ୍ଷତିଗ୍ରସ୍ତ ଘର ପାଇଁ ସମତଳ ଅଞ୍ଚଳରେ ୧.୨୦ ଲକ୍ଷ ଟଙ୍କା ଏବଂ ପାହାଡ଼ିଆ ଅଞ୍ଚଳରେ ୧.୩୦ ଲକ୍ଷ ଟଙ୍କା ଦିଆଯିବ। ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬,୫୦୦ ଟଙ୍କା ଏବଂ କଚ୍ଚା ଘର ପାଇଁ ୪,୦୦୦ ଟଙ୍କା ମିଳିବ। ନଷ୍ଟ ହୋଇଥିବା ଝୁମ୍ପୁଡ଼ି ଘର ପାଇଁ ୮ ହଜାର ଏବଂ ଗୋରୁ ଗୁହାଳ ପାଇଁ ୩ ହଜାର ଟଙ୍କା ସହାୟତା ଘୋଷଣା ହୋଇଛି। ପୋଷାକ ଓ ଘରୋଇ ସାମଗ୍ରୀ ପାଇଁ ୨,୫୦୦ ଟଙ୍କା ମିଳିବ।
ପଶୁପାଳକ ଓ ମତ୍ସ୍ୟଜୀବୀଙ୍କୁ ମଧ୍ୟ ସହାୟତା
ଦୁଗ୍ଧଦାୟୀ ଗାଈ ଓ ମଇଁଷି ମୃତ୍ୟୁ ହେଲେ ପ୍ରତି ପଶୁ ପିଛା ୩୭,୫୦୦ ଟଙ୍କା ଏବଂ ମେଣ୍ଢା, ଛେଳି ଓ ଘୁଷୁରି ପାଇଁ ୪ ହଜାର ଟଙ୍କା ମିଳିବ। ହଳ ପଶୁ ମୃତ୍ୟୁ ପାଇଁ ୩୨ ହଜାର ଟଙ୍କା ଏବଂ କୁକୁଡ଼ା ଚାଷୀଙ୍କୁ ପକ୍ଷୀ ପିଛା ୧୦୦ ଟଙ୍କା, ସର୍ବାଧିକ ୧୦ ହଜାର ଟଙ୍କା ଦିଆଯିବ।
କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ଡଙ୍ଗା ଓ ଜାଲ ପାଇଁ କ୍ଷତିପୂରଣ ମିଳିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅତିରିକ୍ତ ୫ ହଜାର ଟଙ୍କା ଏବଂ ବୁଣାକାର ଓ କାରିଗରଙ୍କୁ ଉପକରଣ ବଦଳାଇବା ଓ ସାମଗ୍ରୀ କ୍ଷତି ପାଇଁ ପୃଥକ୍ ଭାବେ ୫ ହଜାର ଟଙ୍କା ଲେଖାଏଁ ମିଳିବ।
ବ୍ୟବସାୟୀଙ୍କ ପାଇଁ ଋଣ ଓ ସବସିଡି
କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ବ୍ୟବସାୟୀଙ୍କୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହ ୨୫ ପ୍ରତିଶତ ସବସିଡି ଦିଆଯିବ। ଏହି ସବସିଡିର ସର୍ବାଧିକ ସୀମା ୩ ଲକ୍ଷ ଟଙ୍କା ରହିଛି। ରାସ୍ତାକଡ଼ ବ୍ୟବସାୟୀ ଓ ଅସ୍ଥାୟୀ ଦୋକାନୀଙ୍କୁ ୧୦ ହଜାର ଟଙ୍କା ଏବଂ ଅନ୍ୟ କ୍ଷତିଗ୍ରସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନକୁ ୨୫ ହଜାର ଟଙ୍କା ମିଳିବ।
ଅନ୍ୟପକ୍ଷରେ, ଆଉ ଏକ ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତ ଅଞ୍ଚଳରେ ନିୟୋଜିତ ସରକାରୀ ଟିମ୍କୁ ସେଠାରେ ରହି ରିଲିଫ୍ ଓ ନିରୀକ୍ଷଣ କାର୍ଯ୍ୟ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରବି ଋତୁ ଆରମ୍ଭ ପୂର୍ବରୁ କ୍ଷତିଗ୍ରସ୍ତ ଲିଫ୍ଟ ଜଳସେଚନ ପ୍ରକଳ୍ପଗୁଡ଼ିକର ମରାମତି ଶେଷ କରିବାକୁ ମଧ୍ୟ କୁହାଯାଇଛି। ସରକାରଙ୍କ କହିବା ଅନୁସାରେ, ପ୍ରାଥମିକ କ୍ଷୟକ୍ଷତି ଆକଳନ ପରେ ଏହି ପ୍ୟାକେଜ୍ ପ୍ରସ୍ତୁତ ହୋଇଛି। ଆଗକୁ ଚୂଡ଼ାନ୍ତ ଆକଳନରେ ଅଧିକ କ୍ଷତି ଜଣାପଡ଼ିଲେ ସହାୟତା ରାଶିରେ ପରିବର୍ତ୍ତନ କରାଯାଇପାରେ।
