ତାଳଚେର ଅଞ୍ଚଳରେ ଥିବା ତାଳଚେର ରୋଡ଼ ଷ୍ଟେସନ୍ ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାରେ ଶୁଣାଣୀ ହୋଇଛି। ଏଥିରେ ପୂର୍ବତଟ ରେଳ ବିଭାଗକୁ ୨ସପ୍ତାହ ମଧ୍ୟରେ ନିଜର ପକ୍ଷ ରଖିବାକୁ କୁହାଯାଇଛି।
ସୁଚନା ମୁତାବକ ତାଳଚେରର ସୁଚନା ଅଧିକାରୀ କର୍ମୀ ଦେବପ୍ରସାଦ ସାହୁ ଗତବର୍ଷ ରେଳ ବିଭାଗକୁ ଏକ ଲିଖିତ ଅଭିଯୋଗ କରି ତାଳଚେର ରୋଡ଼ ଷ୍ଟେସନ ରାସ୍ତାର ପୁନଃନିର୍ମାଣ ଓ ଉଭୟ ପାର୍ଶ୍ବରେ ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଉପରିସ୍ଥ ଅଧିକାରୀଙ୍କ ଅନୁମୋଦନ ଆସିଲେ ସମସ୍ୟାର ସମାଧାନ ହେବ ବୋଲି ରେଳ ବିଭାଗ ତରଫରୁ ଲିଖିତ ଭାବେ ଦିଆଯାଇଥିଲା। କିନ୍ତୁ ଏହା ମଧ୍ୟରେ ୧ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା।
ଏଥି ମଧ୍ୟରେ ଏହି ରାସ୍ତାରେ ଅନେକ ଯାତ୍ରୀ ଦୁର୍ଘଟଣାର ଶୀକାର ମଧ୍ଯ ହୋଇଛନ୍ତି। କିନ୍ତୁ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉନି।ତେଣୁ ଅଗଷ୍ଟ ମାସରେ ଶ୍ରୀ ସାହୁ ଓଡିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ।ଏହି ମାମଲାରେ ପ୍ରଥମ ଶୁଣାଣିରେ ଶ୍ରୀ ସାହୁଙ୍କ ତରଫରୁ ସୁପ୍ରିମ କୋର୍ଟର ଆଇନଜୀବୀ ଜ୍ଞାନଦତ୍ତ ଚୌହାନ ନିଜର ପକ୍ଷ ରଖିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ହରିସ ଟଣ୍ଡନ ଓ ଜଷ୍ଟିସ ଏମ. ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ରାସ୍ତାର ଅବସ୍ଥାକୁ ଦେଖି କେତେଦିନ ମଧ୍ୟରେ ଅଭିଯୋଗର ସମାଧାନ ହେବ ବୋଲି ପ୍ରଶ୍ନ କରିଥିଲେ।
ଯଥାଶୀଘ୍ର ଏହି ରାସ୍ତାର ନିର୍ମାଣ ଓ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ପାଇଁ ନିଜ ସହମତି ଦର୍ଶାଇଥିଲେ। କେନ୍ଦ୍ର ସରକାର ଓ ରେଳ ବିଭାଗ ତରଫରୁ ଉପଯୁକ୍ତ ପଦକ୍ଷେପ ନିଆଯାଉଥିବା ଉପସ୍ଥିତ ଆଡଭୋକେଟ କହିଥିଲେ। ଦୀର୍ଘ ଏକ ବର୍ଷ ମଧ୍ୟରେ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନଥିବା ରୁ ମୁଖ୍ୟ ବିଚାରପତି ଯଥାଶୀଘ୍ର ରାସ୍ତା ନିର୍ମାଣ ପାଇଁ ମତ ପ୍ରକାଶ କରିଥିଲେ। ଏହା ସହ ୨ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ଓ ରେଳ ବିଭାଗ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଆଗାମୀ ଶୁଣାଣୀ ଆସନ୍ତା ଜାନୁଆରୀ ୧୩ତାରିଖକୁ ନିର୍ଦ୍ଧାରିତ ହୋଇଛି।
